କାହିଁକି ‘କାଳିଆ’ ପ୍ରତି ଆଗ୍ରହ ଦେଖାଉନି ଚାଷୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟ ଗୁଡ଼ିକରେ କୃଷିଋଣ ଛାଡ଼ ,ଏମଏସପି ଉପରେ ବୋନସ ପ୍ରଦାନ ଓ ପେନସନ ଘୋଷଣାକୁ ନେଇ ଚାପ ବଢ଼ିବା ପରେ ନିର୍ବାଚନୀ ବର୍ଷରେ ଚାଷୀଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଓଡ଼ିଶା ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। ଏହାର କାର୍ଯ୍ୟକାରିତା ପାଇଁ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। ତେବେ ୧୦,୨୮୦କୋଟି ଟଙ୍କାର ‘କାଳିଆ’ ଯୋଜନା ଘୋଷଣା ସତ୍ୱେ ରାଜ୍ୟର ଚାଷୀଙ୍କ ମଧ୍ୟରେ […]

farmer

Manoranjan Sial
  • Published: Wednesday, 26 December 2018
  • , Updated: 26 December 2018, 08:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟ ଗୁଡ଼ିକରେ କୃଷିଋଣ ଛାଡ଼ ,ଏମଏସପି ଉପରେ ବୋନସ ପ୍ରଦାନ ଓ ପେନସନ ଘୋଷଣାକୁ ନେଇ ଚାପ ବଢ଼ିବା ପରେ ନିର୍ବାଚନୀ ବର୍ଷରେ ଚାଷୀଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଓଡ଼ିଶା ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି। ଏହାର କାର୍ଯ୍ୟକାରିତା ପାଇଁ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। ତେବେ ୧୦,୨୮୦କୋଟି ଟଙ୍କାର ‘କାଳିଆ’ ଯୋଜନା ଘୋଷଣା ସତ୍ୱେ ରାଜ୍ୟର ଚାଷୀଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ଦେଖିବାକୁ ମିଳିନି। ଚାଷୀ ସଂଗଠନଗୁଡ଼ିକ ସମେତ ବିରୋଧୀ ଦଳ ଏହାକୁ ପ୍ରତ୍ୟାଖାନ କରିଥିବାବେଳେ ସାଧାରଣ ଚାଷୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ନିର୍ବାଚନୀ ବର୍ଷରେ ପଡ଼ୋଶୀ ରାଜ୍ୟକୁ ଅନୁକରଣ ନକରି ‘କାଳିଆ’ ଯୋଜନା ଘୋଷଣା କରି ନବୀନ ପଟ୍ଟନାୟକ ସରକାର କାହିଁକି ରିସ୍କ ନେଲେ, ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ୩ବର୍ଷିଆ ‘କାଳିଆ’ ଯୋଜନାର ରୂପରେଖ ଗତ କିଛିମାସ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା ।ଏବେ କେବଳ ଏହି ଯୋଜନାର ନାମକରଣ ହୋଇଛି। ରାଜ୍ୟରେ ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆନ୍ଦୋଳନରତ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗତ କିଛିମାସ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏହି ପ୍ୟାକେଜ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅତିରିକ୍ତ ବଜେଟରେ ଏନେଇ ଆର୍ଥିକ ବ୍ୟୟବରାଦ ହୋଇପାରିନଥିଲା। ଯାହା ରାଜ୍ୟ ସରକାରଙ୍କୁ ଏବେବି ବ୍ୟାକଫୁଟରେ ରଖିଛି।

ତେବେ ମଧ୍ୟପ୍ରଦେଶ,ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନୀ ଫଳାଫଳକୁ ଚାଷୀମାନେ ପ୍ରଭାବିତ କରି ସେଠାରେ ବିଜେପିକୁ ହଟାଇ କଂଗ୍ରେସ କ୍ଷମତା ଆଣିବାରେ ସକ୍ଷମ ହେବାପରେ ଓଡ଼ିଶା ସରକାରଙ୍କ ଚେତା ପଶିଥିଲା। ତା’ଛଡ଼ା ଏହି ୩ରାଜ୍ୟରେ କଂଗ୍ରେସ ସରକାର ଶପଥ ଗ୍ରହଣ କରୁକରୁ ଚାଷୀଙ୍କ ପାଇଁ କୃଷିଋଣ ଛାଡ଼,ଏମଏସପି ଓ ପେନସନ ଭଳି ପ୍ୟାକେଜ୍ ଘୋଷଣା କରି ଓଡ଼ିଶା ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଥିଲା। ଅବଶ୍ୟ ଚଳିତମାସରେ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ଚାଷୀ ସଂଗଠନଗୁଡ଼ିକ ସହ ଆଲୋଚନାବେଳେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ୟାକେଜରେ ସାମିଲ ଥିବା କେତେକ ଘୋଷଣା ସମ୍ପର୍କରେ ଉତଥାପନ କରାଯାଇଥିଲା।କିନ୍ତୁ ପ୍ରାଇସ-ପ୍ରେଷ୍ଟିଜ୍ ଓ ପେନସନ ଦାବି କରୁଥିବା

କାର୍ଯ୍ୟକାରୀ ହେବାର ସମ୍ଭାବନା କ୍ଷୀଣ

ଚାଷୀଙ୍କ ତୁଷ୍ଟୀକରଣ ପାଇଁ ଏହି ପ୍ୟାକେଜ୍ ତ୍ୱରିତ୍ ଫଳପ୍ରଦ ହେବନି ବୋଲି ସରକାରଙ୍କ ସହ ଥିବା ଚାଷୀ ନେତାମାନେ ମତ ଦେଇଥିଲେ। ଯେଉଁଥିପାଇଁ ରାଜ୍ୟ ସରକାର କୃଷିଋଣ ଛାଡ଼ ଓ ଏମଏସପି ଯୋଗୁ ରାଜକୋଷ ଉପରେ ପଡ଼ିବାକୁ ଥିବା ଆର୍ଥିକ ବୋଝର ହିସାବନିକାସ କରାଇଥିଲେ। ମାତ୍ର ତାହା ‘ମନ୍ଦିରଠୁ ମୁଖଶାଳାକୁ ବଳିଯିବା’ ସଦୃଶ ହୋଇଥିବାରୁ ତଥା ରାଜ୍ୟର ଆର୍ଥିକ ସ୍ଥିତି ଦୋହଲିଯିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ନିଜର ପ୍ରସ୍ତାବିତ ପୁରୁଣା ଯୋଜନାକୁ ସାମାନ୍ୟ ନୂଆ ରୂପ ଦେଇ ଘୋଷଣା କରିଥିଲେ। ଏପରିକି ଏହି ଯୋଜନାରେ କୃଷିଋଣ, ଏମଏସପି ଓ ପେନସନ ପ୍ରସଙ୍ଗ ସ୍ଥାନ ପାଇନଥିବାରୁ ପ୍ରାଥମିକ କୃଷି ସମବାୟ ସହ ଜଡ଼ିତ ଥିବା ବିଜେଡି ସମର୍ଥିତ ଚାଷୀମାନେ ବି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ପ୍ରତ୍ୟେକ ଚାଷୀ ପରିବାରକୁ ସର୍ବନିମ୍ନ ୧୦ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେବାର ସମ୍ଭାବନା କ୍ଷୀଣ।

ଏହା ଶୁଣିବାକୁ ଯଦିଓ ଭଲ ଲାଗୁଛି ଓ ଚାଷୀଙ୍କ ମନରେ ସାମାନ୍ୟ ଆଶା ସଞ୍ଚାର କରୁଛି, ତଥାପି ବାସ୍ତବ କ୍ଷେତ୍ରରେ ସମସ୍ତ ଚାଷୀ ଏଥିରୁ ଉପକୃତ ହେବା ସହଜ ନୁହେଁ। କାରଣ ଏପର୍ଯ୍ୟନ୍ତ ଭାଗଚାଷୀ ଓ ଭୂମିହୀନ ଚିହ୍ନଟ ପ୍ରକ୍ରିୟା ସମ୍ଭବପର ହୋଇପାରିନି। ନିର୍ଦ୍ଦିଷ୍ଟ କେଉଁମାନେ ଏହି ସହାୟତା ପାଇବେ ତାହା ସ୍ଥିରୀକୃତ ହୋଇନି। ଯଦି ପଞ୍ଚାୟତସ୍ତରରେ ଚାଷୀ ଚିହ୍ନଟ ହୁଅନ୍ତି ତା’ହେଲେ ରାଜ୍ୟର ସମସ୍ତ ୮୦ ପ୍ରତିଶତ(କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ପରିବାର) ଏହି ସହାୟତା ପାଇବାକୁ ହକଦାର ହେବେ।

ଫସଲ ସହାୟତା ବାବଦରେ ନାମମାତ୍ର, କ୍ଷୁଦ୍ର,ମଧ୍ୟମ ବର୍ଗର ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା, କୃଷି ଶ୍ରମିକଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨,୫୦୦ ଟଙ୍କା ମିଳିବ। ସରକାରଙ୍କ ଗଣନାରେ ଏହି ଚାଷୀଙ୍କ ପରିବାର ସଂଖ୍ୟା ୩୨ଲକ୍ଷ ହୋଇଥିବାବେଳେ ବାସ୍ତବପକ୍ଷେ ଚାଷୀ,ଭୂମିହୀନ,କୃଷି ଶ୍ରମିକ ସବୁବର୍ଗକୁ ମିଶାଇଲେ ପ୍ରାୟ ୮୦ଲକ୍ଷ ହେବ। ତେଣୁ ସହାୟତା ରାଶି ବହୁ ଗୁଣ ବୃଦ୍ଧି ପାଇବ। ସରକାର ୯୨ ପ୍ରତିଶତ ଚାଷୀଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ ମଧ୍ୟ ସମସ୍ତଙ୍କୁ ସହାୟତା ପହଞ୍ଚାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ।

ତେଣୁ ସରକାର ଆର୍ଥିକ ବୋଝ ଓ ନିର୍ବାଚନକୁ ଦୃଷ୍ଟିରେ ରଖି ସହାୟତା ପ୍ରଦାନ ନିମନ୍ତେ ସରକାର ଏଭଳି ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା କେବଳ ଚାଷୀଙ୍କୁ ସହାୟତାର ଆଶ୍ୱାସନା ମଧ୍ୟରେ ସୀମିତ ରହିବାର ଆଶଙ୍କା ଦେଖାଦେଇଛି। ପଞ୍ଚାୟତସ୍ତରରେ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଓ ଆସନ୍ତା ମାସରେ ଆସିବାକୁ ଥିବା କାମଚଳା ବଜେଟରେ ଏବାବଦରେ କିଛି ଅର୍ଥ ଆବଣ୍ଟନ କରି ସାଧାରଣ ନିର୍ବାଚନକୁ ବିଜେଡି ସରକାର ଓହ୍ଲାଇବାକୁ ଚାହୁଁଛନ୍ତି।

କାରଣ ରାଜ୍ୟରେ ଭାଗଚାଷୀ, ଭୂମିହୀନ, କୃଷି ଶ୍ରମିକ, କ୍ଷୁଦ୍ର, ନାମମାତ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କ ବାସ୍ତବ ସଂଖ୍ୟାର ସଠିକ ହିସାବ ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ନାହିଁ ।ତେଣୁ ରାଜ୍ୟରେ ଧାନ ପ୍ରକ୍ରିୟାକରଣରେ ସାମିଲ ହେଉଥିବା ୧୦ରୁ ୧୨ଲକ୍ଷ ଚାଷୀ ଏବଂ ବିଭିନ୍ନ ଋଣ ନେଉଥିବା ପ୍ରାୟ ୨୦ଲକ୍ଷ ଚାଷୀଙ୍କୁ ଆକଳନ କରି ସରକାର ନିଜର ‘କାଳିଆ’ ଯୋଜନାକୁ ସଫଳ କରିବାକୁ ଆଗଭର ହୋଇଛନ୍ତି। ମାତ୍ର ପଞ୍ଚାୟତସ୍ତରରେ ଚାଷୀ ଚିହ୍ନଟ ହେଲେ ସରକାରଙ୍କ ଚାଷୀଙ୍କ ସଂଖ୍ୟାକୁ ନେଇ ଥିବା ଭ୍ରମ ଦୂର ହୋଇଯିବ। ଅବଶ୍ୟ ସେତେବେଳକୁ ନିର୍ବାଚନ ସରିଯାଇଥିବାରୁ ଚାଷୀଙ୍କ ଆନ୍ଦୋଳନକୁ ସରକାର ଭୃକ୍ଷେପ ନ କରିପାରନ୍ତି।

ତେବେ ସରକାର ଯଦି ବାସ୍ତବରେ ସବୁ ବର୍ଗର ଚାଷୀଙ୍କ ଆର୍ଥିକ ବିକାଶ ଚାହୁଁଥାନ୍ତି ତା’ହେଲେ ଅନ୍ତତଃପକ୍ଷେ ଯୁଦ୍ଧକାଳୀନ ଭିତିରେ ଖାଦ୍ୟ ସୁରକ୍ଷା ହିତାଧିକାରୀର ଡାଟାବେସକୁ ଆଧାର କରି ଚାଷୀଙ୍କ ଗଣନା କଲେ ‘କାଳିଆ’ ଯୋଜନାର ସୁଫଳ ତତ୍କାଳ ମିଳିପାରନ୍ତା। ଅବଶ୍ୟ ଜାନୁୟାରୀ ୮ତାରିଖରେ ପରେ ଚାଷୀଙ୍କ ଆନ୍ଦୋଳନ ଆଶଙ୍କାରେ ରାଜ୍ୟ ସରକାର ଧାନର ଏମଏସପି ଉପରେ ୨୦୦ରୁ ୫୦୦ଟଙ୍କା ବୋନସ ଘୋଷଣା କରିବା ଦିଗରେ ଏବେ କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି।

Related story