Advertisment

Food Freedom Hijacked: ଗଣତନ୍ତ୍ର ଦିବସ ପାଇଁ ଜିଲ୍ଲାପାଳଙ୍କ ଫତୱା: କୋରାପୁଟରେ ‘ଆହାର ସ୍ୱାଧୀନତା’ ଉପରେ ଚଡ଼କ, ଖାଦ୍ୟ ଉପରେ ଏର୍ମଜେନ୍ସୀ

ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ମାଂସ, ମାଛ, କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। କୌଣସି ଯଥାର୍ଥ କାରଣ ନଥାଇ ଆଇନଗତ ଆଧାରରେ ପ୍ରଶାସନର ଏଭଳି କଟକଣାକୁ ବ୍ୟକ୍ତିଗତ ପସନ୍ଦ ଓ ଖାଦ୍ୟପେୟର ଅଧିକାର କ୍ଷୁଣ୍ଣ କରିଛି।

Koraput-Collector-12
Advertisment

ଜାତୀୟ ପର୍ବ ଗଣତନ୍ତ୍ର ଦିବସ ଅବସରରେ ଯେଉଁ ସମ୍ବିଧାନପ୍ରଦତ୍ତ ସ୍ୱାଧୀନତାକୁ ନେଇ ଗର୍ବ କରିବା କଥା,   ସେହି ଦିନରେ ଲୋକଙ୍କ ‘ଆହାର ସ୍ୱାଧୀନତା’ ଉପରେ ପ୍ରହାର କରିଛି କୋରାପୁଟ ପ୍ରଶାସନ । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ  ସ୍ୱେଚ୍ଛାଚାରୀ ନିଷ୍ପତ୍ତି ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ମାଂସ, ମାଛ, କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । କୌଣସି ଯଥାର୍ଥ କାରଣ ନଥାଇ ଆଇନଗତ ଆଧାରରେ ପ୍ରଶାସନର ଏଭଳି କଟକଣାକୁ ବ୍ୟକ୍ତିଗତ ପସନ୍ଦ ଓ ଖାଦ୍ୟପେୟର ଅଧିକାର କ୍ଷୁଣ୍ଣ କରିଛି ।

Advertisment

ତେବେ ଆଶ୍ଚର୍ଯ୍ୟର କଥା ଗତକାଲିଠୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ନେଇ ଆଜି ଦିନତମାମ ବିବାଦ ଲାଗି ରହିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନିଜର ନିଷ୍ପତ୍ତିରେ ଅଟଳ ରହିଛି । ଯାହାକି ପ୍ରଶାସନର ଏକଛତ୍ରବାଦୀ ମାନସିକତାକୁ ଉଜାଗର କରିଥିବା ଚର୍ଚ୍ଚା ।


ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନକୁ ପରିହାସ

ଗଣତନ୍ତ୍ର ଦିବସରେ ସମଗ୍ର ଜିଲ୍ଲାରେ ମାଂସ,ମାଛ, କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ପାଇଁ ଜିଲ୍ଲାପାଳ ଶ୍ରୀ ମହାଜନ ଜାନୁୟାରୀ ୨୩ତାରିଖରେ ଜିଲ୍ଲାରର ସମସ୍ତ ତହସିଲଦାର, ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଠାରୁ ଆରମ୍ଭ କରି ପୂବର୍ତନ ବିଧାୟକ ଉମାବଲ୍ଲଭ ରଥଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପ୍ରଶାସନର ‘ଅହଙ୍କାର' ଓ 'ଭୁଲ୍ ନିଷ୍ପତ୍ତି' ବୋଲି କହିଛନ୍ତି । ଯେଉଁଠି ସରକାର ଦାରିଦ୍ର‌୍ୟ ଓ ବେକାରୀ ସମସ୍ୟା ସମାଧାନ କରିବା କଥା, ସେଠି ଲୋକଙ୍କ ଖାଦ୍ୟ ଥାଳି ଉପରେ ପୁଲିସ ଲଗାଇବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment

ଜିଲ୍ଲା ପ୍ରଶାସନର ଏଭଳି କଟକଣା ଜାରି କରି ନାଗରିକଙ୍କ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର (ଧାରା ୧୯ ଓ ୨୧) କୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି । କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ, ଯେଉଁଠି ମାଂସାହାର ଏକ ପାରମ୍ପରିକ ଓ ମୁଖ୍ୟ ଖାଦ୍ୟ, ସେଠାରେ ଏଭଳି କଟକଣା ଲଦିଦେବା ‘ସାଂସ୍କୃତିକ ଦମନ' ନୁହେଁ କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । 

ବ୍ୟବସାୟୀଙ୍କ ପେଟରେ ଲାତ, ବଜାରରେ ହାହାକାର


ଜିଲ୍ଲାପାଳଙ୍କ ଏହି ଅଦୂରଦର୍ଶୀ ନିଷ୍ପତ୍ତି ଦ୍ୱାରା କେବଳ ଖାଉଟି ନୁହଁନ୍ତି, ବରଂ ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଜାନୁଆରୀ ୨୬ରେ ଜିଲ୍ଲାର ଅନେକ ସ୍ଥାନରେ ସାପ୍ତାହିକ ହାଟ ବସୁଥିବା ବେଳେ ଏହି କଟକଣା ବ୍ୟବସାୟୀଙ୍କ ପେଟରେ ଲାତ ମାରିଛି । ହୋଟେଲ ଓ ରେଷ୍ଟୁରାଣ୍ଟରେ ଅନଲାଇନ ଅର୍ଡର ଉପରେ ମଧ୍ୟ କଡ଼ା ନଜର ରଖାଯାଉଥିବାରୁ ଏହାକୁ ‘ଡିଜିଟାଲ ପୁଲିସିଙ୍ଗ\' ବୋଲି କୁହାଯାଉଛି । ଅନେକ ବ୍ୟବସାୟୀ ସଂଗଠନ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ରଶାସନ ଏହି ‘ତୋଗଲକୀ’ ମାନସିକତା ଓ ନିଷ୍ପତ୍ତିରୁ ନହଟେ, ତେବେ ଗଣତନ୍ତ୍ର ଦିବସରେ ଜିଲ୍ଲାବ୍ୟାପୀ ବିରାଟ ଆନ୍ଦୋଳନ କରାଯିବ ।

ଲୋକେ କ’ଣ ଖାଇବେ ତାହା କ’ଣ ପ୍ରଶାସନ ସ୍ଥିର କରିବ?

Koraput ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ସ୍ଥାନୀୟ ବାସିନ୍ଦାଙ୍କ ସହ ବିଚାରବିମର୍ଶ କରି ଏଭଳି ନିର୍ଦ୍ଦେଶନାମା ଜାରି କରିବାକୁ ନେଇ ବିଭିନ୍ନ ସଂଗଠନ ଓ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଟ୍ୱିଟ୍ କରି ପ୍ରଶାସନକୁ କଡ଼ା ସମାଲୋଚନା କରିବା ସହ ଏହା ‘ସମ୍ବିଧାନ ବିରୋଧୀ' ଓ ‘ସ୍ୱେଚ୍ଛାଚାରୀ' ବୋଲି କହିଛନ୍ତି ।  ସମ୍ବିଧାନ ପ୍ରତିଷ୍ଠା ଦିବସରେ ଲୋକଙ୍କ ମୌଳିକ ଅଧିକାରକୁ କେମିତି ଦଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପୂବର୍ତନ ବିଧାୟକ ଉମାବଲ୍ଲଭ ରଥ ଏହାକୁ ସମ୍ବିଧାନର ଧାରା ୧୯(୧)(ଗ) ଓ ୨୧ ର ଉଲ୍ଲଂଘନ ବୋଲି କହିଛନ୍ତି ।

ସେହିପରି ସାସିଆଲ ମିଡିଆରେ ନେଟିଜେନମାନେ କହିଛନ୍ତି ଯେ, ପ୍ରଶାସନ ଭିତ୍ତିିଭୂମିର ବିକାଶ ଓ ଦୁର୍ନୀତି ରୋକିବା ପରିବର୍ତ୍ତେ ଲୋକେ କ’ଣ ଖାଇବେ ତାହା ସ୍ଥିର କରିବାକୁ ଚେଷ୍ଟା କରୁଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ଦିବସ ଏକ ଜାତୀୟ ପର୍ବ, ଏହା କୌଣସି ଧାର୍ମିକ ଉତ୍ସବ ନୁହେଁ ଯେଉଁଥିରେ ଆମିଷ ବାରଣ କରିବା ଜରୁରୀ ବୋଲି ଯୁକ୍ତି ଦର୍ଶାଇଛନ୍ତି ।

ରାଜ୍ୟରେ ପ୍ରଥମ, ସରକାର ନିରବଦ୍ରଷ୍ଟା

ଗଣତନ୍ତ୍ର ଦିବସ ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଏଭଳି ନିର୍ଦ୍ଦେଶନାମା ସମଗ୍ର ରାଜ୍ୟରେ ପ୍ରଥମ ଘଟଣା । ଏନେଇ ଆଜି ଦିନତମାମ ଖବର ପ୍ରସାରଣ ହେଉଛି । ତଥାପି ଜିଲ୍ଲା ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଲୋକଙ୍କ ସରକାର କହୁଥିବା ମୋହନ ମାଝୀ ନେତୃତ୍ୱାଧୀନ ସରକାର ମଧ୍ୟ ନିରବଦ୍ରଷ୍ଟା ସାଜିଛି । ସାଧାରଣ ଲୋକଙ୍କ ଖାଦ୍ୟଶୈଳୀ ଓ ସେମାନଙ୍କୁ ଜବରଦସ୍ତ ଶାକାହାରୀ ବନାଇବା କ’ଣ ଅହିଂସା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବିଭିନ୍ନ ସଂଗଠନ ଓ ଆଇନଜୀବୀ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନିମନ୍ତେ ସଜବାଜ ହେଉଥିବା ଜଣାପଡ଼ିଛି । ଜାତୀୟ ଦିବସରେ ପବିତ୍ରତା ରକ୍ଷା ପାଇଁ କେତେକ ଏହାକୁ ସ୍ୱାଗତ କରୁଥିବାବେଳେ ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୂଣ୍ଣ ଭଳି ପ୍ରଶାସନର ପଦକ୍ଷେପକୁ ବିରୋଧ କରି ଗଣତନ୍ତ୍ର ଦିବସରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe