Advertisment

Administrative Stasis, ପୁଲିସ ବଜେଟ୍ ପାଣ୍ଠିରୁ ଖର୍ଚ୍ଚ ମାତ୍ର ୪୬%: ସୁଭଦ୍ରା ସୁରକ୍ଷା ଯୋଜନା, ସାଇବର ଓ ଏଆଇ ପାଣ୍ଠି ଖର୍ଚ୍ଚ ଶୂନ୍‌

ଏପରିକି ରାଜ୍ୟରେ ମହିଳା ହିଂସା, ନିର୍ଯାତନା ମାମଲା ବୃଦ୍ଧି ପାଉଥିବାବେଳେ ସୁଭ୍ରଦା ସୁରକ୍ଷା ଯୋଜନାରେ ଆବଂଟିତ ୫୨.୬୬କୋଟି ଟଙ୍କା ମଧ୍ୟରୁ ଟଙ୍କାଟିଏ ବି ଖର୍ଚ୍ଚ କରିବାରେ ପୁଲିସ ସକ୍ଷମ ହୋଇପାରିନାହିଁ ବୋଲି ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

author-image
Prakaash Sethi
Odisha-Police-

File Photo

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ୍ ଆଗତ ହେବାକୁ ଆଉ ମାତ୍ର ସପ୍ତାହେ ବାକି ରହିଛି । କିନ୍ତୁ ଓଡ଼ିଶା ପୁଲିସର ପ୍ରଶାସନିକ ସ୍ଥାଣୁତା ଓ ଅପାରଗତା ଯୋଗୁ ଚଳିତ ଆର୍ଥିକ ବର୍ଷରେ ଆବଂଟିତ ମୋଟ୍ ବଜେଟ୍ ପାଣ୍ଠିରୁ ମାତ୍ର ୪୬.୧୭% ଅର୍ଥ ଖର୍ଚ୍ଚ ସମ୍ଭବପର ହୋଇପାରିଛି । ଓଡ଼ିଶା ପୁଲିସ ପାଇଁ ରାଜ୍ୟ ସରକାର ୯୩୮.୦୩କୋଟି ଟଙ୍କାର ବିଶାଳ ପାଣ୍ଠି ବ୍ୟୟବରାଦ କରିଥିଲେ ମଧ୍ୟ ପୁଲିସ ମୁଖ୍ୟାଳୟର ଚରମ ଅବହେଳା ଯୋଗୁ ଫେବୃୟାରୀ ୧୧ତାରିଖ ସୁଦ୍ଧା ଏଥିରୁ ମାତ୍ର ୩୬୨.୦୩କୋଟି ଟଙ୍କା ଖର୍ଚ୍ଚ ହୋଇପାରିଥିବା ଜଣାପଡ଼ିଛି । ଏପଟେ ବଜେଟ୍ ଅର୍ଥ ଖର୍ଚ୍ଚ ନିମନ୍ତେ ରାଜ୍ୟ ଅର୍ଥ ବିଭାଗ ମଧ୍ୟ ଫେବୃୟାରୀ ୨୭ତାରିଖ ସୁଦ୍ଧା ଅବ୍ୟବହୃତ ବଜେଟ୍ ଅର୍ଥ ସରେଣ୍ଡର କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିସାରିଲେଣି ।

Advertisment

ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକିଥିବାବେଳେ ଆବଂଟିତ ବଜେଟ ଅର୍ଥରୁ ମାତ୍ର ୪୬.୧୭% ବିନିଯୋଗ ହେବା ଓଡ଼ିଶା ପୁଲିସ( Odisha Police)ର ପ୍ରଶାସନିକ ଅପାରଗତା ଓ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି । ଏପରିକି ରାଜ୍ୟରେ ମହିଳା ହିଂସା, ନିର୍ଯାତନା ମାମଲା ବୃଦ୍ଧି ପାଉଥିବାବେଳେ ସୁଭ୍ରଦା ସୁରକ୍ଷା ଯୋଜନାରେ ଆବଂଟିତ ୫୨.୬୬କୋଟି ଟଙ୍କା ମଧ୍ୟରୁ ଟଙ୍କାଟିଏ ବି ଖର୍ଚ୍ଚ କରିବାରେ ପୁଲିସ ସକ୍ଷମ ହୋଇପାରିନାହିଁ ବୋଲି ପୁଲିସ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଭିତ୍ତିଭୂମିର ଆବଶ୍ୟକତା ଥିବାବେଳେ ସାଇବର ସୁରକ୍ଷା ଓ ଏଆଇ ଉପକରଣ କ୍ରୟରେ ଆବଂଟିତ ଅର୍ଥ ବ୍ୟବହାର ନକରି ଓଡ଼ିଶା ପୁଲିସ ନିଜର ଆଧୁନିକୀକରଣକୁ ଏକପ୍ରକାର ଠପ୍ କରିଦେଇଛି ।

ଓଡ଼ିଶା ପୁଲିସକୁ ଆବଂଟିତ ହୋଇଛି ୯୩୮ କୋଟି ଟଙ୍କା ,ଖର୍ଚ୍ଚ ୩୬୨ କୋଟି

ସୂଚନା ଅନୁସାରେ, ରାଜ୍ୟ ସରକାର ପୁଲିସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୯୩୮.୦୩କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିଲେ । କିନ୍ତୁ ଫେବୃୟାରୀ ୧୧ତାରିଖ ସୁଦ୍ଧା ସେଥିମଧ୍ୟରୁ ୭୮୪.୦୮ କୋଟି ଟଙ୍କା ରିଲିଜ୍ ହୋଇଛି ଓ ସେଥିରୁ ମାତ୍ର ୩୬୨.୦୩ କୋଟି ଟଙ୍କା ଖର୍ଚ୍ଚ କରିବାରେ ରାଜ୍ୟ ପୁଲିସ ସକ୍ଷମ ହୋଇଛି । ୨୦ତାରିଖରେ ଆସନ୍ତା ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବାବେଳେ ଫେବୃୟାରୀ ୨୭ତାରିଖ ପରେ ଆଉ ବଜେଟ୍ ଅର୍ଥ ଖର୍ଚ୍ଚ ନକରିବାକୁ ଅର୍ଥ ବିଭାଗ ତାଗିଦ୍ ପଠାଇସାରିଛି । ଏଭଳି ସ୍ଥିତିରେ ଓଡ଼ିଶା ପୁଲିସ ମାତ୍ର ୪୬.୧୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି, ଯାହାକି ଓଡ଼ିଶା ପୁଲିସ ଇତିହାସରେ ଗୋଟିଏ ଆର୍ଥିକ ବର୍ଷରେ ସବୁଠୁ କମ୍ ବୋଲି କୁହାଯାଉଛି ।

Advertisment

ଗୋଟିଏପଟେ ରାଜ୍ୟ ସରକାର ନିଜର ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଭିତ୍ତିଭୂମି ବିକାଶ ଯୋଜନାରେ ଅର୍ଥ କାଣ୍ଟଛାଣ୍ଟ କରି ରାଜ୍ୟ ପୁଲିସକୁ ଦେଉଥିବାବେଳେ, ପୁଲିସ ମୁଖ୍ୟାଳୟର ଅବହେଳା ଯୋଗୁ ଏହି ଅର୍ଥ ଖର୍ଚ୍ଚ ନହୋଇ ଫେରିବା ପରୋକ୍ଷରେ ରାଜ୍ୟର ବିକାଶକୁ ଶକ୍ତ ଧକ୍କା ସଦୃଶ ହୋଇଛି ।

ସୁଭଦ୍ରା ସୁରକ୍ଷାଠୁ ଆରମ୍ଭ କରି ସାଇବର ସୁରକ୍ଷା ପର୍ଯ୍ୟନ୍ତ ଖର୍ଚ୍ଚ ଶୂନ

ରାଜ୍ୟରେ ମହିଳା ନିର୍ଯାତନା ଓ ହିଂସା ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ କ୍ରମାଗତ ସମାଲୋଚନା ଶିକାର ହେବାକୁ ପଡ଼ୁଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ‘ସୁଭ୍ରଦା ସୁରକ୍ଷା ଯୋଜନା’ର ୫୨.୬୬କୋଟି ଟଙ୍କାର ପାଣ୍ଠିରୁ ମାତ୍ର ଟଙ୍କାଟିଏ ବି ଓଡ଼ିଶା ପୁଲିସ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରିନାହିଁ । କେବଳ ସୁଭଦ୍ରା ସୁରକ୍ଷା ଯୋଜନା ନୁହେଁ, ରାଜ୍ୟର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ଯୋଜନା ପାଇଁ ଆବଂଟିତ ଅର୍ଥରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିନାହିଁ। ଆଭ୍ୟନ୍ତରୀଣ ସୁରକ୍ଷା ସିସିଟିଭି ପାଇଁ ୭୬ କୋଟି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ପୋଲିସିଂ ପାଇଁ ୧୦ କୋଟି ଓ ସାଇବର ସୁରକ୍ଷା ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ ବଜେଟରେ ହୋଇଥିଲେ ମଧ୍ୟ ଏଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ । ପୁଲିସ ପାଖରେ ପାଣ୍ଠି ଥାଇ ମଧ୍ୟ  ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଓ ବିଭିନ୍ନ ଉପକରଣ କ୍ରୟ ପାଇଁ ପୁଲିସ ମୁଖ୍ୟାଳୟ ଆନ୍ତରିକତା ଦେଖାଇନଥିବା ଜଣାପଡ଼ିଛି ।

ନିଜ ପାଇଁ ବି ଟଙ୍କା ଖର୍ଚ୍ଚ କରିବାରେ ପୁଲିସ ବିଫଳ

ପୁଲିସ କର୍ମଚାରୀଙ୍କ ପାଇଁ ବାସଭବନ ହେଉ ଅବା ଥାନା ନିର୍ମାଣ ଆଦି ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ଆବଂଟିତ ୩୭୩ କୋଟି ଟଙ୍କା ମଧ୍ୟରୁ ମାତ୍ର ପ୍ରାୟ ୧୯୪କୋଟି ଟଙ୍କା ଖର୍ଚ୍ଚ କରିବାକୁ ଓଡ଼ିଶା ପୁଲିସ ସକ୍ଷମ ହୋଇଛି । ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ମୁଖ୍ୟ ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜେ ପୁଲିସ ବିଭାଗର ବଜେଟ୍ ଆବଂଟନ ଦାୟିତ୍ୱରେ ରହିଛନ୍ତି । ସମଗ୍ର ପୁଲିସ ବିଭାଗର ବଜେଟ ଦାୟିତ୍ୱରେ ଥାଇ ମଧ୍ୟ ସୌମେନ୍ଦ୍ର ପୁଲିସ କର୍ମଚାରୀ ଓ ଥାନାଗୁଡ଼ିକ ପାଇଁ ଆବଂଟିତ ୩୭୩ କୋଟି ଟଙ୍କାରୁ ମାତ୍ର ୫୨ ପ୍ରତିଶତ ପାଣ୍ଠି ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରିଛନ୍ତି। ଏହା କେବଳ ପ୍ରଶାସନିକ ଶିଥିଳତା ନୁହେଁ ବରଂ ଥାନା ଓ ଗ୍ରାଉଣ୍ଡରେ ଥିବା ପୁଲିସ୍ କମର୍ଚାରୀଙ୍କୁ ଉପଯୁକ୍ତ ବାସଗୃହ ଓ ସୁବିଧାରୁ ବଂଚିତ କରାଯାଇଥିବା ଚର୍ଚ୍ଚା ହେଉଛି ।

ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ପାଇଁ ଦାୟୀ କିଏ?

ତେବେ  ଠିକ୍ ସମୟରେ ଡିପିଆର ପ୍ରସ୍ତୁତ ନହେବା, ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଓ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆକ୍ସନ ପ୍ଲାନ୍ ଦାଖଲ କରାଯିବା ଆଦି ଯୋଗୁ ବଜେଟ୍ ଅର୍ଥ ଖର୍ଚ୍ଚ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ପୁଲିସ ମୁଖ୍ୟାଳୟ ଚଳିତ ଆର୍ଥିକ ବର୍ଷରେ ଆବଂଟିତ ବଜେଟ୍ ପାଣ୍ଠି ଖର୍ଚ୍ଚ କରିପାରିନଥିବାବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ପୁଲିସକୁ କେତେ ପାଣ୍ଠି ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟ୍ ଅର୍ଥ ଖର୍ଚ୍ଚର ନିୟମିତ ସମୀକ୍ଷା ପୁଲିସ ମୁଖ୍ୟାଳୟ ଓ ପୁଲିସ୍ ଡିଜିଙ୍କ ଦ୍ୱାରା କରାଯାଇଛି କି ନାହିଁ ଓ ଗୃହ ବିଭାଗ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ଆର୍ଥିକ ବର୍ଷରେ ପ୍ରାୟ ୫୦୦କୋଟି ଟଙ୍କାରୁ ଅଧିକ ବଜେଟ୍ ଅର୍ଥ ଖର୍ଚ୍ଚ ନହୋଇ ଫେରିବା ପରୋକ୍ଷରେ ଓଡ଼ିଶା ପୁଲିସର ଛବିକୁ ମଳିନ କରିନାହିଁ, ବରଂ ରାଜ୍ୟର ସାଧାରଣ ଜନତାଙ୍କ ଟିକସ ଟଙ୍କାକୁ ଅବ୍ୟବହୃତ ରଖି ବିକାଶର ବାଟ ଓଗାଳିଛି ବୋଲି ଚର୍ଚ୍ଚା ହେଉଛି ।

Odisha Police