ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ। ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି। ଆର୍‌ଏମ୍‌ଆର୍‌ସିରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ […]

capital1

Jitendra Garnayak
  • Published: Monday, 16 March 2020
  • , Updated: 16 March 2020, 11:37 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ।

ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି। ଆର୍‌ଏମ୍‌ଆର୍‌ସିରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସିଥିଲେ। ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ଏପରିକି ସଂପୃକ୍ତ ଯୁବକ ଆସିଥିବା ଟ୍ରେନ୍‌ର ଯାତ୍ରୀଙ୍କୁ ମଧ୍ୟ ଖୋଜାଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଜଣେ ୩୩  ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ୬ ତାରିଖରେ ଦିଲ୍ଲୀ ଫେରିଥିଲେ ଓ ୧୨ ତାରିଖରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ୧୪ ତାରିଖରେ ଆଡମିଟ୍ ହୋଇଥିଲେ। ୧୫ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନଙ୍କ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ହେଉଛି।”

କୋରନାରେ ଆକ୍ରାନ୍ତ ଯୁବକଙ୍କ ଭଉଣୀ ଏ କଥାକୁ ବିଶ୍ୱାସ କରୁ ନାହାନ୍ତି। ସେ କହିଛନ୍ତି, “ମୋ ଭାଇ ମୋତେ ରାତି ସାଢ଼େ ୧୨ଟାରେ ଫୋନ୍ କରି କହିଲା ଯେ ତା ରିପୋର୍ଟ ନେଗେଟିଭ୍‌ ଆସିଛି। ମୋର ପ୍ରଶ୍ନ- ରାତି ୯ ଟାର ନେଗେଟିଭ୍ ରିପୋର୍ଟ ଆସିଲା। ରାତି ସାଢ଼େ ୧୨ଟାରେ କେମିତି ପଜେଟିଭ୍‌ ରିପୋର୍ଟ ହେଲା। ଯଦି କନ୍‌ଫର୍ମ ନଥିଲେ, ତାକୁ କାହିଁକି ଘରକୁ ପଠେଇଥିଲ। ସେ ରିପୋର୍ଟ କେମିତି ବଦଳିଲା। ତେଣୁ ଆଉ ଥରେ ଟେଷ୍ଟ କରାଯାଉ। ନହେଲେ ହାୟର ଅଥରିଟି ମୋତେ ସବୁ ଜିନିଷର ପ୍ରମାଣ ଦିଅନ୍ତୁ।”
ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଆଜି ଠାରୁ ଭୁବନେଶ୍ୱର ଓ କଟକର ସମସ୍ତ ମଲ୍‌ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ କମିଶନରେଟ୍‌ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସ୍କୁଲ୍‌, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍‌ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇସାରିଛି। ଏଗୁଡ଼ିକୁ ମଧ୍ୟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Related story