ପ୍ରଣବ ପ୍ରକାଶ ଦାସ ଓ ଅଧିରାଜ ପାଣିଗ୍ରାହୀ
ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। କୋମନା ଥାନାରେ ଏନେଇ ଏତଲା ଦିଆଯାଇଥିବା ବେଳେ ବବି ଦାସ କିମ୍ବା ଅଧିରାଜଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ବବି ଓ ଅଧିରାଜଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ନାଁ ଜିତୁ ଆଡ଼ବାଙ୍ଗ। ସେ କୋମନାର ପାଇକପଡ଼ାର ବାସିନ୍ଦା।
ଜିତୁ ତାଙ୍କ ଏଫଆଇଆରରେ ଲେଖିଛନ୍ତି ଯେ ଅକ୍ଟୋବର ୩୦ ତାରିଖ ଅପରାହ୍ନ ୨ଟା ବେଳେ ବବି ଦାସ ଓ ଅଧିରାଜ ପାଣିଗ୍ରାହୀ ତାଙ୍କୁ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡକାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ବବି ଦାସ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହିତ ଆଗରୁ ତ ବିଜେଡିରେ ବୁଲୁଥିଲୁ, ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି ପଚାରିଥିଲେ। ତା’ପରେ ବବି ତାଙ୍କ ଶାର୍ଟ କାଲରକୁ ଧରି ଘୋଷାଡ଼ି ନେବା ସହ ମାଡ଼ ମାରିଥିଲେ। ତା’ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ କହିଥିଲେ।
ଅଭିଯୋଗକାରୀ ଆହୁରି ଲେଖିଛନ୍ତି, ମୋର ଯାହା ଇଚ୍ଛା ମୁଁ କରିବି ବୋଲି କହିବାରୁ ବବି ଦାସ ଓ ଅଧିରାଜ ପାଣିଗ୍ରାହୀ ମୋ ତଣ୍ଟିକୁ ଚିପି ମୋ ମୁହଁକୁ ଧରି ବହୁତ ମାଡ଼ ମାରିଥିଲେ। ତେବେ ଠିକଣା ସମୟରେ କୋମନା ଆଇଆଇସି ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ନହେଲେ ମୁଁ ବଞ୍ଚି ନଥା’ନ୍ତି।
ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଜିତୁ ଆଡ଼ବାଙ୍ଗ ପୁଲିସକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବିଧାନସଭା ଉପ-ନିର୍ବାଚନ ପାଇଁ ନୂଆପଡ଼ା ଏବେ ଚଳଚଞ୍ଚଳ ରହିଛି। ବିଜେପି, ବିଜେଡି ଓ କଂଗ୍ରେସର ବହୁ ବଡ଼ ବଡ଼ ନେତା ଯାଇ ସେଠାରେ ଡେରା ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ସେଠାକୁ ପ୍ରଚାର କରିଯିବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/31/pranab-and-adhiraj-2025-10-31-19-28-10.jpg)