/odisha-reporter/media/media_files/2026/03/04/baripada-elephant-2026-03-04-08-57-13.jpg)
Representative Image
ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜର ଭରଦୁଶୋଳ ଗାଁରେ ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲକ୍ଷ୍ମଣ ମାରାଣ୍ଡି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଲକ୍ଷ୍ମଣ ଶୌଚ ହେବା ପାଇଁ ଘର ପଛ ପଟେ ଥିବା ବିଲକୁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ମାରି ଦେଇଥିବା ବେଳେ ଆଜି ସକାଳେ ଗ୍ରାମବାସୀ ତାଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗତ କିଛି ଦିନ ହେଲାଣି ରାସଗୋବିନ୍ଦପୁର ରେଞ୍ଜର ବିଭିନ୍ନ ଅଞ୍ଚଳରେ ୫/୬ଟି ହାତୀ ଏ ଗାଁରୁ ସେ ଗାଁ ବୁଲୁଥିବା ବେଳେ ବ୍ୟାପକ ଧନ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀଗୂଡ଼ିକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଗତକାଲି ବାରିପଦା ବନଖଣ୍ଡର ଦେଉଳି ରେଞ୍ଜ କୁଳିଅଣା ବ୍ଲକରେ ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ଦେଇଥିଲା। ସେହିପରି ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ମାରି ଦେଇଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଝିଅ ସହିତ ଚାଲି ଚାଲି ନିକଟସ୍ଥ ଗାଁକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ସେତିକି ବେଳେ ବାପଝିଅ ଗଛରେ ଚଢ଼ି ଯାଇଥିଲେ।
ସୂଚନାଯୋଗ୍ୟ, ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ତା’ ସହିତ ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ଏଥର ବଜେଟ୍ ଅଧିବେଶନରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଲିଖିତ ଉତ୍ତର ଦେଇଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
