/odisha-reporter/media/post_attachments/uploads/2021/11/accident.jpg)
accident
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ରାସ୍ତା କଡ଼ରେ ଥିବା ଦୋକାନୀ ଯୋଗାଇ ଦେବେ ଫାଷ୍ଟ-ଏଡ୍ ସେବା। ରାସ୍ତାରେ ଘଟୁଥିବା ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା ଅଭାବରୁ ଯେପରି କେହି ମୃତ୍ୟୁ ମୁଖରେ ନପଡ଼ିବେ, ସେଥିପାଇଁ ସରକାର ଆଣିଛନ୍ତି ବଡ଼ ଯୋଜନା। ଦୁର୍ଘଟଣା ଘଟିବା ମାତ୍ରେ ରାସ୍ତା କଡ଼ରେ ଥିବା ଦୋକାନୀ ତୁରନ୍ତ ଫାଷ୍ଟ-ଏଡ୍ ଚିକିତ୍ସା ଯୋଗାଇ ଦେବେ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଏକ ଫାଷ୍ଟ-ଏଡ୍ ପ୍ରି-ଟ୍ରମା କେୟାର ତାଲିମ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଛି।
ନଭେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ପ୍ରାରମ୍ଭିକ ଭାବେ ୧୦ଟି ସ୍ଥାନରେ ୫୦୦ରୁ ୬୦୦ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦିଆଯିବ। ଏହାପରେ ସ୍ୱାସ୍ଥ୍ୟ ବିଭାଗ, ରେଡକ୍ରସ ସୋସାଇଟି ସହଯୋଗରେ ଥାନାୱାରୀ ରାଜପଥ କଡ଼ର ଚା ଦୋକାନୀ, ପାନ ଦୋକାନୀ, ଢାବା ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀଙ୍କୁ ଦୁର୍ଘଟଣା ପରବର୍ତ୍ତୀ ଫାଷ୍ଟ-ଏଡ୍ ତାଲିମ ଦିଆଯିବ।
ବର୍ଷକ ମଧ୍ୟରେ ମୋଟ ୩୦ ହଜାର ଲୋକଙ୍କୁ ଏହି ତାଲିମ ଦିଆଯିବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ କହିଛନ୍ତି। ପରିବହନ ସଚିବ କହିଛନ୍ତି, ସଡ଼କ ଦୁର୍ଘଟଣାର ପ୍ରଥମ ଘଣ୍ଟାଏ ବା ଗୋଲ୍ଡେନ୍ ଆୱାରରେ ଉପଯୁକ୍ତ ଚିକତ୍ସା ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ହେଉଛି। ତେବେ ପ୍ରସ୍ତାବିତ ତାଲିମ ଜରିଆରେ ରାଜ୍ୟର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବହୁମାତ୍ରାରେ କମାଯାଇପାରିବ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ତଥ୍ୟ ମୁତାବକ, ଓଡ଼ିଶାର ପ୍ରତି ଶହେ ସଡ଼କ ଦୁର୍ଘଟଣାରେ ୪୮ ଜଣ ଲୋକଙ୍କ ଜୀବନ ଯାଉଛି। ମାତ୍ର ଜାତୀୟ ସ୍ତରରେ ଏହି ସଂଖ୍ୟା ୩୫ ରହିଛି। ସେହିଭଳି ରାଜ୍ୟରେ ଘଟୁଥିବା ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୬୦ରୁ ୭୦ ଭାଗ କେବଳ ଜାତୀୟ ଓ ରାଜ୍ୟ ରାଜପଥରେ ଘଟୁଛି। ରାଜ୍ୟର ରାଜପଥ ପାର୍ଶ୍ୱରେ ୩୫୦ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି। ଏଥିରୁ ୧୦୦ ବ୍ଲାକ୍ ସ୍ପଟରେ ସଂଶୋଧନ ଆଣିବାକୁ ମଧ୍ୟ ଯୋଜନା ରଖିଛି ରାଜ୍ୟ ପରିବହନ ବିଭାଗ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ରାସ୍ତାକଡ଼ ଦୋକାନୀମାନେ ସ୍ୱାଗତ କରିଥିବା ବେଳେ ରାଜପଥ ନିର୍ମାଣରେ ଥିବା ତ୍ରୁଟି ନେଇ ପ୍ରଶ୍ନ ଉଠାଇଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
