Advertisment

କରୋନା ନେଲା ଆଉ ଜଣେ ଓଡ଼ିଆ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ। କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇଂରାଜୀ ଦୈନିକ The Common Timesର ସମ୍ପାଦକ ସତ୍ୟଜିତ ମହାପାତ୍ର। ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେସା ଭାବେ ଆପଣାଇଥିଲେ। ଏବେ ଭୁବନେଶ୍ୱରରୁ ପ୍ରକାଶିତ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କରୋନା ନେଲା ଆଉ ଜଣେ ଓଡ଼ିଆ ସାମ୍ବାଦିକଙ୍କ ଜୀବନ

satyajit-mahapatra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ। କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଇଂରାଜୀ ଦୈନିକ The Common Timesର ସମ୍ପାଦକ ସତ୍ୟଜିତ ମହାପାତ୍ର। ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେସା ଭାବେ ଆପଣାଇଥିଲେ। ଏବେ ଭୁବନେଶ୍ୱରରୁ ପ୍ରକାଶିତ 'ଦ କମନ ଟାଇମ୍ସ' ଇଂରାଜୀ ଖବରକାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ସତ୍ୟଜିତ। ଏହା ପୂର୍ବରୁ ସେ 92.7 ବିଗ୍ ଏଫଏମ ଓ ତରଙ୍ଗ ଟିଭିର ପ୍ରୋଗ୍ରାମିଂ ମୁଖ୍ୟ ଥିଲେ। ତାଙ୍କ ସମୟରେ 92.7 ବିଗ୍ ଏଫଏମ ବେଶ୍ ଲୋକପ୍ରିୟ ହୋଇପାରିଥିଲା।

ତରଙ୍ଗ ଟିଭିରେ ଅନେକ ପ୍ରୋଗ୍ରାମର ସୂତ୍ରଧର ଥିଲେ ସତ୍ୟଜିତ। ଏହା ପୂର୍ବରୁ ଓଟିଭିରେ ପ୍ରୋଗ୍ରାମ ପ୍ରଡ୍ୟୁସର ଭାବେ କାମ କରିଥିଲେ। ଓଟିଭିରେ ପ୍ରସାରିତ ହେଉଥିବା 'ଦ ଗ୍ରେଟ୍ ଓଡିଶା ପଲିଟିକାଲ ସର୍କସର' ପ୍ରଡ୍ୟୁସର ଭାବରେ ତାଙ୍କର ସୁଖ୍ୟାତି ରହିଥିଲା। ୨୦୦୮ରୁ ୨୦୧୫ ଯାଏ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରଯୋଜକ ଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କରିଥିବା ସତ୍ୟଜିତ ପ୍ରୋଗ୍ରାମିଂ କ୍ଷେତ୍ରରେ ତାଙ୍କର ନୂଆ ନୂଆ ଚିନ୍ତାଧାରା ପାଇଁ ବେଶ ପରିଚିତ ଥିଲେ। ଓଟିଭି ପୂର୍ବରୁ ଇଟିଭିରେ ମଧ୍ୟ ସେ ଆସିଷ୍ଟାଣ୍ଟ ପ୍ରଡ୍ୟୁସର ଭାବରେ କିଛି ବର୍ଷ କାମ କରିଥିଲେ।

Advertisment

ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ୱରରେ କରୋନା ଟିକାର ଦୁଇଟି ଯାକ ଡୋଜ ନେଇଥିଲେ। ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ତ୍ରୀ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ମାତ୍ର ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତର ନର୍ସଙ୍କ ସମସ୍ତ ଚେଷ୍ଟା ଆଜି ବିଫଳ ହୋଇଥିଲା। ସତ୍ୟଜିତଙ୍କ ଦେହାନ୍ତରେ ସାମ୍ବାଦିକ ଜଗତ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।