
ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ରାତି ୮ଟା ୫୦ମିନିଟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେ ଗତ ୩ବର୍ଷ ଧର ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସମଗ୍ର ସମ୍ବଲପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଦୁବାଇରେ ଥିବା ତାଙ୍କ ଦୁଇଭାଇ ଫେରିବା ପରେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଶେଷସମୟ ପର୍ଯ୍ୟନ୍ତ ମାନସିକସ୍ତରରେ ଅତ୍ୟନ୍ତ ଆକ୍ଟିଭ ଥିଲେ। ନିଜର ଇଚ୍ଛା ମୁତାବକ ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ନିଜ ଘରେ ରହିଥିଲେ ଓ ଡାକ୍ତରମାନେ ମଧ୍ୟ ତାଙ୍କର ଶେଷ ଇଚ୍ଛାକୁ ସମ୍ମାନ ଦେଇ ତାଙ୍କୁ ତାଙ୍କ ଘରେ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ନିଜ ଚିକିତ୍ସା ପାଇଁ କୌଣସି ପ୍ରକାରର କଷ୍ଟଦାୟକ ଯାନ୍ତ୍ରିକ ଚିକିତ୍ସା(ଭେଣ୍ଟିଲେଟର) ଅବା ଅନ୍ୟ କିଛି ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ରବିବାର ପର୍ଯ୍ୟନ୍ତ ସେ ସମସ୍ତଙ୍କ ସହ କଥାବର୍ତ୍ତା ଓ ଖାଦ୍ୟପେୟ କରିଥିଲେ ବୋଲି ଜଣାପଡ଼ିଛି।
ଡାକ୍ତର ପାଣିଗ୍ରାହୀ ୨୦୧୪ ମସିହାରେ ବିଜେଡି ଟିକେଟରେ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ କେବଳ ରାଜନୀତି ନୁହେଁ ଜଣେ ଦକ୍ଷ ସ୍ତ୍ରୀରୋଗ ବିଶେଷଜ୍ଞ ଓ ଶିକ୍ଷୟିତ୍ରୀ ଭାବେ ସମ୍ବଲପୁର ଅଂଚଳରେ ପରିଚିତ ଥିଲେ। ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲେ।
ସେ ପୂର୍ବତନ ବିଧାୟିକା ଭାବେ ପାଉଥିବା ପେନସନକୁ ଗରିବ ପିଲାମାନଙ୍କୁ ପାଠ ପଢ଼ାଇବାରେ ଖର୍ଚ୍ଚ କରୁଥିଲେ। ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହ ମଧ୍ୟ ଜଡ଼ିତ ରହି ସମ୍ବଲପୁରର ବିକାଶ ପାଇଁ କାର୍ଯ୍ୟ କରୁଥିଲେ।
ତାଙ୍କର ମୃତ୍ୟୁ ସମୟରେ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ତାଙ୍କ ଦୁଇଭାଇ ଦୁବାଇରେ ରହୁଥିବାବେଳେ ସେମାନେ ଆସନ୍ତାକାଲି ଫେରିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
