Advertisment

ରାଜ୍ୟର ୧୨ଶହ ସ୍ଥାନରେ ଜଙ୍ଗଲ ଜଳୁଛି, କାରଣ କହିଲା କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଜଙ୍ଗଲ ନିଆଁରେ ଲାଗୁନି ରୋକ୍। ବିପଦରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ।

ଅଦ୍ୟତନ ହୋଇଛି
Forest Fires

Forest Fires

Advertisment

ଜଙ୍ଗଲ ନିଆଁରେ ଲାଗୁନି ରୋକ୍। ବିପଦରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ। ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ। ଆଜି ପାଖାପାଖି ୧୨ ଶହ ସ୍ଥାନରେ ନିଆଁ ଲାଗିଥିବା ଜଣା ପଡ଼ିଛି। ନିଆଁ ଲିଭାଇବାରେ ବାଧକ ସାଜିଛି ତାତି ଓ ଝାଞ୍ଜି ପବନ। ଏପଟେ ନିଆଁ ଭୟରେ ଜନବସତି ଜୀବନ ବଞ୍ଚାଇବାକୁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ। ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ଶିକାର ଲାଗି ନିଆଁ ଲଗାଉଛନ୍ତି ଶିକାରୀ। ଏହାକୁ ରୋକିବା ଲାଗି ସଚେତନ କରାଯିବା ସହିତ  ନିଆଁ ଲଗାଉଥିବା ସୂଚନା ଦେଲେ, ୧୦ ହଜାର ଟଙ୍କା ଯାଏଁ ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଙ୍ଗଲ ନିଆଁ ନ ଲିଭିବାର କାରଣ ସରକାରୀ ବ୍ୟବସ୍ଥାରେ ଥିବା ଅଣକୁଶଳତା ବୋଲି ଉଲ୍ଲେଖ କରିବା ଆଲୋଚନାକୁ ଜୋରଦାର କରିଛି।

Advertisment

ନୀଳଗିରି ପଞ୍ଚଲିଙ୍ଗେଶ୍ୱର କୁଲଡିହା ଅଭୟାରଣ୍ୟର ତେଲିପାଟ ପାର୍ଶ୍ୱରେ ନିଆଁ ଲାଗିଥିବାରୁ ପଞ୍ଚଲିଙ୍ଗେଶ୍ୱର ପାର୍ଶ୍ୱ ଗାଁ ଆଡ଼କୁ ମାଡ଼ି ଯାଉଛି ହାତୀ। ଖାଲି ହାତୀ ନୁହନ୍ତି, ନିଆଁ ଭୟରେ ବିଷାକ୍ତ ସାପ ବି ଏବେ ଗାଁ ମୁହାଁ। ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ ଜଙ୍ଗଲରେ ନିଆଁ ଲାଗିବା ଫଳରେ ପାହାଡ଼ର ଖାଲି ସ୍ଥାନକୁ ପଳାଇ ଗୋଟିଲ ହାତୀ। ଜଙ୍ଗଲ ନିଆଁ ଯୋଗୁ ଦେଖା ଦେଉଥିବା ଏ ସ୍ଥିତି ପାଇଁ ବନ ବିଭାଗ ଓ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ ବିଶେଷଜ୍ଞ। ଏମିତି ସ୍ଥିତି ଲାଗି ରହିଲେ, ଆଗକୁ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ସେମାନେ ଆଶଙ୍କା ବି କଲେଣି।

ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ହେଉ ବା ରାଜଧାନୀ ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼, କୁଲଡିହା ଅଭୟାରଣ୍ୟ ହେଉ ଅବା ବାଲୁଗାଁର ସୋଲରୀ ପାହାଡ଼, ରାଜ୍ୟବ୍ୟାପୀ ସବୁଠି ଜଳୁଛି ଜଙ୍ଗଲ। ନିଆଁ ବ୍ୟାପି ଚାଲିଛି ଏ ଜଙ୍ଗଲରୁ ସେ ଜଙ୍ଗଲ। ଖବର ପାଇବା ମାତ୍ରେ ନିଆଁ ଲିଭା କାମରେ ଲାଗି ପଡ଼ୁଛନ୍ତି ବନ ବିଭାଗ କର୍ମଚାରୀ। କିନ୍ତୁ ଦିନ ସମୟରେ ପ୍ରଚଣ୍ଡ ତାତି ଓ ଝାଞ୍ଜି ପବନ ଯୋଗୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ୁଛି ବୋଲି କହିଛନ୍ତି ବନ ଅଧିକାରୀ।  

Advertisment

ସେପଟେ ଜଣାପଡ଼ିଛି ଆବଶ୍ୟକତାଠାରୁ କମ୍ କର୍ମଚାରୀରେ ଚାଲୁଥିବା ବନ ବିଭାଗ ଲାଗି ଏଭଳି ସ୍ଥିତିର ମୁକାବିଲା କରିବା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟପଟେ ରାଜ୍ୟରେ ବେକାବୁ ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି। ଏହାର ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ସେ ଅନୁରୋଧ କରିଛନ୍ତି। ଭୂପେନ୍ଦ୍ର ଯାଦବଙ୍କୁ ଦେଇଥିବା ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି, ପରିବେଶବିତ୍, ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତା ସଂପନ୍ନ କମିଟି ଗଠନ କରାଯାଉ। ରାଜ୍ୟରେ ଜଙ୍ଗଲ ନିଆଁ ପ୍ରଶମିତ ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେଉ। ନିଆଁଲିଭା ଗାଡ଼ି ପହଞ୍ଚିପାରୁନଥିବା ଜଙ୍ଗଲର ଅପହଞ୍ଚ ଇଲାକାରେ ଆକାଶମାର୍ଗରୁ ନିଆଁଲିଭା ବ୍ୟବସ୍ଥା କରାଯାଉ। କାରଣ ୨୦୨୧ ବନାଗ୍ନି ଅପେକ୍ଷା ଏବେକାର ସ୍ଥିତି ସାଂଘାତିକ। ଆଧୁନିକ ଯନ୍ତ୍ରପାତି ଥିବା ସତ୍ତ୍ୱେ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇ ପାରୁନାହିଁ।

Fire Breakout Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe