ରାଜ୍ୟରେ ଇଲେକ୍ଟ୍ରିକ ଗାଡ଼ି ବିକ୍ରି ବୃଦ୍ଧି ଓ ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସୁଧମୁକ୍ତ ଅଗ୍ରୀମ ଅର୍ଥ ପ୍ରଦାନ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଜି ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଅବଗତ କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବିନାସୁଧରେ ଇଲେକ୍ଟ୍ରିକ ଗାଡ଼ି ଅଗ୍ରିମ ଯୋଜନାର ସମୟସୀମା ୨୦୨୫ ଡିସେମ୍ବର ୩୧ରେ ଶେଷ ହୋଇଥିଲା । କିନ୍ତୁ ଓଡ଼ିଶା ଇଲେକ୍ଟ୍ରିକ ଗାଡ଼ି ନୀତି-୨୦୨୧ର ଅବଧିକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।
ଆବେଦନ ପାଇଁ ଧାର୍ଯ୍ୟ ହେଲା ଶେଷ ତାରିଖ
୨୦୨୫-୨୬ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ ଅର୍ଥ ବିଭାଗ ପକ୍ଷରୁ ଏହି ନୂତନ ସମୟସୀମା ଜାରି କରାଯାଇଛି । ରାଜ୍ୟ ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ଇଲେକ୍ଟ୍ରିକ ଗାଡ଼ି କିଣିବା ପାଇଁ ସରକାରଙ୍କଠାରୁ ବିନା ସୁଧରେ ଟଙ୍କା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଫେବୃଆରୀ ୨୮ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ଏହାପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ।
ପ୍ରଶାସନିକସ୍ତରରେ ଏହି ଅଗ୍ରିମ ରାଶିର ମଞ୍ଜୁରୀ ଓ ପାଣ୍ଠି ପ୍ରଦାନ ପ୍ରକ୍ରିୟା ମାର୍ଚ୍ଚ ୧୦ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ଏହି ଯୋଜନାର ଅନ୍ୟ ସମସ୍ତ ନିୟମ ଓ ସର୍ତ୍ତାବଳୀ ପୂର୍ବଭଳି ଅପରିବର୍ତ୍ତିତ ରହିବ ବୋଲି ସ୍ପଷ୍ଟ କରାଯାଇଛି ।
୩୪୦କୋଟି ଟଙ୍କାର ସବସିଡି ଦେଲେଣି ସରକାର
ଓଡ଼ିଶା ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଦେଇଥିବା ତଥ୍ୟ ଅନୁସାରେ ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୨.୧୯ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ ଗାଡ଼ି ପଞ୍ଜିକୃତ ହୋଇଛି । ଏହି ଗାଡ଼ିଗୁଡ଼ିକ ପାଇଁ ସରକାର ପ୍ରାୟ ୩୪୦.୯୫ କୋଟି ଟଙ୍କାର ସବସିଡି ପ୍ରଦାନ କରିସାରିଛନ୍ତି । ଏହି ମୋଟ ପଞ୍ଜିକୃତ ଗାଡ଼ି ମଧ୍ୟରେ ସରକାରୀ ବିଭାଗଗୁଡ଼ିକ ପାଖରେ ପ୍ରାୟ ୬୮୦ଟି ଇଲେକ୍ଟ୍ରିକ ଗାଡ଼ି ରହିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧୭,୮୨୪ଟି ଦୁଇଚକିଆ ଇଲେକ୍ଟ୍ରିକ ଗାଡ଼ି ପଞ୍ଜିକୃତ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୫,୫୩୬ରେ ପହଂଚିଛି । ସେହିପରି ଚାରିଚକିଆ ଗାଡ଼ି ୨୦୨୨-୨୩ରେ ମାତ୍ର ୩୮୬ ଥିବାବେଳେ ୨୦୨୪-୨୫ରେ ୨୭୪୨କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us