Supreme Court (file pic)
ରାଜ୍ୟରେ ବହୁଚର୍ଚ୍ଚିତ ବେଆଇନ ଖଣି କାରବାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜୋରିମାନା ପାଇଁ ନିର୍ଦ୍ଦେଶକୁ ୮ବର୍ଷ ପୁରିଲାଣି । ମାତ୍ର ଖଣି ଲିଜଧାରୀଙ୍କଠୁ ୨୭୦୦କୋଟି ଟଙ୍କା ଆଦାୟ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି । ୨୦୧୮ ମସିହାରୁ କେବଳ ସାର୍ଟିଫିକେଟ୍ କେସ୍ ରୁଜୁ କରିଦେଇ ସରକାର ବସିଯାଇଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବୁଧବାର କଡ଼ା ଭାଷାରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ପାଇଁ ୮ସପ୍ତାହ ସମୟ ଦେବା ସହ ଜୋରିମାନା ଆଦାୟ କ୍ଷେତ୍ରରେ ଆଖିଦୃଶିଆ ପ୍ରଦର୍ଶନରେ ବିଫଳ ହେଲେ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଓଡ଼ିଶା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ,ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏ.ଜି.ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ‘କମନ କଜ୍’ ଦ୍ୱାରା ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବେଆଇନ ଖଣି ଖନନ କରିଥିବା ଲିଜଧାରୀଙ୍କଠୁ ଧାର୍ଯ୍ୟ ଜୋରିମାନା ରାଶି ଆଦାୟ କରିବାରେ ଓଡ଼ିଶା ସରକାରଙ୍କ ବିଳମ୍ବକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ବକେୟା ଅର୍ଥ ଆଦାୟ ପାଇଁ ରାଜ୍ୟ ସରକାର ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ(Supreme Court) ର ତତକାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ୨୦୧୭ ଅଗଷ୍ଟ ୨ତାରିଖରେ ଏକ ଐତିହାସିକ ରାୟ ଦେଇ ନିର୍ଦ୍ଧାରିତ ସୀମା ବାହାରେ ଓ ପରିବେଶ ଅନୁମୋଦନ ବିନା ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କଠୁ ପ୍ରାୟ ୧୭୫୦୦କୋଟି ଟଙ୍କାରୁ ଅଧିକ ଅର୍ଥ ଜୋରିମାନା ଭାବେ ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ସରକାର ଓ ଖଣି ସଂସ୍ଥା ମଧ୍ୟରେ ସମ୍ଭାବ୍ୟ ଷଡ଼ଯନ୍ତ୍ରର ଅଭିଯୋଗ କଲେ ପ୍ରଶାନ୍ତ ଭୂଷଣ
ସୂଚନା ଅନୁସାରେ, ଆବେଦନକାରୀ ‘କମନ କଜ’ର ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ି କହିଥିଲେ ଯେ, ଓଡ଼ିଶା ସରକାର ଏହି ଖିଲାପୀ ଖଣି(Illegal Mining Case) ଲିଜଧାରୀଙ୍କଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୭୦୦ କୋଟି ଟଙ୍କା ଆଦାୟ କରିପାରିନାହାନ୍ତି । ଯଦି ଏହା ସହ ୮ବର୍ଷର ବକେୟା ସୁଧକୁ ହିସାବକୁ ନିଆଯିବ ତାହା ୫ହଜାର କୋଟି ଟଙ୍କା ଛୁଇଁବ । ସେ ବ୍ୟବସ୍ଥାଗତ ନିଷ୍କ୍ରିୟତା ଏବଂ ରାଜ୍ୟ ସରକାର ଓ ଖଣି ସଂସ୍ଥା ମଧ୍ୟରେ ସମ୍ଭାବ୍ୟ ଷଡ଼ଯନ୍ତ୍ରର ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ୨୦୧୭ ଡିସେମ୍ବର ୩୧ତାରିଖ ସୁଦ୍ଧା ଏହି ବକେୟା ରାଶି ଆଦାୟ କରିବା ପାଇଁ କୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ ମଧ୍ୟ ଏହି ଅର୍ଥ ଆଦାୟ ହୋଇପାରି ନାହିଁ । ଯାହାକି ରାଜ୍ୟର ବ୍ୟବସ୍ଥା ବେଆଇନ ଖଣି ସଂସ୍ଥାମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି ସେ ଯୁକ୍ତି ବାଢ଼ିଥିଲେ । ଖିଲାପୀ ଖଣି ଲିଜଧାରୀଙ୍କ ବିରୁଦ୍ଧରେ ୨୦୧୮ ମସିହାରୁ ରାଜସ୍ୱ ଆଦାୟ ଅଧିନିୟମ (ରେଭେନ୍ୟୁ ରିକଭରି ଆକ୍ଟ) ଅନୁଯାୟୀ ସାର୍ଟିଫିକେଟ୍ କେସ୍ ରୁଜୁ ହୋଇଥିଲେ ମଧ୍ୟ ଏହି ଅର୍ଥ ଆଦାୟ ପାଇଁ କୌଣସି "ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଇ ନାହିଁ ବୋଲି ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିବା ଜଣାପଡ଼ିଛି ।
କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱସ୍ତ କଲେ ଏଜି , ୮ସପ୍ତାହର ମହଲତ ଦେଲେ କୋର୍ଟ
ସୁପ୍ରିମକୋର୍ଟ ଖଣ୍ଡପୀଠ ଆଜି ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତୁରନ୍ତ ସୁଧାରମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟଙ୍କୁ ଆଶ୍ୱସ୍ତ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ଏହି ମାମଲାରେ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବେ ଓ ସମସ୍ତ ଆଇନଗତ ପଦକ୍ଷେପ ନିଆଯିବା ସୁନିଶ୍ଚିତ କରାଇବେ ବୋଲି କହିଥିଲେ । ଏହାସହିତ ଅଧିକ ସମୟ ଲୋଡ଼ିଥିଲେ । ତେବେ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ କରିବା ନିମନ୍ତେ କହିବା ସହ ରାଜ୍ୟ ସରକାର ଏହି ଅର୍ଥ ଆଦାୟ ପାଇଁ ନେଇଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ଯଥା- ସମ୍ପତ୍ତି ଜବତ, ନିଲାମ ଓ ଅନ୍ୟାନ୍ୟ ବାଧ୍ୟତାମୂଳକ ପଦକ୍ଷେପଗୁଡ଼ିକର ବିବରଣୀର ରେକର୍ଡକୁ କୋର୍ଟରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ଆଦାୟରେ ଉଲ୍ଲେଖନୀୟ ଅଗ୍ରଗତି ନହୁଏ , କୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିବେ ବୋଲି ଚେତାଇ ଦେଇଥିବା ଜଣାପଡ଼ିଛି ।
୮ବର୍ଷ ବିତିଲା, ୧୫ ଖିଲାପୀ ଖଣି ଟଙ୍କାଟିଏ ଦେଇନାହାନ୍ତି
ରାଜ୍ୟ(Odisha) ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା ଗତମାସରେ ବିଧାନସଭାରେ ଦେଇଥିବା ଲିଖିତ ସୂଚନା ଅନୁସାରେ, ୭ଜଣ ଖଣି ଲିଜଧାରୀ ଆଂଶିକ ଅର୍ଥ ଦେଇଥିବାବେଳେ ଅନ୍ୟ ୧୫ଜଣ ଲିଜଧାରୀ ଟଙ୍କାଟିଏ ବି ଦେଇନାହାନ୍ତି । ଏହି ଅନାଦେୟ ଅର୍ଥ ଆଦାୟ ପାଇଁ ଜିଲ୍ଲାପାଳମାନେ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ସାର୍ଟିଫିକେଟ୍ ମାମଲା ଦାଏର କରାଯାଇଛି । ଯାହା ଏବେବି ବିଚାରାଧୀନ ରହିଛି । ଖଣି ଲିଜଧାରୀ ବି.କେ. ମହାନ୍ତି (ଉଲିବୁରୁ ଲୁହା ଖଣି) ସର୍ବାଧିକ ୩୮୪.୭୪ କୋଟି ଟଙ୍କା ବାକି ରଖିଛନ୍ତି। ଟି.ବି. ଲାଲ୍ କୋ ଉପରେ ଜାଜାଙ୍ଗ ଲୁହା ଖଣି ପାଇଁ ୯୩.୦୩ କୋଟି ଏବଂ କାସିଆ-କୋଲହା-ବାରପଡା ଖଣି ପାଇଁ ୬ ଲକ୍ଷ ୩୧ ହଜାର ବାକି ରହିଛି, ଉଭୟ ଲିଜ୍ କ୍ଷେତ୍ରରେ କୌଣସି ଆଦାୟ ହୋଇନାହିଁ। ସେହିପରି, ଏଚ.ଜି. ପାଣ୍ଡ୍ୟା ଏବଂ ଅନ୍ୟାନ୍ୟ (ଜାଜାଙ୍ଗ ଲୁହା ଖଣି) ଉପରେ ୮୬.୪୧ କୋଟି , ଓ.ଏମ୍.ଏମ୍. (ପି) ଲିମିଟେଡ୍ (ଓରାହୁରି ମାଙ୍ଗାନିଜ୍ ଖଣି) ଉପରେ ୮୦.୬୫ କୋଟି ମୂଳ ରାଶି ଅନାଦେୟ ରହିଛି। ଅନ୍ୟ ପ୍ରମୁଖ ବକେୟା ଥିବା ଲିଜ୍ଧାରୀମାନେ ହେଲେ: ଭଞ୍ଜା ମିନେରାଲ୍ସ (ପି) ଲିମିଟେଡ୍ (ଇଙ୍ଗାନିଜରଣ ଲୁହା ଖଣି) ଉପରେ ୭୩.୦୯ କୋଟି, ଅର୍ଜୁନ ଲୋଧା (ବାଲାଗୁଣ୍ଡା ଲୁହା ଓ ମାଙ୍ଗାନିଜ୍ ଖଣି) ଉପରେ ୬୩.୪୨ କୋଟି, ବି.କେ. ଦାସ (କାସିଆବେଡା ଲୁହା ଖଣି)ଙ୍କ ଉପରେ ୩୫.୪୦ କୋଟି , ଜେନିଥ୍ ମାଇନିଂ (ପି) ଲିମିଟେଡ୍ (ଗୋନୁଆ ଲୁହା ମାଙ୍ଗାନିଜ୍ ଖଣି)ଙ୍କ ଉପରେ ୩୪.୮୫ କୋଟି ବାକି ରହିଛି। ଏହା ବ୍ୟତୀତ ବାସୁଦେବ ଅଗ୍ରୱାଲ (ଉରମୁଣ୍ଡା ଲୁହା ଖଣି)ଙ୍କର ୮.୪୮ କୋଟି, ଜେ.କେ. ଚୌବେ ବୁଢ଼ାରାଜାପାହାଡ଼ ଖଣି ପାଇଁ ୭.୮୩ କୋଟି ଓ ପୁରୁଣାପାଣି-ଭୁୟାଁବସା ଖଣି ପାଇଁ ୩.୩୬ କୋଟି, ଓ.ଏମ୍.ଏମ୍. (ପି) ଲିମିଟେଡ୍ ଭଞ୍ଜକୁସୁମ ମାଙ୍ଗାନିଜ୍ ଖଣି ପାଇଁ ୩.୦୮ କୋଟି, ବି.ଏସ୍. ମିଶ୍ର (କଣ୍ଠେର କୋଇରା ଖଣି) ୨.୧୦ କୋଟି ଏବଂ ଏସ.ଏନ. ଦାସମହାପାତ୍ର (କୋଲହା ରୁଡକେଲା ମାଙ୍ଗାନିଜ୍ ଖଣି) ଉପରେ ୪.୮୩ କୋଟି ବାକି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us