/odisha-reporter/media/media_files/2025/11/21/humane-2025-11-21-17-42-47.jpg)
ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ତାଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ଶୁକ୍ରବାର ବଲାଙ୍ଗିର ଟାଉନ ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଏକାଧିକ ସଂଗଠନ (ବଲାଙ୍ଗିରର ସମସ୍ତ କୋଶଳବାଦୀ ସଂଗଠନ ଓ ସାମାଜିକ ସାଂସ୍କୃତିକ ସଂଗଠନ) । ତଦନ୍ତ କରି ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଥିବା ଖଳନାୟକମାନଙ୍କୁ ଧରିବାକୁ ସେମାନେ ଦାବି କରିଛନ୍ତି।
ଏହି ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କର ମ୍ୟାନେଜର ଦୀନେଶ ବେହେରା (ପପୁ) ଓ ପ୍ରଶାନ୍ତ ବେହେରା ତାଙ୍କୁ ବାଧ୍ୟ କରି ଷ୍ଟେଜ ଶୋ’ କରିବାକୁ ନେଉଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ହ୍ୟୁମାନଙ୍କ ମା’ ଗଣମାଧ୍ୟମରେ ଏହି କଥା କହିଛନ୍ତି।
ସେହିପରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସେଥିରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା’ଙ୍କୁ ମ୍ୟାନେଜର ଦୀନେଶ ବେହେରା (ପପୁ) ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକଚମକ ଦେଉଥିବା ଦେଖିବାକୁ ମିଳିଛି। ଏସବୁ ଘଟଣାକୁ ଦେଖିଲେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ।
ଏତଲାରେ ଆହୁରି ଉଲ୍ଲେଖ କରାଯାଇଛି ଯେ ହ୍ୟୁମାନ ସାଗରଙ୍କ ଦେହ ଖରାପ ଥିବା ସତ୍ତ୍ୱେ ମ୍ୟାନେଜର ଦୀନେଶ ବେହେରା (ପପୁ) ଓ ପ୍ରଶାନ୍ତ ବେହେରା ହିଁ ତାଙ୍କୁ ଜୋରଜବରଦସ୍ତ ପ୍ରୋଗ୍ରାମ କରାଇ ତାଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିଲେ।
ଏହି ଘଟଣାରେ ପୁଲିସ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ସହି ଓଡ଼ିଶା ବନ୍ଦ ଭଳି ପଦକ୍ଷେପ ନିଆଯିବ ବୋଲି ଏତଲା ଦେଇଥିବା ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।
କୋଶଲ ରାଜ୍ୟ ମୁକ୍ତିମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସିପୁ ଖମାରୀ କହିଛନ୍ତି, ହ୍ୟୁମାନ ସାଗରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ ଆମେ ସିଧାସଳଖ ଅଭିଯୋଗ କରୁଛୁ। ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ତା’ହେଲେ ତାଙ୍କ ଟିମ୍ ତାଙ୍କୁ ଡାକ୍ତରଖାନା ନେଇଥା’ନ୍ତା। କିନ୍ତୁ ତାଙ୍କ ଟିମ୍ ତାଙ୍କୁ ଡାକ୍ତରଖାନା ନନେଇ ଏକ କାଠ କଣ୍ଢେଇ ଭଳିଆ ତାଙ୍କୁ ମାଲକାନଗିରିରୁ ରାଉରକେଲା ପର୍ଯ୍ୟନ୍ତ ଏ ଷ୍ଟେଜରୁ ସେ ଷ୍ଟେଜ ନେଇ ପ୍ରୋଗ୍ରାମ କରିଛନ୍ତି। ଏହା ଉପରେ ନିଶ୍ଚିତ ଭାବେ ଏକ ବିଧିବଦ୍ଧ ତଦନ୍ତ ହେବା ଉଚିତ। ଜଣେ ବ୍ୟକ୍ତି ବହୁତ ଉପରକୁ ଗଲେ, ବହୁ ଲୋକ ଅସହିଷ୍ଣୁ ହୋଇପଡ଼ନ୍ତି। ସେମିତି ମନୋଭାବ ରଖି ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଯଦି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇ ନଥିଲା, ତା’ହେଲେ ଚିକିତ୍ସା ପାଇଁ ତାଙ୍କୁ ବିଦେଶକୁ ବି ନିଆଯାଇପାରିଥା’ନ୍ତା। ସେ ଜଣେ ଛୋଟ ବ୍ୟକ୍ତି ନଥିଲେ। ସେ ଓଡ଼ିଶାର ଜଣେ ଚେହେରା ଥିଲେ। କାହିଁକି ତାଙ୍କ ଚିକିତ୍ସାରେ ଅବହେଳା କରାଗଲା। ଚିକିତ୍ସାରେ ଅବହେଳା ବି ହତ୍ୟା ସଦୃଶ।
ହ୍ୟୁମାନ ସାଗରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ ଆମେ ସିଧାସଳଖ ଅଭିଯୋଗ କରୁଛୁ। ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ତା’ହେଲେ ତାଙ୍କ ଟିମ୍ ତାଙ୍କୁ ଡାକ୍ତରଖାନା ନେଇଥା’ନ୍ତା। କିନ୍ତୁ ତାଙ୍କ ଟିମ୍ ତାଙ୍କୁ ଡାକ୍ତରଖାନା ନନେଇ ଏକ କାଠ କଣ୍ଢେଇ ଭଳିଆ ତାଙ୍କୁ ମାଲକାନଗିରିରୁ ରାଉରକେଲା ପର୍ଯ୍ୟନ୍ତ ଏ ଷ୍ଟେଜରୁ ସେ ଷ୍ଟେଜ ନେଇ ପ୍ରୋଗ୍ରାମ କରିଛନ୍ତି।
ସେହିପରି ପଶ୍ଚିମ ଓଡ଼ିଶା ଯୁବାମଞ୍ଚର କାର୍ଯ୍ୟକାରୀ ସଦସ୍ୟ ଖଗେଶ୍ୱର ପଧାନ କହିଛନ୍ତି, ଯେଉଁ ସବୁ ଭିଡିଓ ସାମ୍ନାକୁ ଆସୁଛି, ସେଥିରୁ ଦେଖିବାକୁ ମିଳିଛି ଯେ ଶେଷ ସମୟ ବେଳକୁ ତାଙ୍କ ଶରୀରରେ କିଛି ନଥିଲା। ସେତେବେଳେ ବି ତିନି/ଚାରି ବାଉନସର ଲଗାଇ ତାଙ୍କୁ ଟେକି ନେଇ ଜୋରଜବରଦସ୍ତ ପ୍ରୋଗ୍ରାମ କରାଯାଉଥିଲା। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ତାଙ୍କୁ ବ୍ଲାକମେଲିଂ କରାଯାଇଛି। ତାଙ୍କ ମା’ଙ୍କୁ ଗାଳିଗୁଲଜ କରିବାର ଭିଡିଓ ସାମ୍ନାକୁ ଆସିଛି। ତେଣୁ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି। ଦୀନେଶ ବେହେରା (ପପୁ) ଓ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରାଯାଉ। ନହେଲେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯିବ। ତା’ସହିତ ଆଗାମୀ ଦିନରେ ଓଡ଼ିଶା ବନ୍ଦ କରାଯିବ। ଜୋରଦାର ଆନ୍ଦୋଳନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
