ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଧାର କରି ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏନେଇ ଉକ୍ତ ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ବାପା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍ମିଟ୍ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାର ମାଷ୍ଟର୍ମାଇଣ୍ଡ୍ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହୋଇ ଏବେ ଜେଲ୍ ହାଜତରେ ଅଛନ୍ତି।
ଏହି ଘଟଣାକୁ ଆଧାର କରି ଓଡ଼ିଆ ଫିଲ୍ମ “ପାଟଣାଗଡ଼” ନିର୍ମାଣ ହେଉଛି। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍ ହୋଇଛି। ଏହା ଏକ ଦ୍ୱି-ଭାଷୀ ଫିଲ୍ମ। ଓଡ଼ିଆ ସହ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ରିଲିଜ୍ କରିବାର ଯୋଜନା ରହିଛି। ଫିଲ୍ମରେ ବଲିଉଡ୍ ଅଭିନେତା ଅତୁଲ୍ କୁଲ୍କର୍ଣ୍ଣୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ସେହିପରି ଫିଲ୍ମରେ ପାଟଣାଗଡ଼ ପାର୍ସଲ ବୋମାର ମାଷ୍ଟର୍ମାଇଣ୍ଡ୍ ପୁଞ୍ଜିଲାଲଙ୍କ ଭୂମିକାରେ ଆସୁଛନ୍ତି ଲୋକପ୍ରିୟ ଓଡିଆ ଅଭିନେତା ମନୋଜ ମିଶ୍ର। ଫିଲ୍ମର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା । ଫିଲ୍ମଟି ଦଶହରାରେ ରିଲିଜ୍ କରିବାର ଯୋଜନା ରଖାଯାଇଛି।
ଫିଲ୍ମର ପୁର୍ବ ନାଁ “ବୁଲେଟ୍ ରାଜା" ରଖାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ‘ପାଟଣାଗଡ଼’ ରଖାଯାଇଛି। ତେବେ ମୃତକଙ୍କ ପରିବାର ପକ୍ଷରୁ ଏହାର କଡ଼ା ବିରୋଧ କରାଯିବା ପରେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଛି। ଏବେ କାହାଣୀର ଗତି କୁଆଡ଼େ ଯାଉଛି, ତାହା ଦେଖିବାକୁ ବାକି ରହିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।