ଅତିରିକ୍ତ ବଜେଟରେ ଅଯଥା ଅର୍ଥ ମାଗନି, ଆଡଜଷ୍ଟ୍ କର: ଅର୍ଥ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଆର୍ଥିକ ସ୍ଥିତିର ଗୋଲାପୀ ଚିତ୍ର ଏବେ ଜଳଜଳ ହୋଇ ପଦାରେ ପଡ଼ିଛି। ବାର୍ଷିକ ବଜେଟର କଳେବର ବୃଦ୍ଧି କରି ବାହାବା ନେଉଥିବା ରାଜ୍ୟ ସରକାରଙ୍କୁ ବଜେଟ୍ ପାଣ୍ଠିର ଅବ୍ୟବସ୍ଥିତ ପରିଚାଳନା ପାଇଁ ସିଏଜିଙ୍କ ଭର୍ତ୍ସନା ପରେ ଅର୍ଥ ବିଭାଗର ଚେତା ପଶିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ପ୍ରସ୍ତୁତିବେଳେ ଅଯଥା ଅର୍ଥ ନମାଗି ଯେଉଁ ଯୋଜନା କିମ୍ବା କାର୍ଯ୍ୟକ୍ରମ ଅର୍ଥ ଖର୍ଚ୍ଚ ହୋଇପାରୁନି ତାକୁ ଅନ୍ୟତ୍ର ଆଡ଼ଜଷ୍ଟ୍ କରିବା ପାଇଁ […]

sachi

Manoranjan Sial
  • Published: Saturday, 28 September 2019
  • , Updated: 28 September 2019, 09:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଆର୍ଥିକ ସ୍ଥିତିର ଗୋଲାପୀ ଚିତ୍ର ଏବେ ଜଳଜଳ ହୋଇ ପଦାରେ ପଡ଼ିଛି। ବାର୍ଷିକ ବଜେଟର କଳେବର ବୃଦ୍ଧି କରି ବାହାବା ନେଉଥିବା ରାଜ୍ୟ ସରକାରଙ୍କୁ ବଜେଟ୍ ପାଣ୍ଠିର ଅବ୍ୟବସ୍ଥିତ ପରିଚାଳନା ପାଇଁ ସିଏଜିଙ୍କ ଭର୍ତ୍ସନା ପରେ ଅର୍ଥ ବିଭାଗର ଚେତା ପଶିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ପ୍ରସ୍ତୁତିବେଳେ ଅଯଥା ଅର୍ଥ ନମାଗି ଯେଉଁ ଯୋଜନା କିମ୍ବା କାର୍ଯ୍ୟକ୍ରମ ଅର୍ଥ ଖର୍ଚ୍ଚ ହୋଇପାରୁନି ତାକୁ ଅନ୍ୟତ୍ର ଆଡ଼ଜଷ୍ଟ୍ କରିବା ପାଇଁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ଗୋଟିଏପଟେ ରାଜ୍ୟ ରାଜକୋଷ ଉପରେ ମାନ୍ଦାବସ୍ଥାର ପ୍ରତିକୂଳ ପ୍ରଭାବ ପଡ଼ିଥିବାବେଳେ ଅନ୍ୟପଟେ ସିଏଜିଙ୍କ ଭର୍ତ୍ସନାର ଆଳ ଦେଖାଇ ବିଭାଗଗୁଡ଼ିକୁ ପାରମ୍ପରିକ ଚିଠା ବଜେଟ ପ୍ରସ୍ତୁତି ପରିବର୍ତ୍ତେ ବାସ୍ତବବାଦୀ ଚିଠା ବଜେଟ୍ ଅକ୍ଟୋବର ୨୨ତାରିଖ ସୁଦ୍ଧା ପଠାଇବାକୁ ଅର୍ଥ ବିଭାଗ ତାଗିଦ୍ କରିଛି।

ରାଜ୍ୟ ଅର୍ଥ ସଚିବ ଏକେକେ ମୀନା ଗତକାଲି ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ନିମନ୍ତେ ଚିଠା ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଛନ୍ତି। ବିତ୍ତୀୟ ନିଅଣ୍ଟ ଏବେ ମୋଟ ରାଜ୍ୟ ଡିଜିପିର ୩.୫% ସୀମା ଛୁଇଁ ସାରିଥିବାରୁ ସମ୍ବଳ ଆସୁନଥିବା କୌଣସି କାର୍ଯ୍ୟକ୍ରମ ଓ ଯୋଜନା ପାଇଁ ଅତିରିକ୍ତ ବଜେଟ୍ ପ୍ରାବଧାନ କରିବା ସମ୍ଭବପର ନୁହେଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ୨୦୧୯-୨୦ ଅତିରିକ୍ତ ଚିଠା ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏକ ଆଡଜଷ୍ଟ୍ ବଜେଟ୍ ହେବ। ପ୍ରଶାସନିକ ବିଭାଗଗୁଡ଼ିକ ଚାହିଁଲେ ଗୋଟିଏ ଯୋଜନାରୁ ଅନ୍ୟ ଯୋଜନା ପାଇଁ ଅର୍ଥ ସ୍ଥାନାନ୍ତର କରିପାରିବେ। ଯେଉଁ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉନାହିଁ ତାକୁ ଅନ୍ୟ କୌଣସି ଯୋଜନାକୁ ସ୍ଥାନାନ୍ତର କରିବା ପାଇଁ ଅତିରିକ୍ତ ବଜେଟରେ ପ୍ରସ୍ତାବ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।

ପରୋକ୍ଷରେ କହିବାକୁ ଗଲେ, ଅତିରିକ୍ତ ବଜେଟରେ ଅର୍ଥ ନମାଗି ମୂଳ ବଜେଟରେ ଥିବା ପ୍ରାବଧାନ ଆଧାରରେ ଯେଉଁ ଯୋଜନାରେ ଅର୍ଥ ଖର୍ଚ୍ଚ ନହୋଇ ପଡ଼ି ରହୁଛି ତାକୁ ଅନ୍ୟ ଯୋଜନାକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ କହିଛନ୍ତି। କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଅନ୍ତର୍ଗତ ପ୍ରଶାସନିକ ବିଭାଗଗୁଡ଼ିକ ବଜେଟ ପ୍ରାବଧାନର ୬୦% ଅର୍ଥ ଡିସେମ୍ବର ୩୧ତାରିଖ ସୁଦ୍ଧା ଖର୍ଚ୍ଚ କରିବାର ନିୟମ ରହିଛି । ତେଣୁ ସେପ୍ଟେମ୍ବର ଶେଷ ସୁଦ୍ଧା ୪୦% ଅର୍ଥ ବାସ୍ତବ ଖର୍ଚ୍ଚ କରିନଥିବା ବିଭାଗଗୁଡ଼ିକର ପ୍ରସ୍ତାବକୁ ଅତିରିକ୍ତ ବଜେଟରେ ସାମିଲ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ରୋକଠୋକ୍ କହିଛି।

ଶ୍ରୀ ମୀନା ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ଯେତିକି ବଜେଟ୍ ଅର୍ଥ ବର୍ଷଶେଷରେ ଫେରିଥାଏ ତା’ଠୁ ଅଧିକ ଅର୍ଥର ପ୍ରାବଧାନ ସେହିବର୍ଷର ଅତିରିକ୍ତ ବଜେଟରେ ହୋଇଥିବାର ଦେଖିବାକୁ ମିଳିଛି। ଯେଉଁଥିପାଇଁ ସିଏଜି ମଧ୍ୟ ଭର୍ତ୍ସନା କରିସାରିଛନ୍ତି। ତେଣୁ ଏଥର ପାରମ୍ପରିକ ଭାବେ ଅତିରିକ୍ତ ବଜେଟ ପ୍ରସ୍ତାବ ପ୍ରସ୍ତୁତ ନକରି ବାସ୍ତବରେ ଆବଶ୍ୟକ ଥିବା ଓ ଖର୍ଚ୍ଚ କରାଯାଇ ପାରୁଥିବାର ସାମର୍ଥ୍ୟ ଅନୁସାରେ ବଜେଟ୍ ପ୍ରସ୍ତୁତ ପାଇଁ କୁହାଯାଇଛି। ଅତିରିକ୍ତ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ସଜବାଜ ହେଉଥିବାବେଳେ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଏବେ ଗତ କିଛିଦିନ ହେଲା ବିଭିନ୍ନ ବିଭାଗର ବଜେଟ୍ ପ୍ରାବଧାନ ଓ ଖର୍ଚ୍ଚର ନିୟମିତ ସମୀକ୍ଷା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୫-୧୬ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ୮୩୭୪କୋଟି ଟଙ୍କା ଥିବାବେଳେ ବର୍ଷଶେଷକୁ ୮୧୭୦କୋଟି ଟଙ୍କା ଖର୍ଚ୍ଚ ନହୋଇ ଫେରିଥିଲା । ସେହିପରି ୨୦୧୬-୧୭ରେ ଅତିରିକ୍ତ ବଜେଟ୍ ୫୧୫୦କୋଟି ଟଙ୍କା ଥିଲା ଓ ବର୍ଷଶେଷରେ ୬୮୩୪କୋଟି ଟଙ୍କା ଫେରିଥିଲା । ସେହିପରି ୨୦୧୭-୧୮ରେ ଅତିରିକ୍ତ ବଜେଟ୍ ୯୮୨୮କୋଟି ଟଙ୍କା ଥିବାବେଳେ ପ୍ରାୟ ୮୨୦୦କୋଟି ଟଙ୍କା ଫେରିଥିବା ଜଣାପଡ଼ିଛି ।

Related story