
Odisha Police(File Pic)
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନିଯୁକ୍ତି ପରୀକ୍ଷା ଦୁର୍ନୀତି ଘଟଣା ପାଇଁ ବିବାଦଘେରରେ ଥିବା ଓଡ଼ିଶା ପୁଲିସର ପୁଣି ଏକ କେଳେଙ୍କାରୀ ପଦାକୁ ଆସିଛି । ନିଜର ଆବଶ୍ୟକତା ପାଇଁ ସିସିଟିଏନଏସ୍ ନିମନ୍ତେ ସିଷ୍ଟମ ଇଣ୍ଟିଗ୍ରେଟର ଚୟନଠୁ ଆରମ୍ଭ କରି କମ୍ପ୍ୟୁଟର ଓ ଡ୍ରୋନ୍ କିଣା ପର୍ଯ୍ୟନ୍ତ ଟେଣ୍ଡରଗୁଡ଼ିକରେ ପାରଦର୍ଶିତା ରଖିବାରେ ଓଡ଼ିଶା ପୁଲିସ ସଫଳ ହୋଇନଥିବା ଅଭିଯୋଗ ହୋଇଛି ।
ବିଗତ ୭ମାସ ମଧ୍ୟରେ ୩ଟି ଟେଣ୍ଡର ମାଧ୍ୟମରେ ୧୨ଟି ଡ୍ରୋନ୍ କିଣିଥିବା ଓଡ଼ିଶା ପୁଲିସ ଏବେ ପୁଣିଥରେ ସେହି ନିର୍ଦ୍ଦିଷ୍ଟ କମ୍ପାନୀଠୁ ଆଉ ୨ଟି ଡ୍ରୋନ୍ କିଣିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜୁଲାଇ ମାସରେ ଡକାଯାଇଥିବା ଏହି ଡ୍ରୋନ୍ ଟେଣ୍ଡରର ଦସ୍ତାବିଜ ଏଭଳି ପ୍ରସ୍ତୁତ ହୋଇଛି ଯାହା ସେହି ନିର୍ଦ୍ଦିଷ୍ଟ କମ୍ପାନୀ ‘ଆଇଡିଆଫର୍ଜ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ’କୁ ସୁହାଇବା ଭଳି ହୋଇଛି ଓ ଯେଉଁ ବିଡରମାନେ ଏଥିରେ ସାମିଲ ହୋଇଛନ୍ତି ସମସ୍ତେ ଏହି ଆଇଡିଆଫର୍ଜ କମ୍ପାନୀର ‘ଡ୍ରୋନ୍’ ଦେବାକୁ ନିଜର ସମ୍ମତି ଦେଇଥିବା ସୂଚନା ମିଳିଛି ।
ତେବେ ୨୦୨୩ରୁ ୨୦୨୫ ମସିହା ମଧ୍ୟରେ ଓଡ଼ିଶା ପୁଲିସ ୪ଟି ଟେଣ୍ଡର ମାଧ୍ୟମରେ ୧୫-୨୦କୋଟି ଟଙ୍କା ବ୍ୟୟରେ ଆଇଡିଆଫର୍ଜ କମ୍ପାନୀର ଯେଉଁ ୧୮ଟି ଡ୍ରୋନ୍ କିଣିଛି, ତା’ର ଉପକରଣ(କମ୍ପୋନେଟ) ଚାଇନା ନିର୍ମିତ କି ନୁହେଁ, ନୂଆ ଡ୍ରୋନ୍ କ୍ରୟ ପୂର୍ବରୁ ତା’ର ପରଫର୍ମାନ୍ସ ଆଦିର କାହିଁକି ତୃତୀୟ ପକ୍ଷ ଅଡିଟ୍ କରାଯାଇନାହିଁ ତାହା ଏବେ ଓଡ଼ିଶା ପୁଲିସକୁ ବିବାଦଘେରକୁ ଟାଣିଛି । ଏପରିକି ଭାରତୀୟ ସେନା ୨୦୨୪ ମସିହାରେ ଆଇଡିଆଫର୍ଜ ନିର୍ମିତ ଡ୍ରୋନରେ ଚାଇନା ଉପକରଣ ଥିବା ଦର୍ଶାଇ ନିଜର ଟେଣ୍ଡରକୁ ବାତିଲ କରିବା ସହ ତା’ର ଦୁଇଟି ସହଯୋଗୀ ସଂସ୍ଥାକୁ ମଧ୍ୟ ଅସିଦ୍ଧ ଘୋଷଣା କରିଥିଲା । ତଥାପି ଏସବୁକୁ ଅଣଦେଖା କରି ଓଡ଼ିଶା ପୁଲିସ କାହିଁକି ଓ କେଉଁ ସ୍ୱାର୍ଥରେ ବାରମ୍ବାର ‘ଆଇଡିଆଫର୍ଜ କମ୍ପାନୀ’ଠୁ ଡ୍ରୋନ୍ କିଣିବା ପାଇଁ ନିଜର ଟେଣ୍ଡର ଦସ୍ତାବିଜକୁ ମୋଡ଼ିମକଚି ସେଭଳି ପ୍ରସ୍ତୁତ କରାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
୧୮ ଡ୍ରୋନ୍, ୧୫–୨୦ କୋଟି ବ୍ୟୟ, ଅଡିଟ୍ ଶୂନ୍
ଓଡ଼ିଶା ପୁଲିସ୍ ୨୦୨୩ରୁ ୨୦୨୫ ମସିହା ମଧ୍ୟରେ ୪ଟି ଭିନ୍ନ ଭିନ୍ନ ଟେଣ୍ଡର ମାଧ୍ୟମରେ ଆଇଡିଆଫର୍ଜଠାରୁ ମୋଟ ୧୮ ଟି ଡ୍ରୋନ୍ କିଣିଛି । ୪ଟି ଟେଣ୍ଡର– GEM/2023/B/3982521 (୬ ଡ୍ରୋନ୍), GEM/2025/B/5781017 (୨ ଡ୍ରୋନ୍), GEM/2025/B/5814334 (୮ ଡ୍ରୋନ୍), ଏବଂ GEM/2025/B/6463149 (୨ ଡ୍ରୋନ୍)। ସମସ୍ତ ୟୁନିଟ୍ ହେଉଛି SWITCH v1.0 ମଡେଲ୍, ଯାହାକି ୧୫ କିଲୋମିଟର ପରିସର ଏବଂ ୧୨୦ ମିନିଟରୁ ଅଧିକ ସହନଶୀଳତା ଥିବା ଏକ VTOL ହାଇବ୍ରିଡ୍ ଡ୍ରୋନ୍।
ତେବେ, ଏହି ଡ୍ରୋନକିଣା ପୂର୍ବରୁ ଅବା ପରେ ଏହାର ପରଫର୍ମାନ୍ସ ଆକଳନ ପାଇଁ ଏପର୍ଯ୍ୟନ୍ତ ତୃତୀୟ ପକ୍ଷ ଅଡିଟ୍ କରାଯାଇ ନାହିଁ । ଯଦିଓ ନୂଆ ଡ୍ରୋନ୍ କିଣିବା ପୂର୍ବରୁ ସେହି କମ୍ପାନୀର ପୁରୁଣା ଡ୍ରୋନର ପ୍ରଦର୍ଶନର ଅଡିଟ୍ କରାଯିବା ଜରୁରୀ । ଏପରିକି ଓଡ଼ିଶା ସରକାରଙ୍କ ଜେନେରାଲ୍ ଫାଇନାନ୍ସିଆଲ୍ ରୁଲ୍ସର ଧାରା ୨୩୯ରେ ଏହି ଅଡିଟର ବାଧ୍ୟତାମୂଳକ ପ୍ରାବଧାନ ରହିଛି । ଏହାଦ୍ୱାରା ଉକ୍ତ ଡ୍ରୋନଗୁଡ଼ିକର ପରଫର୍ମାନ୍ସକୁ ଯାଂଚ କରି ଅଯଥା ଖର୍ଚ୍ଚକୁ ଏଡ଼ାଇ ଯାଇ ପାରନ୍ତା ବୋଲି କୁହାଯାଇଛି ।
କେବଳ ଆଇଡିଆଫର୍ଜ, ଅନ୍ୟ ସ୍ୱଦେଶୀ ନିର୍ମାତା ଆସୁନାହାନ୍ତି କାହିଁକି
ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନ୍ ପ୍ରସ୍ତୁତ କରୁଥିବା ଡିଜିସିଏ ଦ୍ୱାରା ପ୍ରମାଣିତ ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟରେ ଗରୁଡ ଏରୋସ୍ପେସ୍ , ଆଷ୍ଟେରିଆ ଏରୋସ୍ପେସ୍, ଧକ୍ଷା ଅନମ୍ୟାନଡ ସିଷ୍ଟମ, ଆରଭ ଅନମ୍ୟାନଡ୍ ସିଷ୍ଟମ ଓ ଆଇଜି ଡ୍ରୋନ୍ ପ୍ରମୁଖ କମ୍ପାନୀ ରହିଛନ୍ତି । ମାତ୍ର ଓଡ଼ିଶା ପୁଲିସ ନିଜର ଟେଣ୍ଡର ସର୍ତ୍ତାବଳୀ ଏଭଳି ପ୍ରସ୍ତୁତ କରୁଛି ଯାହାକି କେବଳ ଆଇଡିଆଫର୍ଜ କମ୍ପାନୀକୁ ସୁହାଉଛି ଓ ଏହି କମ୍ପାନୀର ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥାମାନେ ଟେଣ୍ଡରରେ ସାମିଲ ହୋଇ ସେହି ଡ୍ରୋନକୁ ଦେଉଛନ୍ତି । ଦେଶର ଅନ୍ୟ ପ୍ରମୁଖ ସ୍ୱଦେଶୀ ନିର୍ମାଣକାରୀ କମ୍ପାନୀମାନେ ଥିଲେ ମଧ୍ୟ ସେମାନେ କାର୍ହିକି ପ୍ରତିଯୋଗିତାମୂଳକ ଟେଣ୍ଡରରେ ସାମିଲ ହେଉନାହାନ୍ତି ଓ ଟେଣ୍ଡର ଦସ୍ତାବିଜ ଅନୁରୂପ ଢଙ୍ଗରେ ପ୍ରସ୍ତୁତ କରିବାକୁ ଓଡ଼ିଶା ପୁଲିସକୁ କିଏ ବୈଷୟିକ ସହାୟତା ଦେଉଛି ଏବଂ ଆଇଡିଆଫର୍ଜର ଡ୍ରୋନଗୁଡ଼ିକର ପରଫର୍ମାନ୍ସ କିଏ ଯାଂଚ କରୁଛି ତାହା ମଧ୍ୟ ଏବେବି ଅସ୍ପଷ୍ଟ ।
ନିର୍ଦ୍ଦିଷ୍ଟ ଗୋଟିଏ ବିକ୍ରେତା ବା ନିର୍ମାଣକାରୀ କମ୍ପାନୀ ଉପରେ ଓଡ଼ିଶା ପୁଲିସ(Odisha Police)ର ନିରନ୍ତର ନିର୍ଭରଶୀଳତା ରହିଲେ ସାମଗ୍ରୀର ଦରବୃଦ୍ଧି ଓ ଏକଚାଟିଆ କାରବାରର ଆଶଙ୍କା ରହିଛି । ଏହା ମଧ୍ୟ ଜାତୀୟ ନିରାପତ୍ତା ସହ ସରକାରଙ୍କ ବିଭିନ୍ନ କ୍ରୟ ନୀତିର ବିରୋଧାଚରଣ କରୁଛି । ଓଡ଼ିଶା ପୁଲିସ ଏସବୁ ଜାଣିବା ସତ୍ୱେ କାହିଁକି ପ୍ରତିଯୋଗିତାମୂଳକ ବିଡିଂରେ ଦେଶର ପ୍ରମୁଖ କମ୍ପାନୀଗୁଡ଼ିକୁ ସାମିଲ ପାଇଁ ମାର୍ଗ ଖୋଲା ରଖୁନି ଓ କେଉଁ ଅଘୋଷିତ ଚୁକ୍ତି ବଳରେ ଆଇଡିଆଫର୍ଜ ଭଳି ନିର୍ମାଣକାରୀ ସଂସ୍ଥାକୁ ଚୟନ କରୁଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଭିଯୋଗ ହେଉଛି ଯେ, ଟେଣ୍ଡରର ଦସ୍ତାବିଜ ଓ ଯୋଗ୍ୟତା ମାନଦଣ୍ଡ ଏପରି ନିର୍ଦ୍ଧାରଣ କରାଯାଉଛି ଯାହା କେବଳ ଆଇଡିଆଫର୍ଜକୁ ଏକମାତ୍ର ଉପଯୁକ୍ତ ନିର୍ମାତା ଭାବେ ସଫଳ କରାଇବ । ଜୁଲାଇ ୧୭ତାରିଖରେ ଯେଉଁ ୨ଟି ଡ୍ରୋନ୍ କିଣିବା ପାଇଁ ଓଡ଼ିଶା ପୁଲିସ ଟେଣ୍ଡର ଡାକିଛି ତା’ର ଟେକନିକାଲ ରିପୋର୍ଟ ଦିନରେ ଲଣ୍ଠନ ଦେଖାଇବା ସଦୃଶ ହୋଇଛି । କାରଣ ଏହି ଟେଣ୍ଡର ପ୍ରକ୍ରିୟାରେ ଯେଉଁ ୫ଟି ବିଡରରୁ ୩ଟି ବିଡରକୁ ଟେକନିକାଲ ବିଡିଂରେ ଚୟନ କରାଯାଇଛି ସମସ୍ତେ ସେହି ଆଇଡିଆଫର୍ଜ ସହ ଜଡ଼ିତ । ଗୋଟିଏ ନିର୍ମାଣକାରୀ କମ୍ପାନୀ ଥିବାରୁ ଦର ନିର୍ଦ୍ଧାରଣରେ ଏକଚାଟିଆ କାରବାର ସହ ଉତ୍ତରଦାୟିିତ୍ୱ ନିର୍ଦ୍ଧାରଣ ସମ୍ଭବପର ହେବାର ସମ୍ଭାବନା କ୍ଷୀଣ ।
ଚାଇନା ଉପକରଣ, ଭାରତୀୟ ସେନା କରିସାରିଛି ରିଜେକ୍ଟ
୨୦୨୪ ମସିହାରେ ଚାଇନା ନିର୍ମିତ ଉପକରଣ ଉପଯୋଗ ହୋଇଥିବା ଅଭିଯାଗରେ ଆଇଡିଆଫର୍ଜର ଦୁଇଟି ସହଯୋଗୀ ସଂସ୍ଥା ରୋହଲ ଟେକ୍ନୋଲୋଜେି ଓ ଡିଫେଚ୍ ଆଣ୍ଡ ଗ୍ରୀନ୍ ଇଣ୍ଡିଆକୁ ନିଜର ଡ୍ରୋନ୍ ଟେଣ୍ଡରରୁ ଅଯୋଗ୍ୟ ଘୋଷଣା କରିଥିଲା ଭାରତୀୟ ସେନା । ଏହି ଡ୍ରୋନଗୁଡ଼ିକ ଆଇଡିଆଫର୍ଜର ଗୋଟିଏ ମଡେଲ୍ ଉପରେ ଆଧାରିତ ଥିଲା, ଯାହାକି ‘ମେକ୍ ଇନ୍ ଇଣ୍ଡିଆ’ ସର୍ତ୍ତାବଳୀକୁ ମଧ୍ୟ ପାଳନ କରିବାରେ ବିଫଳ ହୋଇଥିଲା । ସୂଚନାକର୍ମୀ ତେଜପ୍ରତାପ ସିଂ ଡ୍ରୋନରେ ଚାଇନା ଉପକରଣ ସଂକ୍ରାନ୍ତ ତଥ୍ୟକୁ ଉଜାଗର କରିବା ସହ ଆଇଡିଆଫର୍ଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଅବଶ୍ୟ ସେହି ଦୁଇଟି ସହଯୋଗୀ ସଂସ୍ଥା ଓଡ଼ିଶାର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି କିନ୍ତୁ ସେମାନଙ୍କର ମୂଳ ଉପକରଣ ନିର୍ମାତା(ଆଇଡିଆଫର୍ଜ) ହିଁ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସୁରକ୍ଷା ଦୃଷ୍ଟିରୁ ଓଡ଼ିଶା ପୁଲିସ ଏସବୁ ଡ୍ରୋନ୍ କ୍ରୟ କରୁଥିଲେ ମଧ୍ୟ ଟେଣ୍ଡର ସର୍ତ୍ତାବଳୀରେ ଡ୍ରୋନରେ ଲାଗିଥିବା ଉପକରଣ 'ସମ୍ପୂର୍ଣ୍ଣ ସ୍ୱଦେଶୀ ନିର୍ମିତ' ବୋଲି ସେଭଳି ପ୍ରାବଧାନକୁ ସାମିଲ କରିନଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ଓଡ଼ିଶା ପୁଲିସ କିମ୍ବା ଆଇଡିଆଫର୍ଜ ମଧ୍ୟ ଏସବୁ ଡ୍ରୋନ(Drone)ରେ ଚାଇନା ଉପକରଣ ନାହିଁ ବୋଲି ମଧ୍ୟ ସାର୍ବଜନୀନ ବୟାନ ଜାରି ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
