Advertisment

ଦଙ୍ଗା ଉସକାଇବାକୁ ଫେକ୍ ଅଡ଼ିଓ: ପରସ୍ପର ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ତା’ପୂର୍ବରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧାମନଗର ଅଂଚଳରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବାର ଷଡ଼ଯନ୍ତ୍ରରେ ଏକ ଫେକ୍ ଅଡିଓ କ୍ଲିପ୍ ଭାଇରାଲ ହେବା ଘଟଣାରେ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହାସହିତ ଦୁଇ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ସାକ୍ଷାତ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି […]

ଦଙ୍ଗା ଉସକାଇବାକୁ ଫେକ୍ ଅଡ଼ିଓ: ପରସ୍ପର ବିରୋଧରେ ସିଇଓଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

Fake-adio

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ତା’ପୂର୍ବରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧାମନଗର ଅଂଚଳରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବାର ଷଡ଼ଯନ୍ତ୍ରରେ ଏକ ଫେକ୍ ଅଡିଓ କ୍ଲିପ୍ ଭାଇରାଲ ହେବା ଘଟଣାରେ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହାସହିତ ଦୁଇ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ସାକ୍ଷାତ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Advertisment

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଧାମନଗରରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଭୋଟ୍ ହାତେଇବା ପାଇଁ ବିଜେଡି ପ୍ରୟାସ କରୁଛି ବୋଲି ଅଭିଯୋଗ କରିବା ପରେ ବିଜେଡି ମଧ୍ୟ ଅନୁରୂପ ଅଭିଯୋଗ ବିଜେପି ବିରୁଦ୍ଧରେ ଆଣିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ପକ୍ଷରୁ ଏକ ଫେକ୍ ଅଡ଼ିଓ କ୍ଲିପ୍ ଭାଇରାଲ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ଜିତିବା ଲାଗି ବିଜେଡି ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭୋଟରଙ୍କୁ ଭ୍ରମିତ କରୁଛି । ପୂର୍ବରୁ ପ୍ରଶାସନ ଅଧିକାରୀ, ଏସ୍‌ଏଚଜି, ଏମ୍‌ବିକେ, ସିଆରପି ମାଧ୍ୟମରେ ଟଙ୍କା ବଂଟନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ମିଥ୍ୟା ଅଡିଓର ଚକ୍ରାନ୍ତ କରି ଭୋଟରଙ୍କୁ ବିଚଳିତ କରିବାର ସମସ୍ତ ଅପଚେଷ୍ଟା ବିଜେଡି କରିଥିଲା । ଏନେଇ ସମସ୍ତ ତଥ୍ୟ ଓ ପ୍ରମାଣ ସହ ସିଇଓଙ୍କ ପାଖରେ ବିଜେପି ଫେରାଦ ହୋଇଥିଲା । ସିଇଓ ମଧ୍ୟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । କିନ୍ତୁ ଶାସକ ଦଳ ନସୁଧୁରି ପୁଣି ଏକ ମିଥ୍ୟା ଅଡିଓ ପ୍ରସ୍ତୁତ କରି ସାଧାରଣ ଭୋଟରଙ୍କୁ ଜୋର ଜବରଦସ୍ତ ପ୍ରଭାବିତ କରି ଭୋଟ ହାତେଇବାର ଅପଚେଷ୍ଟା କରିଛି । ବିଜେଡିର ଫେକ୍ ଅଡିଓରେ ଧାମନଗରରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରିବା ଭଳି ପ୍ରୟାସ ହୋଇଛି । ଏହି ଅଡିଓ ପଛରେ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ହାତ ରହିଛି ତଥା ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କୁ ଗିରଫ କରିବାକୁ ବିଜେପି ଅଭିଯୋଗ କରିଛି । ଧାମନଗରରେ ମୁକ୍ତ, ନିରପେକ୍ଷ ଉପନିର୍ବାଚନ କରିବାକୁ ସିଇଓଙ୍କୁ ଦାବି କରିଛି । ବିଜେପିର ଏହି ପ୍ରତିନିଧି ଦଳରେ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିର ଏହି ଅଭିଯୋଗକୁ ୪ଘଂଟା ନପୁରୁଣୁ ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଲଟା ଅଭିଯୋଗ କରିଛି। ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ଲେନିନ୍ ମହାନ୍ତି ପ୍ରମୁଖ ଆଜି ସିଇଓଙ୍କ ନିକଟରେ ବିଜେପିର ଆଇଟି ସେଲ୍ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସିଇଓଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ନେତ୍ରୀ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ବହୁ ଭୋଟ୍ ବ୍ୟବଧାନରେ ବିଜେପି ପରାଜୟ ହେବା ଜାଣିବା ପରଠୁ ବିଜେପିର ଆଇଟି ସେଲ୍ କ୍ରମାଗତ ଭାବେ ଫେକ୍ ଅଡିଓ ଓ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରୁଛି । ଏବେ ପୁଣି ଏକ ଫେକ୍ ଅଡିଓ ଭାଇରାଲ କରି ଧାମନଗରରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି । ପୂର୍ବରୁ ବିଜେପି ଆଇଟି ସେଲ୍ ପକ୍ଷରୁ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଯାହାକୁ ଆମେ ଅନୁସନ୍ଧାନ କରି ଜାଣିଲୁ ଯେ, ମଧ୍ୟପ୍ରଦେଶର ଏକ ମୋବାଇଲ୍ ନମ୍ବରରୁ ଏହି ଅଡିଓ କ୍ଲିପ୍ ଭାଇରାଲ ହୋଇଛି । ତେଣୁ ଏହି ଅଡିଓ କ୍ଲିପ୍ ଭାଇରାଲ ପଛରେ କିଏ ଥାଇପାରେ ତାହା କାହାକୁ ଅଛପା ନାହିଁ । ଧାମନଗର ଉପନିର୍ବାଚନରେ ପରାଜୟ ଜାଣିବା ପରେ ଓଡ଼ିଶା ବିଜେପି ଏବେ ନିମ୍ନସ୍ତରକୁ ଖସିଯାଉଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ବିଜେଡିର ଏହି ପ୍ରତିନିଧି ଦଳରେ ଲେନିନ୍ ମହାନ୍ତି, ଇପସିତା ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨୫୨ଟି ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ମୋଟ ୨.୩୮ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଧାମନଗର ନିର୍ବାଚନୀ ମଇଦାନରେ ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe