/odisha-reporter/media/media_files/2026/02/14/fake-medical-report-2026-02-14-14-05-51.jpg)
ଅତି ଚାଲକ ହେଲେ ବେଳେ ବେଳେ ମଣିଷକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ଆଉ ସେମିତି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି। ସେ ଜୟପୁର ଘରୋଇ ବସ ମାଲିକ ସଂଘର ସଂପାଦକ ମଧ୍ୟ ଅଛନ୍ତି।
ନରେନ୍ଦ୍ରଙ୍କର ଏକ ଘରୋଇ ବସ୍ର ପରମିଟ୍ ନଥିବାରୁ ତାଙ୍କୁ ଗତ ଜୁଲାଇ ୧୮ ତାରିଖରେ ନବରଙ୍ଗପୁର ଆରଟିଓ ଫାଇନ୍ ପକାଇଲେ । ୧୦ ହଜାର ୫୦୦ ଟଙ୍କା ଫାଇନ ପଡିଲା। ଏଥିରୁ ବଞ୍ଚିବା ପାଇଁ ନରେନ୍ଦ୍ର ଏକ ବାଟ ବାହାର କଲେ। ଅସୁସ୍ଥତା କାରଣରୁ ପରମିଟ୍ ଆବେଦନ କରିପାରିନଥିବା ଦର୍ଶାଇଥିଲେ । ମେଡିକାଲ ରିପୋର୍ଟ ଦେଇ ଅସ୍ଥାୟୀ ପରିମିଟ୍ ହାସଲ କରିବାରେ ସକ୍ଷମ ହେଲେ ନରେନ୍ଦ୍ର ଗତ ଏପ୍ରିଲ ୧୦, ୨୦୨୫ରୁ ଜୁଲାଇ ୨୫,୨୦୨୫ ଯାଏ ଆନ୍ଧ୍ରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇଥିବା ମେଡିକାଲ ରିପୋର୍ଟ ପ୍ରଦାନ କରିଥିଲେ। ମା’ ଜଗତ ଜନନୀ ଘରୋଇ ବସ୍ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ରାୟ ଏକ ସାମ୍ବାଦିକ ସମ୍ମିଳନି କରି ନରେନ୍ଦ୍ରଙ୍କ ସତ ପଦାକୁ ଆଣିଛନ୍ତି।
ଅଶୋକ କହିଛନ୍ତି, ନରେନ୍ଦ୍ର ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ମିଛ। କାହିଁକି ନା ଏପ୍ରିଲ ୧୦, ୨୦୨୫ରୁ ଜୁଲାଇ୨୫, ୨୦୨୫ ମଧ୍ୟରେ ନେରନ୍ଦ୍ର ଜୟପୁର ପୌର ପରିଷଦର ଅଧ୍ୟକ୍ଷ ଭାବେ କାଉନସିଲ ବୈଠକରେ ଯୋଗ ଦେବାଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହାର ଫଟୋ ଓ ଭିଡ଼ିଓ ପ୍ରମାଣ ରହିଛି। ଏହାକୁ ନେଇ ସଂଘର ଅଭିଯୋଗ ସତ୍ତ୍ବେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତାଙ୍କୁ ଟେମ୍ପୋରାରି ପରମିଟ ପ୍ରଦାନ କରିଥିବା କହିଛନ୍ତି ଅଶୋକ।
ଖାଲି ଏତିକି ନୁହେଁ, ନରେନ୍ଦ୍ର ହାଇକୋର୍ଟରେ ମିଛ ମେଡିକାଲ ରିପୋର୍ଟ ଦାଖଲ କରି ସ୍ଥାୟୀ ପରମିଟ୍ ହାସଲ କରିଛନ୍ତି । ଏହାପରେ ମା ଜଗତ ଜନନୀ ଘରୋଇ ବସ ମାଲିକ ସଂଘ ନରେନ୍ଦ୍ରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।
ଏହି ଅଭିଯୋଗକୁ ନେଇ ଆମେ ଜୟପୁର ପୌର ପରିଷଦ ଅଧ୍ୟକ୍ଷ ତଥା ଜୟପୁର ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର ମହାନ୍ତିଙ୍କୁ ଯୋଗାଯୋଗ କରିଥିଲୁ। ସେ ବ୍ୟକ୍ତିଗତ କାର୍ଯ୍ୟରେ ପୁରୀରେ ଥିବାରୁ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ।
ଜୟପୁରରୁ ଟି.ଗୌରୀ ଶଙ୍କରଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
