ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ କି ଖରା ଛୁଟି ନିଷ୍ପତ୍ତି ? ବଢ଼ିବ କି ୧୧ ଦିନିଆ ଖରା ଛୁଟିର ଅବଧି? ଜୁନ୍ ବଦଳରେ ମେ’ ମାସରୁ ମିଳିବ କି ସ୍କୁଲ ଯିବାରୁ ନିସ୍ତାର । ଘରକୁ ଫେରିବା ବେଳେ ଅସହ୍ୟ ଖରା କୋପରେ ଛାତ୍ରଛାତ୍ରୀ କଳବଲ ହେଉଥିବା ବେଳେ ଏପରି ପ୍ରଶ୍ନ ଅଭିଭାବକଙ୍କ ମନକୁ ଆନ୍ଦୋଳିତ କରୁଛି । ଖରା ଛୁଟି ଅବଧି ବଢ଼ାଇବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ ପକ୍ଷରୁ ଦାବି ହେଉଥିବା ବେଳେ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି। ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ ।
ସେ କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ଜୁନ୍୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ । ହେଲେ ମେ’ ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି। ଏହାକୁ ନଜରରେ ରଖି ମେ’ ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହାଦ୍ୱାରା ଖରାର କୋପ ବଢ଼ିବା ଆଗରୁ ପିଲା ଘରେ ପହଞ୍ଚିଯିବେ ।
ଏହାସତ୍ତ୍ୱେ କିଛି ଅପ୍ରୀତିକର ପରିସ୍ଥିତି କିଛି ଉପୁଜିଲେ ନିଷ୍ପତ୍ତି ବଦଳା ଯାଇପାରେ । ବର୍ତ୍ତମାନ ଯାଏ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ସ୍କୁଲ ଚାଲୁ ରହିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ ଖରା ଛୁଟି ୫୦ ଦିନ ପର୍ଯ୍ୟନ୍ତ ହୋଇଥାଏ। ହେଲେ ଗତ ୨ ବର୍ଷ ହେବ କରୋନା ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି। ତେଣୁ ଚଳିତ ବର୍ଷ ଖରା ଛୁଟିକୁ ୫୦ ଦିନ ବଦଳରେ ୧୧ଦିନରେ ସୀମିତ ରଖାଯାଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକ ।
ଏହାବାଦ ଦଶମ, ଦ୍ୱାଦଶ ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନାର ପ୍ରଭାବ ସେଭଳି ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ସେ କହିଛନ୍ତି । ଏହି ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ। ଏଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ।
ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ କେବଳ ପଢ଼ାଯିବନି, ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
https://youtu.be/yl_4wJz30-s