Advertisment

Forest Clearance ବିନାନୁମତିରେ ଜଙ୍ଗଲ ଜମିରେ ୨ଟି ଏକଲବ୍ୟ ସ୍କୁଲ ନିର୍ମାଣ: ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

କେନ୍ଦୁଝର ଜିଲ୍ଲାରେ ବିନାନୁମତିରେ ଜଙ୍ଗଲ ଜମିରେ ଦୁଇଟି ଏକଲବ୍ୟ ସ୍କୁଲ ନିର୍ମାଣରେ ସମ୍ପୃକ୍ତ ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Ekalavya-Model-School

Ekalavya Model School, Patana, Keonjhar

Advertisment

କେନ୍ଦୁଝର ଜିଲ୍ଲାରେ ନିର୍ମିତ ଦୁଇଟି ଏକଲବ୍ୟ ଆବାସିକ ସ୍କୁଲ ପ୍ରକଳ୍ପକୁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଫରେଷ୍ଟ କ୍ଲିଅରାନ୍ସ ମଞ୍ଜୁର କରିଛନ୍ତି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରି କମିଟି(ଏଫଏସି) ଏହି ଦୁଇ ଆବାସିକ ସ୍କୁଲ ନିର୍ମାଣ ପାଇଁ ଫରେଷ୍ଟ କ୍ଲିଅରାନ୍ସ-୧ ପ୍ରଦାନ କରିବା ସହ କେଉଁ ଅଫିସରମାନଙ୍କ ତ୍ରୁଟି ଯୋଗୁ ଜଙ୍ଗଲ ଜମିରେ ବିନା ଅନୁମତିରେ ସ୍କୁଲ ନିର୍ମିତ ହେଲା ତା’ର ଖୋଳତାଡ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଅଫିସରମାନେ ଏଥିରେ ଦାୟୀ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛନ୍ତି ।

Advertisment

କେନ୍ଦୁଝର ଜିଲ୍ଲାରେ ଦୁଇ ଆବାସିକ ଏକଲବ୍ୟ ସ୍କୁଲ

ସେପ୍ଟେମ୍ବର ୨୬ତାରିଖରେ ଅନୁଷ୍ଠିତ କେନ୍ଦ୍ର ସରକାରଙ୍କ ଫରେଷ୍ଟ(Forest) ଆଡଭାଇଜରି କମିଟି ବୈଠକରେ, କେନ୍ଦୁଝର ଜିଲ୍ଲାରେ ନିର୍ମିତ ଦୁଇଟି ଏକଲବ୍ୟ ମଡେଲ ଆବାସିକ ସ୍କୁଲ(School) ପ୍ରକଳ୍ପର ଜମିକୁ ଫରେଷ୍ଟ କ୍ଲିଅରାନ୍ସ ପ୍ରଦାନ କରାଯାଇଥିଲା। କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଏହି ସ୍କୁଲ ନିର୍ମାଣ ପାଇଁ ବିଭିନ୍ନ ମାନଦଣ୍ଡ ଥିବା ସତ୍ତ୍ୱେ ସେସବୁକୁ ଅଣଦେଖା କରି କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ଜମିରେ  ଏହି ଦୁଇ ଆବାସିକ ସ୍କୁଲ ନିର୍ମାଣ କରାଯାଇଥିଲା । ୨୦୨୪ ମସିହାରେ ପିଛିଲା ଭାବେ ଏଥିପାଇଁ ଫରେଷ୍ଟ କ୍ଲିଅରାନ୍ସ ନିମନ୍ତେ ଆବେଦନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାର ପାଟଣା ତହସିଲ ଅନ୍ତର୍ଗତ ଏରେଣ୍ଡେଇଠାରେ ୨.୮୦୩ ହେକ୍ଟର ଜଙ୍ଗଲ ଜମି ଓ ସାହାରପଡ଼ା ତହସିଲର ଉଦୟପୁରଠାରେ ୪.୦୫ହେକ୍ଟର ଜଙ୍ଗଲ ଜମିରେ ନିର୍ମିତ ଏକଲବ୍ୟ ଆବାସିକ ସ୍କୁଲ ପାଇଁ ଫରେଷ୍ଟ କ୍ଲିଅରାନ୍ସ ଉପରେ ବୈଠକରେ ଆଲୋଚନା ହୋଇଥିଲା । ବିଧିବଦ୍ଧ ପ୍ରକ୍ରିୟାରେ ଏହି ସ୍କୁଲ ନିର୍ମାଣ ପୂର୍ବରୁ କାହିଁକି ଫରେଷ୍ଟ କ୍ଲିଅରାନ୍ସ ନିଆଗଲା ନାହିଁ ବୋଲି ଜଙ୍ଗଲ ଉପଦେଷ୍ଟା କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ଦୋଷୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି ।

ଉପଦେଷ୍ଟା କମିଟିର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଉପଦେଷ୍ଟା କମିଟି(ଏଫଏସି) ଏହି ଫରେଷ୍ଟ କ୍ଲିଅରାନ୍ସ ପାଇଁ ଆବେଦନ ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଏହାର ପ୍ରସ୍ତୁତି ପ୍ରକ୍ରିୟାରେ ଥିବା କେତେକ ବଡ଼ଧରଣର ତ୍ରୁଟିକୁ ଉଜାଗର କରିଛନ୍ତି । କମିଟି କହିଛନ୍ତି ଯେ, ‘ଏକଲବ୍ୟ ମଡେଲ ଆବାସିକ ସ୍କୁଲ’ ହେଉଛି କେନ୍ଦ୍ର ସରକାରଙ୍କ ଏକ ପୁରୁଣା ଯୋଜନା ।  କିନ୍ତୁ ଓଡ଼ିଶା ସରକାର ବହୁ ବିଳମ୍ବରେ ୨୦୨୪ ମସିହାରେ ଫରେଷ୍ଟ କ୍ଲିଅରାନ୍ସ ପାଇଁ ପ୍ରସ୍ତାବ ପଠାଇଛନ୍ତି । ଯାହାକି ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଅଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଏହି ଫରେଷ୍ଟ କ୍ଲିଅରାନ୍ସ ନିମନ୍ତେ ସାମାଜିକ ପାରିପାଶ୍ୱିର୍କ ପ୍ରଭାବର ଆକଳନ ରେକର୍ଡ କିମ୍ବା ଷ୍ଟେକହୋଲଡରମାନଙ୍କ ପରାମର୍ଶ ମଧ୍ୟ ଏହି ପ୍ରସ୍ତାବରେ ଉଲ୍ଲେଖ ରହିନାହିଁ । ରାଜ୍ୟ ସରକାରଙ୍କ ଆବେଦନରେ ଦିଆଯାଇଥିବା ଦଲିଲଗୁଡ଼ିକ ଅସମ୍ପୂର୍ଣ୍ଣ ଓ ପ୍ରକଳ୍ପ ବିବରଣୀ ମଧ୍ୟ ଅସ୍ପଷ୍ଟ ।

Advertisment

ଓଡ଼ିଶା ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ଏସବୁ ତ୍ରୁଟିଗୁଡ଼ିକୁ ସୁଧାରିବା ଓ ପ୍ରକ୍ରିୟାକୁ ସୁସଙ୍ଗତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜଙ୍ଗଲ ଉପଦେଷ୍ଟା କମିଟି ମଧ୍ୟ ରାଜ୍ୟ (Odisha) ସରକାରଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏଭଳି ବିଳମ୍ବକୁ ଏଡ଼ାଇବା ଏବଂ ଅସମ୍ପୂର୍ଣ୍ଣ ଦଲିଲ ଦାଖଲ ନକରିବା ପାଇଁ ଫରେଷ୍ଟ କ୍ଲିଅରାନ୍ସ ଆବଶ୍ୟକ ପଡ଼ୁଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଏକ ସେଂଟ୍ରାଲାଇଲଡ୍ ସେଲ୍ ପ୍ରତିଷ୍ଠା କରିବାକୁ କହିଛନ୍ତି । ଜଙ୍ଗଲ ଜମି ପାଇଁ କ୍ଲିଅରାନ୍ସ ହାସଲ ନିମନ୍ତେ ପ୍ରକ୍ରିୟାଗତ ତ୍ରୁଟି ଓ ବିଳମ୍ବିତ ଦାଖଲରେ ଦାୟୀ ଉଭୟ ଜଙ୍ଗଲ ଓ ଆଦିବାସୀ କଲ୍ୟାଣ ବିଭାଗର ଦାୟିତ୍ୱରେ ଥିବା ଅଫିସରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କିରବାକୁ ପରାମର୍ଶ ଦେଇଛନ୍ତି । ଭବିଷ୍ୟତରେ ପ୍ରସ୍ତାବ ପଠାଇବାବେଳେ ସେଥିରେ ପ୍ରକଳ୍ପର ବିସ୍ତୃତ ପ୍ରଭାବ ଆକଳନ, ଜଙ୍ଗଲ ଜମି ଅଧିକାର ଅଧିନିୟମର ସମ୍ପୂର୍ଣ୍ଣ ଅନୁପାଳନ ଓ ସ୍ଥାନୀୟ ଲୋକଙ୍କ ପରାମର୍ଶକୁ ସାମିଲ କରି ସେଥିରେ ପାରଦର୍ଶିତା ଆଣିବାକୁ କୁହାଯାଇଛି ।

ଦାୟୀ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅ
 
ବିଭିନ୍ନ ପ୍ରକଳ୍ପ ନିମନ୍ତେ ଫରେଷ୍ଟ କ୍ଲିଅରାନ୍ସ ପାଇଁ ହେଉଥିବା ଆବେଦନର ପ୍ରକ୍ରିୟାଗତ ମାନଦଣ୍ଡକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଅଫିସରମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଶେଷକରି ପ୍ରସ୍ତାବ ଦାଖଲରେ ବିଳମ୍ବ, ପୂର୍ବ ପରାମର୍ଶ ନକରିବା ଓ ପରିବେଶ-୨.୦ ଅଧୀନରେ ଆବଶ୍ୟକୀୟ ଡକ୍ୟୁମେଣ୍ଟେସନ ପ୍ରସ୍ତୁତରେ ଅବହେଳା କରିଥିବା ଅଧିକାରୀମାନଙ୍କୁ ଦାୟୀ କରିବାକୁ କୁହାଯାଇଛି । 

ଜଙ୍ଗଲ ଉପଦେଷ୍ଟା କମିଟିରେ କିଏ ଥିଲେ ଉପସ୍ଥିତ


ସେପ୍ଟେମ୍ବର ୨୬ରେ ବସିଥିବା ଏହି ଉପଦେଷ୍ଟା କମିଟି ବୈଠକରେ ଜଙ୍ଗଲ ମହାନିର୍ଦ୍ଦେଶକ ସୁଶୀଲ କୁମାର ଅବସ୍ତି, ଜଙ୍ଗଲ ସଂରକ୍ଷଣର ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ ତିୱାରୀ, ଜଙ୍ଗଲ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ରମେଶ କୁମାର ପାଣ୍ଡେ, ଫରେଷ୍ଟ ଆଇଜି ଆର ରଘୁ ପ୍ରସାଦ, ଏସି ସଦସ୍ୟ ମନୋଜ ପନ୍ଥ ଓ ନିତ୍ୟାନନ୍ଦ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

Odisha School Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe