ଇକୋ ରିଟ୍ରିଟ୍ କାହା ସ୍ୱାର୍ଥରେ? ୨ବର୍ଷରେ ୩୨ କୋଟି, ଏଥର ପୁଣି ୩୦କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇବର୍ଷ ଧରି ‘ଇକୋ-ରିଟ୍ରିଟ୍‌’ ଆୟୋଜନରେ ରାଜ୍ୟ ରାଜକୋଷକୁ ପ୍ରାୟ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲେ ମଧ୍ୟ ଚଳିତବର୍ଷ ଆଉ ଅଧିକ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ କରିବା ନିମନ୍ତେ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏସବୁ ଇକୋ-ଟୁରିଜିମ ବିକାଶ ପାଇଁ ମଧ୍ୟ ୩୦କୋଟି ଟଙ୍କାର ଆକ୍ସନ ପ୍ଲାନକୁ ଅନୁମୋଦନ କରାଯାଇଛି। ୨୦୧୯ ଓ ୨୦୨୦ ମସିହା ଇକୋ ରିଟ୍ରିଟ୍ ଆୟୋଜନରେ ଯଥାକ୍ରମେ ୮ କୋଟି ଓ ୨୪କୋଟି ଟଙ୍କା ରାଜକୋଷରୁ ଯାଇଥିବାବେଳେ ଚଳିତବର୍ଷ ଏହାକୁ ଅଧିକ ୫ଟି ସ୍ଥାନକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ଓ ଏଥିପାଇଁ ଆବଶ୍ୟକ ବଜେଟ୍ ବ୍ୟୟବରାଦକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ତେବେ କରୋନା ମହାମାରୀ ସମୟରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ଆଳରେ ଇକୋ-ରିଟ୍ରିଟ୍ ଆୟୋଜନ କରି ଲୋକଙ୍କ ଟିକସ ଅର୍ଥରେ ଘରୋଇ ସଂସ୍ଥାକୁ ପୋଷିବା ସହ ସରକାରୀ ଅଫିସର ଓ ରାଜନେତାମାନେ ମଉଜମସ୍ତି ନିମନ୍ତେ ପରୋକ୍ଷରେ ମାର୍ଗ ପ୍ରଶସ୍ତ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଇକୋ ରିଟ୍ରିଟ୍ ଓ ଇକୋ-ଟୁରିଜିମ୍ କେନ୍ଦ୍ରର ବିକାଶ ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ବରଗଡ଼ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ(ପାଇନ୍ ) ବଣ, ନୂଆପଡ଼ାର ପାତୋରା ଡ୍ୟାମ, ସୁନ୍ଦରଗଡ଼ର ଟେନସା ଓ କେନ୍ଦୁଝରର କାଞ୍ଜିଆପାଣିଠାରେ ଇକୋ-ରିଟ୍ରିଟ୍ ସ୍ଥଳୀକୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଫୁଲବାଣୀର ସିକିରି, ବଲାଙ୍ଗୀରର ଭୀମଡୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲଝରଣ ଓ ରାବଣଧାରା ଝରଣା, ଢେଙ୍କାନାଳର ଚକୁରିଆ ଘାଟ ଓ ବୌଦ୍ଧ ବନଖଣ୍ଡର ଡମ୍ବୁରୁଗଡ଼କୁ ଇକୋ-ଟୁରିଜିମ୍ ସ୍ଥଳୀ ଭାବେ ବିକଶିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ପିସିସିଏଫ ଶଶୀ ପଲ୍ ଏହି ସମୀକ୍ଷା ବୈଠକରେ ଜଣାଇଥିଲେ ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ଇକୋ-ଟୁରିଜିମ୍ ସ୍ଥଳୀକୁ ୧୧୫୦୦ପର୍ଯ୍ୟଟକ ଆସିଥିବାବେଳେ ୨୦୧୮-୧୯ରେ ୨୯୦୨୪ଜଣ ଓ ୨୦୨୦-୨୧ରେ ୫୭ହଜାର ପର୍ଯ୍ୟଟକ ଆସିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ପର୍ଯ୍ୟଟକଙ୍କ ଆଗମନ ୯୬ ପ୍ରତିଶତ ଓ ରାଜସ୍ୱ ଆଦାୟରେ ୪୬ ପ୍ରତିଶତ ବୃଦ୍ଧି ହୋଇଛି।
ଅନ୍ୟପକ୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ ୨୦୧୯ ମସିହାରେ କୋଣାର୍କରେ ହୋଇଥିବା ଇକୋ-ରିଟ୍ରିଟରେ ରାଜ୍ୟ ରାଜକୋଷକୁ ୮କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ଗୁଜୁରାଟର ଘରୋଇ ସଂସ୍ଥା ଲାଲୁଜୀ ଆଣ୍ଡ ସନ୍ସକୁ ଏହି ଅର୍ଥ ଦିଆଯାଇଥିଲା। କରୋନା ମହାମାରୀ ନଥାଇ ମଧ୍ୟ ସେହିବର୍ଷ ମାତ୍ର ୬ ବିଦେଶୀଙ୍କ ସମେତ ୫୬୧୪ଜଣ ପର୍ଯ୍ୟଟକ ଯାଇଥିଲେ ଓ ମାତ୍ର ୩.୮୧କୋଟିର ରାଜସ୍ୱ ସଂଗ୍ରହ ହୋଇଥିଲା ଓ ୮କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିଲା ।

ତାହା ସତ୍ତ୍ୱେ କରୋନା ମାହାମାରୀ ସଂକ୍ରମଣ ମଧ୍ୟରେ ବି ୨୦୨୦ ମସିହାରେ ରାଜ୍ୟ ସରକାର ପୁଣିଥରେ ୫ଟି ସ୍ଥାନ ଯଥା-ଭିତରକନିକା, ସାତକୋଶିଆ, ହୀରାକୁଦ, କୋଣାର୍କ ଓ ଦାରିଙ୍ଗିବାଡ଼ିରେ ଇକୋ-ରିଟ୍ରିଟ୍ ଆୟୋଜନ କରିଥିଲେ। ଏଥି ପାଇଁ ସରକାର ୨ଟି ଘରୋଇ ସଂସ୍ଥା ଲାଲୁଜୀ ଆଣ୍ଡ ସନ୍ସ ଓ ଫ୍ୟୁଚର ୱିଜ୍ କୁ ୨୩.୯୭କୋଟି ଟଙ୍କା ଦେଇଥିଲେ। ଏସବୁ କେନ୍ଦ୍ରକୁ ମାତ୍ର ୧୨୫୪୮ଜଣ ପର୍ଯ୍ୟଟକ ଯାଇଥିଲେ ଓ ପୁଣିଥରେ କୋଟିକୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା।

ଏସବୁ ସତ୍ତ୍ୱେ ଚଳିତବର୍ଷ ପୁଣିଥରେ ଇକୋ-ରିଟ୍ରିଟକୁ ମୋଟ ୧୦ଟି ସ୍ଥାନରେ କରିବା ପାଇଁ ସରକାର ଯୋଜନା କରିଥିବା ଜଣାପଡ଼ିଛି। ଅବଶ୍ୟ ଚଳିତବର୍ଷ ମାର୍ଚ୍ଚ ମାସରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଲିଖିତ ଉତ୍ତରରେ କହିଥିଲେ ଯେ, ଇକୋଟୁରିଜିମର ବିକାଶ ସହ ଏହାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଇକୋ ରିଟ୍ରିଟ୍ ଆୟୋଜନ କରାଯାଉଛି । ସରକାରଙ୍କ ଏଥିରେ କୌଣସି ବାଣିଜ୍ୟିକ ସ୍ୱାର୍ଥ ନାହିଁ। ଇକୋ-ରିଟ୍ରିଟ ପରିଚାଳନା ଦାୟିତ୍ୱ ସମ୍ପୃକ୍ତ ସଂସ୍ଥା ଉପରେ ଥିବାରୁ ଲାଭ-କ୍ଷତି ହିସାବ ପାଇଁ ସରକାର ଚିନ୍ତିତ ନୁହଁନ୍ତି।
ତେବେ ଇକୋ-ରିଟ୍ରିଟ୍ ନାଁରେ ଘରୋଇ ସଂସ୍ଥାକୁ ପ୍ରତିବର୍ଷ କୋଟିକୋଟି ଟଙ୍କା ଟେକିଦେବା ବଦଳରେ ଇକୋ-ଟୁରିଜିମ୍ କ୍ଷେତ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ସବୁ ବର୍ଗର ପର୍ଯ୍ୟଟକମାନେ ତା’ର ଆନନ୍ଦ ନେଇପାରିବେ ବୋଲି ମତ ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।