Advertisment

Five Years Later , ମନେପଡ଼ିଲା: ୧୭ରେ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ, ବସିଲା ୯ଘଣ୍ଟାର ମାରାଥନ୍ ବୈଠକ

ଆଜିର ବୈଠକରେ ଯୋଗ ଦେଇ ପ୍ରସ୍ତାବିତ ରାଜ୍ୟସ୍ତରୀୟ ବରିଷ୍ଠ ଅଫିସର୍ସ ସମ୍ମିଳନୀ ପାଇଁ ଏଜେଣ୍ଡା ପ୍ରସ୍ତୁତ ସହ ରାୟପୁରରେ ଗତବର୍ଷ ନଭେମ୍ବର ମାସରେ ହୋଇଥିବା ଜାତୀୟ ପୁଲିସ ଡିଜି ସମ୍ମିଳନୀର ନିଷ୍ପତ୍ତିଗୁଡ଼ିକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

author-image
Odisha Reporter
Odisha-Police-

Odisha Police officers (File Pic)

ଦୀର୍ଘ ପ୍ରାୟ ୫ବର୍ଷ ପରେ ରାଜ୍ୟସ୍ତରୀୟ ଓଡ଼ିଶା ପୁଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଆଜି କଟକ ପୁଲିସ ମୁଖ୍ୟାଳୟରେ ପ୍ରାୟ ୯ଘଣ୍ଟାର ମାରାଥନ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ ଡିଜି ୱାଇବି ଖୁରାନିଆଙ୍କ ଉପସ୍ଥିତିରେ ୨୫ରୁ ଅଧିକ ବରିଷ୍ଠ ଆଇପିଏସ୍ ଅଫିସରମାନେ ଆଜିର ବୈଠକରେ ଯୋଗ ଦେଇ ପ୍ରସ୍ତାବିତ ରାଜ୍ୟସ୍ତରୀୟ ବରିଷ୍ଠ ଅଫିସର୍ସ ସମ୍ମିଳନୀ ପାଇଁ ଏଜେଣ୍ଡା ପ୍ରସ୍ତୁତ ସହ ରାୟପୁରରେ ଗତବର୍ଷ ନଭେମ୍ବର ମାସରେ ହୋଇଥିବା ଜାତୀୟ ପୁଲିସ ଡିଜି ସମ୍ମିଳନୀର ନିଷ୍ପତ୍ତିଗୁଡ଼ିକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Advertisment


ପୁଲିସ ମୁଖ୍ୟାଳୟରେ ୯ଘଣ୍ଟାର ମାରାଥନ୍ ପ୍ରସ୍ତୁତି ବୈଠକ

କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରୁ ପ୍ରାୟ ୯ଘଣ୍ଟା ଧରି ମାରାଥନ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟର ଡିଜି, ଏଡିଜି ଓ ଆଇଜି ପାହ୍ୟାର ୨୫ରୁ ଅଧିକ ବରିଷ୍ଠ ପୁଲିସ ଅଫିସରମାନେ ଯୋଗ ଦେଇଥିଲେ । ଚଳିତମାସ ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୬୪ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ପାଇଁ ଏଜେଣ୍ଡା ଚୂଡ଼ାନ୍ତ ହୋଇଛି । ରାୟପୁରରେ ଅନୁଷ୍ଠିତ ଜାତୀୟ ପୁଲିସ ଡିଜି ସମ୍ମିଳନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ ଓଡ଼ିଶାରେ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ଏହି ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି ।

 ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ କ୍ରାଇମବ୍ରାଂଚ ଡିଜି ଓ ଗୁଇନ୍ଦା ଡିଜିଙ୍କ ସମେତ ନକ୍ସଲ ଦମନ ଅଭିଯାନର ଏଡିଜି, ଆଇନଶୃଙ୍ଖଳା ଏଡିଜି ଏବଂ ଏସସିଆରବି ନିର୍ଦ୍ଦେଶକଙ୍କୁ ନିଜ ନିଜ କ୍ଷେତ୍ରରେ ୨୦୨୫ ଜାତୀୟ ଡିଜିପି ସମ୍ମିଳନୀର ସୁପାରିଶଗୁଡ଼ିକର କାର୍ଯ୍ୟକାରିତ ଉପରେ ପାୱାର ପଏଂଟ ପ୍ରେଜେଣ୍ଟେସନ ମାଧ୍ୟମରେ ତଥ୍ୟ ରଖିବାକୁ କୁହାଯାଇଛି । ଆଜିର ବୈଠକରେ ଏହି ଅଫିସରମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ସହିତ ଜଡ଼ିତ ସୁପାରିଶଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିବା ସୂଚନା ମିଳିଛି ।

Advertisment

ଗତବର୍ଷ ଅଚାନକ ବାତିଲ ହୋଇଥିଲା ସମ୍ମିଳନୀ

ଓଡ଼ିଶା ପୁଲିସରେ ପ୍ରତିବର୍ଷ ବରିଷ୍ଠ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହେବାର ପରମ୍ପରା ରହିଥାଏ । କିନ୍ତୁ ଗତ ୫ବର୍ଷ ଧରି ବିଭିନ୍ନ କାରଣରୁ ଏହି ସମ୍ମିଳନୀ ଆୟୋଜନ ଉପରେ ଓଡ଼ିଶା ପୁଲିସ ବିଶେଷ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି । ୨୦୨୧ ଡିସେମ୍ବର ମାସରେ ଶେଷଥର ପାଇଁ ୬୩ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ବିଜେଡି ସରକାର ଓ ଏବେ ୧୮ମାସର ବିଜେପି ସରକାର ଅମଳରେ ଏହି ସମ୍ମିଳନୀ ଆୟୋଜନ ସମ୍ଭବପର ହୋଇପାରିନାହିଁ ।

ଅବଶ୍ୟ ୨୦୨୫ ଅଗଷ୍ଟ ୨୨ ଓ ୨୩ତାରିଖରେ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ନିମନ୍ତେ ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହେବା ସହ ଦୁଇଜଣ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନୁପ କୁମାର ସାହୁଙ୍କୁ  ଆୟୋଜନର ଦାୟିତ୍ୱ ନ୍ୟସ୍ତ ହୋଇଥିଲା । କିନ୍ତୁ ତାରିଖ ଘୋଷଣା ପରେ ମଧ୍ୟ ଏହି ସମ୍ମିଳନୀ କାହିଁକି ହୋଇନଥିଲା ତାହା ଏବେବି ଅସ୍ପଷ୍ଟ ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ହେବ ସୁରକ୍ଷା ରୋଡମ୍ୟାପ୍‌

ଆସନ୍ତା ୧୭ରୁ ୧୯ତରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୩ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା, ସାଇବର ସୁରକ୍ଷା ଓ ମାଓବାଦୀ ଦମନ ପରି ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ଆଜି ପୁଲିସ ମୁଖ୍ୟାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ମାରାଥନ୍ ବୈଠକରେ ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିମାନେ ଭିଡିଓ କନଫରେନ୍ସି ମାଧ୍ୟମରେ ଉପସ୍ଥିତ ରହିଥିଲେ । ତେବେ ରାଜ୍ୟସ୍ତରୀୟ ସମ୍ମିଳନୀର ଆୟୋଜନ ପାଇଁ ବରିଷ୍ଠ ପୁଲିସ ଅଫିସରମାନଙ୍କୁ ମୁଖ୍ୟାଳୟରେ ଦିନତମାମ ବସାଇ ରଖାଯିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଛି ।