Advertisment

Election Bugle in Odisha: ପୁରୀ,ସମ୍ବଲପୁର ମହାନଗର ସମେତ ୩୫ ନୂଆ ପୌର ସଂସ୍ଥାରେ ହେବ ଭୋଟ୍ , ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

୨୦୨୬ ଜୁନ୍ ସୁଦ୍ଧା ନବଗଠିତ ପୌରାଂଚଳଗୁଡ଼ିକରେ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସମୟସୀମା ଧାର୍ଯ୍ୟ କରିଥିବାରୁ ଏବେ ରାଜ୍ୟ ସରକାର ଏସବୁ ପୌରାଂଚଳରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

author-image
Prakaash Sethi
Muncipality

ସମ୍ବଲପୁର ମହାନଗର ନିଗମ ସମେତ ନବଗଠିତ ପୁରୀ ମହାନଗର ନିଗମ ଓ ୩୫ଟି ପୌରାଂଚଳରେ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟର ବିଜେପି ସରକାର ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଥମଥର ପାଇଁ ପୌର ନିର୍ବାଚନ ମାଧ୍ୟମରେ ନିଜର ଲୋକପ୍ରିୟତା ପରଖିବାକୁ ପଦକ୍ଷେପ ନେଇଛନ୍ତି । ୨୦୨୬ ଜୁନ୍ ସୁଦ୍ଧା ନବଗଠିତ ପୌରାଂଚଳଗୁଡ଼ିକରେ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସମୟସୀମା ଧାର୍ଯ୍ୟ କରିଥିବାରୁ ଏବେ ରାଜ୍ୟ ସରକାର ଏସବୁ ପୌରାଂଚଳରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Advertisment

ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ସୀମା ନିର୍ଦ୍ଧାରଣ ବା ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ୨୦୨୨ ମସିହାରେ ହୋଇଥିବା ୧୦୯ଟି ପୌରାଂଚଳର କାର୍ଯ୍ୟକାଳ ଆସନ୍ତା ୨୦୨୭ ଏପ୍ରିଲରେ ଶେଷ ହେଉଥିବାରୁ ସେସବୁ ପୌର ସଂସ୍ଥାରେ ଏକସଙ୍ଗେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି ।


୧୧ତାରିଖ ସୁଦ୍ଧା ପୁରୀ ଓ ସମ୍ବଲପୁର ମହାନଗରର ସୀମା ନିର୍ଦ୍ଧାରଣ ତଥ୍ୟ 

ମୋହନ ମାଝୀଙ୍କ ସରକାର ଐତିହ୍ୟ ସହର ପୁରୀକୁ ମହାନଗର ନିଗମର ମାନ୍ୟତା ଦେଇସାରିଛନ୍ତି । ସେହିପରି ସମ୍ବଲପୁର ମହାନଗର ନିଗମରେ ପୂର୍ବରୁ ଲାଗି ରହିଥିବା ଆଇନଗତ ବିବାଦ ଏବେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ସମାଧାନ ହୋଇଛି । ଏହି ଦୁଇ ମହାନଗର ନିଗମ ପାଇଁ ୱାର୍ଡ ବିଭାଜନ ଓ ସଂରକ୍ଷଣ ତଥ୍ୟ ଚଳିତମାସ ୧୧ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତଥ୍ୟ ମିଳିବା ପରେ ଏହାର ଚିଠା ବିଜ୍ଞପ୍ତି ଫେବୃଆରୀ ୨୧ରେ ପ୍ରକାଶ ପାଇବ ଓ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଦାଖଲ କରିପାରିବେ । ଏହି ସମସ୍ତ ପ୍ରକ୍ରିୟା ୨୦୧୧ ଜନଗଣନା ତଥ୍ୟ ଆଧାରରେ କରାଯିବ । 

Advertisment

୨୮ଟି ନୂଆ ଏନଏସି ଓ ୭ଟି ମ୍ୟୁନିସପାଲଟିରେ ସୀମା ନିର୍ଦ୍ଧାରଣ

ରାଜ୍ୟ ସରକାର ୨୮ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ଓ ୭ଟି ନୂଆ ମ୍ୟୁନିସିପାଲିଟି ଗଠନ କରିଥିବାବେଳେ ଏଠାରେ ନିର୍ବାଚନ ପ୍ରକ୍ରିୟା ଚଳିତବର୍ଷ ଜୁନ୍ ସୁଦ୍ଧା ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଆଜି ଜିଲ୍ଲାପାଳମାନଙ୍କୁ ୱାର୍ଡ ସୀମା ନିର୍ଦ୍ଧାରଣ କରିବାକୁ କହିଛନ୍ତି । ଏହି ନୂତନ ଅଂଚଳଗୁଡ଼ିକ ପାଇଁ ଫେବୃଆରୀ ୧୨ରେ ଚିଠା ବିଜ୍ଞପ୍ତି ଓ ଫେବୃଆରୀ ୨୬ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ । ଯଦି କେହି ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରୁହନ୍ତି, ତେବେ ସେମାନେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୩ତାରିଖ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ୍ କରିପାରିବେ । ଏହି ନୂତନ ୩୫ଟି ପୌରସଂସ୍ଥା ବ୍ୟତୀତ, ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ରେ ମଧ୍ୟ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହୋଇନଥିବାରୁ ସେଠାରେ ମଧ୍ୟ ନୂଆ କରି ନିର୍ବାଚନ କରାଯିବ।ସେହିପରି ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ପରିସୀମା ବୃଦ୍ଧି ହୋଇଥିବାରୁ ସେଠାରେ ମଧ୍ୟ ନୂତନ ଭାବେ ୱାର୍ଡ ପୁନର୍ଗଠନ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବୌଦ୍ଧଗଡ଼ (ବୌଦ୍ଧ) ଓ କରଞ୍ଜିଆ(ମୟୂରଭଞ୍ଜ) ସମେତ ଗଞ୍ଜାମ ଜିଲ୍ଲାର ଆସିକା,ଭଞ୍ଜନଗର, ଛତ୍ରପୁର,କବିସୂର୍ଯ୍ୟନଗର ଓ ପୋଲସରାକୁ ରାଜ୍ୟ ସରକାର ମ୍ୟୁନିସପାଲଟି ମାନ୍ୟତା ଦେଇଛନ୍ତି ।

ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଓ ନିର୍ବାଚନ ପ୍ରସ୍ତୁତି 

ଏହି ନୂଆ ପୌର ସଂସ୍ଥାଗୁଡ଼ିକରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ସରକାର ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ଫେବୃଆରୀ ୧୨ରୁ ଏଥିପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯିବ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ସେଠାରେ ଭୋଟର ତାଲିକା ପ୍ରସ୍ତୁତ କରିବେ ଓ ୨୦୨୬ ମସିହାରେ ହିଁ ଏସବୁ ନୂଆ ପୌରାଂଚଳଗୁଡ଼ିକରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି ।

ପରିସୀମା ବୃଦ୍ଧି ଓ ମେୟର ପଦବୀ ସଂରକ୍ଷଣ

ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ପରିସୀମା ବୃଦ୍ଧି କରାଯାଇ ନୂଆ ଗାଁଗୁଡ଼ିକୁ ସାମିଲ କରାଯାଇଥିବାରୁ ସେଠାରେ ମଧ୍ୟ ୱାର୍ଡ ପୁନର୍ଗଠନ ଆବଶ୍ୟକ ହୋଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ମହାନଗର ନିଗମର ମେୟର ପଦବୀ ଓ ବିଭିନ୍ନ ପୌରାଂଚଳର ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପ୍ରକ୍ରିୟା ମଧ୍ୟ ସରକାରୀସ୍ତରରେ ଶେଷ କରାଯିବ । ରାଜ୍ୟ ନିର୍ବାଚନ କମିଶନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଓ ମତଦାନ କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସହଜ ହୋଇପାରିବ ବୋଲି ଜଣାପଡ଼ିଛି । ରାଉରକେଲା ମହାନଗର ନିଗମର କିଛି ୱାର୍ଡରେ ମାମଲା ବିଚାରଧୀନ ଥିବାରୁ ସେଠାରେ ସ୍ଥିତି ଅନୁଧ୍ୟାନ କରାଯାଉଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।