/odisha-reporter/media/media_files/2026/02/07/bjd-2026-02-07-20-16-57.jpg)
ପୀତାମ୍ବର ଓ ନବୀନ (ଫାଇଲ ଫଟୋ)
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ(Pitambar Acharya) କଡ଼ା ଜବାବ ଦେଇଛନ୍ତି। ସୋଶାଲ ମିଡିଆ ସାଇଟ୍ ଏକ୍ସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ଜବାବ ଦେଇଛନ୍ତି।
ଏଜି ଲେଖିଛନ୍ତି, ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ। ୭ ବର୍ଷ ଧରି ନବୀନଙ୍କ ଲିଗାଲ୍ ଟିମ୍ ରାଜ କୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି। କେନ୍ଦ୍ରର ହସ୍ତକ୍ଷେପ ଯୋଗୁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ ରହିଛନ୍ତି।
AG ଦାୟିତ୍ୱ ପରେ ସମସ୍ତ ଶୁଣାଣିରେ ସେ ଖୋଦ୍ ଉପସ୍ଥିତ ରହିଛନ୍ତି। ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଯେଉଁଥିରେ ତାଙ୍କ ଉପସ୍ଥିତିର ଆଦୌ ଆବଶ୍ୟକ ନଥିଲା ବୋଲି କହିଛନ୍ତି AG ପୀତାମ୍ବର ଆଚାର୍ଯ୍ୟ। ନବୀନ ବାବୁଙ୍କ ଉକ୍ତି ନୈରାଶ୍ୟଜନକ। ହଠାତ ନିଦରୁ ଉଠି ପ୍ରଳାପ ଭଳି ବୋଲି ଶ୍ରୀ ଆଚାର୍ଯ୍ୟ ଲେଖିଛନ୍ତି।
ଆଜି ମହାନଦୀ ଟ୍ରିବ୍ୟୁନାଲର ଶୁଣାଣିରେ ଏଜିଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ ନବୀନ। ନବୀନ(BJD Naveen Patnaik) ଲେଖିଥିଲେ ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ । ମହାନଦୀର ସୁରକ୍ଷାଠାରୁ ଏମିତି କ'ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ?
ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶା ବାସୀଙ୍କୁ ମିଳିଲା କ'ଣ ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି।
ମହାନଦୀ ଆମ ମା', ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ। ଯାହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
