/odisha-reporter/media/media_files/2026/02/19/odisha-2026-02-19-16-38-45.jpg)
ଯୋଜନା ବୋର୍ଡ
ରାଜ୍ୟ(Odisha)ରେ 1998ରେ ଏକ ସଂକଳ୍ପକ୍ରମେ ରାଜ୍ୟ ସ୍ତର ଯୋଜନା ପ୍ରଣୟନ ପାଇଁ ଗଢ଼ାଯାଇଥିଲା ରାଜ୍ୟ ଯୋଜନା ବୋର୍ଡ (State Planning Board)। ଠିକ୍ ସେହି ବର୍ଷ ଓଡ଼ିଶା ଜିଲ୍ଲା ଯୋଜନା କମିଟି ଆଇନ ଆଣି ପ୍ରତି ଜିଲ୍ଲା ପାଇଁ ଗଢ଼ାଯାଇଥିଲା ଜିଲ୍ଲା ଯୋଜନା କମିଟି (District Planning Committees)।
ବିଜେଡି ସରକାର ଯିବା ପରେ ଗତ ପ୍ରାୟ 20 ମାସ ହେଲା ଆସିଲାଣି ବିଜେପି ସରକାର। ହେଲେ ଇତିମଧ୍ୟରେ ରାଜ୍ୟ ସରକାର ନା ରାଜ୍ୟ ଯୋଜନା ବୋର୍ଡ ଗଢ଼ିପାରିଲେ ନା ପ୍ରତି ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି।
ଗୁରୁବାର ବିଧାନସଭାରେ ବିଧାୟକ ଅରୁଣ କୁମାର ସାହୁ ଓ ସୀତାଂଶୁ ଶେଖର ମହାପାତ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶାଇଛନ୍ତି- ‘ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ସରକାରଙ୍କ ବିଚାରାଧୀନ ରହିଛି। ଏଥିସହିତ ଏହାର ଉପାଧ୍ୟକ୍ଷଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ନିୟମାନୁସାରେ ଜାରି ରହିଛି।’
ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାରରେ 25 ବର୍ଷରେ ରାଜ୍ୟ ଯୋଜନା ବୋର୍ଡ କେବଳ ଦୁଇ ଥର ବସିଥିଲା। 2003 ମେ ମାସରେ ଥରେ ଓ ଆଉ ଥରେ 2007 ମସିହା ଅକ୍ଟୋବର ମାସରେ। ଯୋଜନା ବୋର୍ଡ ବୈଠକର ଅଧ୍ୟକ୍ଷ ଭାବେ ନବୀନ ବାବୁ 17 ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକରେ ବସିନଥିବାରୁ ବିରୋଧୀ ଦଳ ତାର ସମାଲୋଚନା କରିଥିଲେ।
ନବୀନ ପଟ୍ଟନାୟକଙ୍କ ସରକାରରେ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ପଦରେ ମନ୍ତ୍ରୀମାନଙ୍କ ପରିବର୍ତ୍ତେ ବିଧାୟକମାନଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟାରେ ରଖାଯାଇଥିଲା। ମାତ୍ର ସେ ସବୁ ଅଚଳ ହୋଇଯିବାରୁ ଏବେ ଜିଲ୍ଲାର ଚିଠା ବିକାଶ ଯୋଜନାକୁ ଅନୁମୋଦନ କରାଯାଇପାରୁନାହିଁ। ଜିଲ୍ଲା ସ୍ତରରେ କେଉଁ ବଳକା ପ୍ରକଳ୍ପକୁ କ୍ରିଟିକାଲ ଗ୍ୟାପ୍ ଫଣ୍ଡରେ କରିହେବ ତାର ତାଲିକା ବି ଅନୁମୋଦନ ହୋଇପାରୁନାହିଁ। ଏ ନେଇ ପୂର୍ବରୁ ବିଧାନସଭାରେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ।
ଜିଲ୍ଲା ଯୋଜନା କମିଟିଗୁଡ଼ିକର ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଯୋଜନାକୁ ନେଇ ରାଜ୍ୟ ଯୋଜନା ବୋର୍ଡ ରାଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଥାଏ। ସମୟାନୁକ୍ରମେ ରାଜ୍ୟରେ ଓ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସମୀକ୍ଷା ଓ ମୂଲ୍ୟାୟନ ଓ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥାଏ।
ରାଜ୍ୟର ଦୃତ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ଓ ଜିଲ୍ଲାମାନଙ୍କର ଯୋଜନା ଓ ଉନ୍ନୟନ ସମ୍ପର୍କିତ ସମସ୍ତ ବିଷୟରେ ସରକାରଙ୍କୁ ପରାମର୍ଶ ଦେଇଥାଏ। 2014ରେ କେନ୍ଦ୍ର ସରକାର ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଢ଼ିଥିଲେ। ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇପାରିନାହାନ୍ତି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
