ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ରଘୁନାଥ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ […]

raghu-nath-mohapatra

raghu-nath-mohapatra

Subhransu Sekhar
  • Published: Sunday, 09 May 2021
  • Updated: 09 May 2021, 08:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ରଘୁନାଥ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

ପଥର କାମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ରଘୁନାଥ ମହାପାତ୍ରଙ୍କ ପୁଅଙ୍କ ସହିତ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।

ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ୧୯୪୩ ମସିହା ମାର୍ଚ୍ଚ ୨୩ତାରିଖରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ । ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡି ପଥରରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ । ୧୮ ବର୍ଷ ବୟସରେ ସେ ପୁରୀ ଛାଡ଼ି, ଭୁବନେଶ୍ୱର ଚାଲି ଆସିଥିଲେ । ଆଉ ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ ।

ଖୁବ କମ ବୟସରୁ ପ୍ରତିଷ୍ଠାଲାଭ କରିଥିବା ରଘୁନାଥ ମହାପାତ୍ରଙ୍କୁ ୧୯୭୬ ମସିହାରେ ମାତ୍ର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ବିଜେଡ଼ି ସମର୍ଥନରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତେବେ ଗତ ବର୍ଷ ତାଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ। ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଭାବେ ଜଣାଶୁଣା ଥିଲେ।

ସେ ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀ ଗ୍ରାମ ଓ "ରଘୁନାଥ କ୍ରାଫ୍ଟସ୍"ର ପ୍ରତିଷ୍ଠାତା ଥିଲ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୂଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ଭାରତ ସାରା ଅନେକ ମନ୍ଦିର ନିର୍ମାଣ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାର  ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ।

ତେବେ ସେ ଗଢ଼ିଥିବା ବିରଳ କୃତିତ୍ୱ ମଧ୍ୟରେ ରହିଛି ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା,  କଟକ ବାରବାଟୀ ଷ୍ଟାଡିୟମରେ ୧୨ଫୁଟର କୋଣାର୍କ ଘୋଡ଼ା, ଭୁବନେଶ୍ୱର ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ଟିଟଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର, ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିର , ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି, ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି ଓ  ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos