student
ବୌଦ୍ଧ (ଓଡ଼ିଶା ରିପୋର୍ଟର): ଶନିବାର ସକାଳେ ବୌଦ୍ଧ ବସ୍ଷ୍ଟାଣ୍ଡର ସ୍ଥିତି ଥିଲା ଟିକେ ଭିନ୍ନ। ୫ ଜଣ ପିଲା ବସି ଭୋ ଭୋ କାନ୍ଦୁଥିଲେ। ସ୍ଥାନୀୟ ଲୋକେ ପଚାରିବାରୁ କହିଲେ ଯେ ସାର୍ ଓ ରୋଷେୟା ସବୁବେଳେ ପିଟୁଛନ୍ତି। ତେଣୁ ସ୍କୁଲ୍ ଛାଡ଼ି ଚାଲି ଆସିଛନ୍ତି। ତା’ପରେ ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଆସି ସେମାନଙ୍କୁ ଥାନାକୁ ନେଇଯାଇଥିଲା।
ଏହି ୫ ଜଣ ପିଲା ବୌଦ୍ଧ ଜିଲ୍ଲା କାଲେଶ୍ୱର ଆବାସିକ ବିଦ୍ୟାଳୟର। ସେମାନେ ୫ମ ଶ୍ରେଣୀରେ ପଢ଼ନ୍ତି। ଗତକାଲି ରାତିରେ ଶୋଇଥିବା ବେଳେ ରୋଷେୟା ଆସି ସେମାନଙ୍କୁ ମାଡ଼ ମାରିଥିଲେ। ହେଲେ ଏହା କେବଳ ଗତକାଲିର କଥା ନୁହେଁ। ଏହି ୫ ପିଲାଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଆବାସିକ ବିଦ୍ୟାଳୟରେ ସବୁଦିନେ ଏମିତି ଘଟେ। କେବେ ଶିକ୍ଷକ ପିଟନ୍ତି ତ କେବେ ରୋଷୟା। ସେଠାରେ ପିଲାମାନଙ୍କୁ ନିର୍ଯାତନା ଦିଆଯାଏ। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ସେମାନେ ଆଜି ସକାଳେ ସ୍କୁଲ୍ରୁ ଲୁଚି ପଳାଇ ଆସିଥିଲେ।
ଏହି ପିଲାମାନେ ୫ କିମି ଚାଲି ଚାଲି ଆସି ବୌଦ୍ଧ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ତା’ପରେ କିଛି ବୁଦ୍ଧିବାଟ ଦେଖା ନଦେବାରୁ ଭୋ ଭୋ ହୋଇ କାନ୍ଦିଥିଲେ।
ବୌଦ୍ଧ ପୁଲିସ୍ ଏହି ୫ ଛାତ୍ରଙ୍କୁ ଉଦ୍ଧାର କରି ଥାନାକୁ ନେବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରିଥିଲା। ଖବର ପାଇ ସମସ୍ତ ଛାତ୍ରଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଥିଲେ। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣା ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, କାଲେଶ୍ୱର ଆବାସିକ ବିଦ୍ୟାଳୟରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Untitled-1-66.jpg)