Advertisment

Firing: କଟକରେ ରିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୫ ଗିରଫ;  ଥଟ୍ଟାମଜାରୁ ଆରମ୍ଭ, ହତ୍ୟାରେ ଶେଷ

ପୁଲିସ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଉତ୍କଳ କେଶରୀ ପଶାୟତ (ହୁକୁ), ଅଭିଜିତ ମହାନ୍ତି (ନାଣ୍ଡୁ), ପ୍ରିୟବ୍ରତ ତ୍ରିପାଠୀ (ପୋଡ଼ା),  ହିମାଂଶୁ ଶେଖର ନାୟକ (ବାଉଁ) ଓ ରୁଦ୍ରପ୍ରସାଦ ଚାନ୍ଦ (ଓମ)।

author-image
Jitendra Garnayak
Rinku

ପ୍ରଥମେ ଥଟ୍ଟାମଜା। ପରେ ଯୁକ୍ତିତର୍କ ଓ ତା’ ପରେ ପରେ ଗୁଳିମାଡ଼। କଟକ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିବା ବେଳେ ସେଥିରୁ ସାମ୍ନାକୁ ଆସିଛି ଏହି କଥା। 

Advertisment

ପୁଲିସ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଉତ୍କଳ କେଶରୀ ପଶାୟତ (ହୁକୁ), ଅଭିଜିତ ମହାନ୍ତି (ନାଣ୍ଡୁ), ପ୍ରିୟବ୍ରତ ତ୍ରିପାଠୀ (ପୋଡ଼ା),  ହିମାଂଶୁ ଶେଖର ନାୟକ (ବାଉଁ) ଓ ରୁଦ୍ରପ୍ରସାଦ ଚାନ୍ଦ (ଓମ)। ଉତ୍କଳ କେଶରୀ ପଶାୟତ (ହୁକୁ) ହିଁ ଚଳାଇଥିଲେ ଗୁଳି। 

କଟକ ଡିସିପି ଋଷିକେଶ ଖିଲାରୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଅଭିଜିତ ମହାନ୍ତି (ନାଣ୍ଡୁ) ନାଁରେ ଭୁବନେଶ୍ୱରରେ ପୂର୍ବରୁ ଏକ ମାମଲା ରହିଛି। ତାଙ୍କୁ ପୁଲିସ୍ ଖୋଜୁଥିବା ବେଳେ ସେ ଫେରାର ହୋଇଯାଇଥିଲେ ଓ କଟକର ନୂଆପଡ଼ା ଅଞ୍ଚଳରେ ଥିବା ନିଜ ଘରେ ରହୁଥିଲେ। ସେ ମୋବାଇଲ ବ୍ୟବହାର କରୁ ନଥିଲେ। ସେ ହୁକୁ, ପୋଡ଼ା, ବାଉଁ , ଓମ୍‌ ଏବଂ ରିଙ୍କୁ ସହିତ ମିଳାମିଶା କରୁଥିଲେ। ତାକୁ ବହୁ କଷ୍ଟରେ ଭୁବନେଶ୍ୱର ଉପକଣ୍ଠରୁ ଗିରଫ କରାଯିବା ପରେ ପୂରା ଘଟଣାର ଖୁଲାସା ହୋଇଥିଲା। 

Advertisment

ଡିସିପି କହିଛନ୍ତି ଯେ ଘଟଣା ଦିନ ରିଙ୍କୁ ଓ ଗିରଫ ଅଭିଯୁକ୍ତମାନେ ମଦ ପିଇବା ପାଇଁ ଏକାଠି ହୋଇଥିଲେ। ଅଭିଜିତ ମହାନ୍ତି ଓରଫ ନାଣ୍ଡୁ ବନ୍ଧୁକଟିକୁ ଆଣିଥିଲେ ଓ ସେଠାରେ ରଖିଥିଲେ। ବନ୍ଧୁକ ଦେଖିବା ପରେ ଉତ୍କଳ କେଶରୀ ପଶାୟତ ଓରଫ ହୁକୁ ସେଇଟିକୁ ଧରି ବାହାରୁ ଚକ୍କର କାଟି ଆସିବା ପାଇଁ କହିଥିଲେ। ଏହା ପରେ ବାଉଁ ଓ ହୁକୁ ବନ୍ଧୁକ ଧରି ବାହାରୁ ଗୋଟିଏ ଚକ୍କର ମାରି ଆସିଥିଲେ। ଏ ଦୁଇ ଜଣ ଫେରିବା ପରେ ରିଙ୍କୁ ଓ ଓମ୍ ସେମାନଙ୍କୁ ଥଟ୍ଟାରେ କହିଥିଲେ ଯେ ବନ୍ଧୁକ ଧରି ଖାଲି ବୁଲୁଛ ନା ଗୁଳି ଚଳାଇବାକୁ ବି ସାହସ ରଖୁଛ। ଏହା ପରେ ରିଙ୍କୁଙ୍କୁ ଉତ୍କଳ କେଶରୀ ପଶାୟତ ଓରଫ ହୁକୁ କହିଥିଲେ ଯେ ତୁ କ’ଣ ହସୁଛୁ। ତୋତେ ଏତେ ବୟସ ହେଲାଣି, ତୁ କାହିଁକି ବାହା ହେଉନୁ। ରିଙ୍କୁଙ୍କୁ ଅପମାନିତ କଲା ଭଳି ଶବ୍ଦ ପ୍ରୟୋଗ କରିଥିଲେ ହୁକୁ। ଏହା ଶୁଣି ରିଙ୍କୁ ମଧ୍ୟ ଜବାବ ଦେଇଥିଲେ। ତୁମେମାନେ ବାପା ପଇସାରେ ବାହା ହୋଇ ଚଳୁଛ ବୋଲି ସେ ହୁକୁଙ୍କୁ କହିଥିଲେ। ଏହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସେମାନଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଓମ ଓ ବାଉଁ ପ୍ରମୁଖ ହୁକୁଙ୍କୁ ଉସ୍‌କାଇ ଥିଲେ ଯେ ଦମ୍ ଅଛି ଯଦି ଗୁଳି କର। ସେତେବେଳେ ସମସ୍ତେ ନିଶାରେ ଥିଲେ ଓ ଏହି ଉତ୍ତେଜନା ଭିତରେ ହୁକୁ ଗୁଳି କରି ଦେଇଥିଲେ ରିଙ୍କୁଙ୍କ ଉପରକୁ। ଗୁଳି ତାଙ୍କ ଛାତିରେ ବାଜିଥିଲା। 

Huku
ଗୁଳି ଚଳାଇଥିବା ହୁକୁ

ତଦନ୍ତରୁ ଜଣାପଡ଼ିଛି ଯେ ଗୁଳି ବାଜିଲା ପରେ ଅଭିଯୁକ୍ତମାନେ ସଙ୍ଗେ ସଙ୍ଗେ  ରିଙ୍କୁଙ୍କୁ ଡାକ୍ତରଖାନା ନେଇ ନଥିଲେ। କ’ଣ କରାଯିବ, ସେ ବିଷୟରେ ସେମାନେ ଆଲୋଚନା କରିଥିଲେ। ସେହି ସମୟରେ ପୋଡ଼ା (ସେ ପ୍ରାରମ୍ଭରୁ ନଥିଲେ) ସେଠାରେ ପହଞ୍ଚିଥିଲେ। ଆଉ ସେତେବେଳ ପର୍ଯ୍ୟନ୍ତ ରିଙ୍କୁ କଥାବାର୍ତ୍ତା କରୁଥିଲେ। ଅଭିଯୁକ୍ତମାନେ ଭାବିଥିଲେ ଯେ ଏହା ଫାୟାରିଂ କେସ୍‌ରେ ଯିବ। ସେମାନେ ରିଙ୍କୁଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବେ। ତା’ସହିତ ନାଣ୍ଡୁଙ୍କୁ ହୁକୁ ଏକ ପ୍ରସ୍ତାବ ଦେଇଥିଲେ। ନାଣ୍ଡୁଙ୍କୁ ନିଜ ମୁଣ୍ଡକୁ ଦୋଷ ନେବାକୁ ସେ କହିଥିଲେ। ଏଥିପାଇଁ ହୁକୁ ତାଙ୍କୁ ଟଙ୍କା ଦେବେ ତଥା ତାଙ୍କର ଜାମିନ ଓ ଅନ୍ୟାନ୍ୟ ଆଇନଗତ ସାହାଯ୍ୟ କରିବେ ବୋଲି କହିଥିଲେ। ଏସବୁ ନିଷ୍ପତ୍ତି କରିବା ପରେ ବାଉଁ ଓ ନାଣ୍ଡୁ ଏକ ସ୍କୁଟିରେ ରିଙ୍କୁଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଆଡ୍‌ମିଟ୍ କଲା ପରେ ସେମାନେ ଜାଣିଲେ ଯେ ରିଙ୍କୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହା ପରେ ନାଣ୍ଡୁ ଓ ଓମ୍ ଫେରି ଯାଇଥିଲେ ଏବଂ ପୋଡ଼ା ସହିତ ବସି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ। ସେମାନେ କ୍ରାଇମସ୍ପଟ୍‌ରେ ପ୍ରମାଣ ମଧ୍ୟ ନଷ୍ଟ କରିଥିଲେ। 

ହତ୍ୟାରେ ବ୍ୟବହୃତ ବନ୍ଧୁକକୁ କଦମପଡ଼ାରେ ଲୁଚାଇଥିଲେ ପୋଡ଼ା ଓ ନାଣ୍ଡୁ। ବନ୍ଧୁକ ଓ ଗୁଳିକୁ ଅଲଗା ଅଲଗା ସ୍ଥାନରେ ସେମାନେ ଲୁଚାଇଥିଲେ। ତା’ପରେ ପୋଡ଼ା ନିଜ କାରରେ ନାଣ୍ଡୁକୁ ନେଇ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଛାଡ଼ିଥିଲେ। ନାଣ୍ଡୁଙ୍କୁ ଧରିବା ପର୍ଯ୍ୟନ୍ତ ଅନ୍ୟ ଅଭିଯୁକ୍ତମାନେ କହୁଥିଲେ ଯେ ସେ ହିଁ ଗୁଳି କରିଛି। କିନ୍ତୁ ପୁଲିସ ନାଣ୍ଡୁଙ୍କୁ ଧରି ପଚରାଉଚରା କରିବା ପରେ ସତ କଥା ସାମ୍ନାକୁ ଆସିଥିଲା। 

ବନ୍ଧୁକ ଆଣିକି ଦେବା, ବନ୍ଧୁକର ବ୍ୟବହାର କରିବା, ପ୍ରମାଣ ନଷ୍ଟ କରିବା, ଅଭିଯୁକ୍ତକୁ ଫେରାର କରାଇବାରେ ସହଯୋଗ କରିବା ଆଦି ଅଭିଯୋଗରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି। ନାଣ୍ଡୁ ଭଳି ପୋଡ଼ା ମଧ୍ୟ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା। ସେ ପୂର୍ବରୁ ଜେଲ୍‌ ଯାଇଥିଲେ।   

ଏହି ଘଟଣାରେ  ଦୁଇଟି ସ୍କୁଟି ଏବଂ ଏକ କାର ଜବତ କରାଯାଇଛି। ଏହାସହିତ ବନ୍ଧୁକ ଓ ମୋବାଇଲ ଫୋନ ଜବତ କରିଛି ପୁଲିସ । ଏହି ମମାଲାରେ ଅଧିକ ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ଓ ଘଟଣାସ୍ଥଳରେ ସିନ ରିକ୍ରେସନ କରାଯିବ ବୋଲି କହିଛନ୍ତି କଟକ ଡିସିପି।