Advertisment

Forest Land ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର: ତିନିବର୍ଷରେ ମାତ୍ର ୧୦% ଆବେଦନକାରୀଙ୍କୁ ଜମି ପଟ୍ଟା, ବିସ୍ଥାପିତ ଭୟ ଘାରିଛି

୨୦୨୩ ଜାନୁୟାରୀ ପହିଲାରୁ ୨୦୨୬ ଜାନୁୟାରୀ ମଧ୍ୟରେ ଜଙ୍ଗଲ ଜମି ଅଧିକାର ପାଇଁ ୧ ଲକ୍ଷ ୨୪ ହଜାର ୩୦୦ ଆବେଦନ ହୋଇଛି । କିନ୍ତୁ ସେଥିରୁ ମାତ୍ର ୧୧,୫୨୧ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି ।

author-image
Prakaash Sethi
FOREST-1

FILE PHOTO

ରାଜ୍ୟ ସରକାରଙ୍କ ଟାଳଟୂଳ ନୀତି ଯୋଗୁ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାରରୁ ବଂଚିତ ହେବାକୁ ପଡ଼ିଛି । ବିଗତ ୩ବର୍ଷ ମଧ୍ୟରେ ମାତ୍ର ୧୦ପ୍ରତିଶତ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିପାରିଛି । ବାକି ୯୦ ପ୍ରତିଶତ ଆଦିବାସୀଙ୍କୁ ଏବେବି ବିସ୍ଥାପିତ ହେବା ଭୟ ଘାରିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଦୁର୍ଗାଦାସ ଉକେ ଗତ ୩ଦିନ ତଳେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ଓଡ଼ିଶା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ।

Advertisment

ଆଦିବାସୀଙ୍କୁ ପ୍ରତାରଣା: ଲକ୍ଷେ ଆବେଦନକାରୀ, ମାତ୍ର ୧୧ ହଜାରଙ୍କୁ ପଟ୍ଟା

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ବିଗତ ୩ବର୍ଷ (୨୦୨୩ ଜାନୁୟାରୀ ପହିଲାରୁ ୨୦୨୬ ଜାନୁୟାରୀ) ମଧ୍ୟରେ ଜଙ୍ଗଲ ଜମି ଅଧିକାର ପାଇଁ ୧ ଲକ୍ଷ ୨୪ ହଜାର ୩୦୦ ଆବେଦନ ହୋଇଛି । କିନ୍ତୁ ସେଥିରୁ ମାତ୍ର ୧୧,୫୨୧ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ଅର୍ଥାତ୍ ୩ବର୍ଷ ମଧ୍ୟରେ ଆବେଦନ କରିଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତଙ୍କୁ ଜମି ପଟ୍ଟା ପ୍ରଦାନ ସମ୍ଭବପର ହୋଇପାରିଛି ଓ ୯୦ ପ୍ରତିଶତ ଆଦିବାସୀ ଆଜି ବି ନିଜର ଅଧିକାର ପାଇଁ ସରକାରୀ ଅଫିସକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି । ଆଦିବାସୀମାନେ ଯିଏକି ଜଙ୍ଗଲର ଅସଲ ମାଲିକ, ସେମାନଙ୍କୁ ପଟ୍ଟା ନଦେଇ ସରକାର କେବଳ ସମୟ ଗଡ଼ାଇ ଚାଲିଛନ୍ତି, ଯାହା କେନ୍ଦ୍ର ସରକାରଙ୍କ ଲିଖିତ ଉତ୍ତର ପରେ ସ୍ପଷ୍ଟ ହୋଇଯାଇଛି ।


ବିସ୍ଥାପିତ ଭୟରେ ଜଙ୍ଗଲ ଅଧିବାସୀ, ବାଧକ ସାଜିଛି ତିନି ପିଢ଼ିର ପ୍ରମାଣପତ୍ର

ଜଙ୍ଗଲ ଅଧିକାର ଆଇନର ଧାରା ୪(୫)ର ପ୍ରାବଧାନ ଅନୁସାରେ, ଯେପର୍ଯ୍ୟନ୍ତ ଜଣେ ଅଧିବାସୀଙ୍କ ଦାବିର ଯାଂଚ ପ୍ରକ୍ରିୟା ଶେଷ ହୋଇନାହିଁ, ତାଙ୍କୁ ବାସସ୍ଥାନରୁ ବେଦଖଲ କରାଯାଇପାରିବ ନାହିଁ । କିନ୍ତୁ ଓଡ଼ିଶାରେ ହଜାର ହଜାର ଆବେଦନକୁ ବିନା କୌଣସି ଠୋସ୍ କାରଣରେ ଖାରଜ କରି ଆଦିବାସୀମାନଙ୍କୁ ନିଜ ଭିଟାମାଟିରୁ ବେଦଖଲ ପାଇଁ  ମାର୍ଗ ପ୍ରଶସ୍ତ କରାଯାଉଥିବା ଅଭିଯୋଗ ହେଉଛି ।  ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଙ୍ଗଲରେ ପିଢ଼ି ପିଢ଼ି ଧରି ରହି ଆସୁଥିବା ଆଦିବାସୀ ଓ ଅଣଆଦିବାସୀମାନେ ପାରମ୍ପରିକ ଜଙ୍ଗଲ ଅଧିବାସୀ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଧିକାରରୁ ବଂଚିତ କରିବାକୁ ତିନି ପିଢ଼ିର ରହଣୀର ପ୍ରମାଣପତ୍ର(୭୫ବର୍ଷର)କୁ ପ୍ରଶାସନ ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛି । 

Advertisment

ତେବେ ପ୍ରଶ୍ନ ଉଠୁଛି, ଯେଉଁ ନିରୀହ ଆଦିବାସୀମାନେ ବର୍ଷବର୍ଷ ଧରି ଜଙ୍ଗଲରେ ଜୀବନ ବିତାଉଛନ୍ତି ଓ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନାହିଁ ସେମାନେ ୭୫ବର୍ଷର ପ୍ରମାଣ(ଦସ୍ତାବିଜ) କେଉଁଠି ଆଣିବେ? ପ୍ରଶାସନ କାହିଁକି ନିଜ ତରଫରୁ ସେମାନଙ୍କର ବାସିନ୍ଦାର ପ୍ରମାଣପତ୍ରକୁ ସହଜ କରାଉନାହିଁ ବୋଲି ପ୍ରଶ୍ନ ଉଠିଛି।

କାହିଁକି ବର୍ଷବର୍ଷ ଧରି ପଡ଼ି ରହିଛି ଲକ୍ଷେ ଆବେଦନ?

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ବାରମ୍ବାର ଚିଠି ଲେଖି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତି ୩ମାସରେ ଅତିକମରେ ଥରେ ରାଜ୍ୟସ୍ତରୀୟ ଅନୁଧ୍ୟାନ କମିଟି ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ୨୦୨୫ ଡିସେମ୍ବରରେ ମଧ୍ୟ ଜାତୀୟସ୍ତରୀୟ କର୍ମଶାଳା କରି ରାଜ୍ୟଗୁଡ଼ିକୁ ତୁରନ୍ତ ଏହି ଜଙ୍ଗଲ ଜମି ଅଧିକାର ଆବେଦନଗୁଡ଼ିକର ବିଚାର ପାଇଁ ତାଗିଦ୍ କରିଥିଳେ । କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇନାହିଁ । ପ୍ରତି ତିନି ମାସରେ ସମୀକ୍ଷା ହୋଇଥିଲେ ପ୍ରାୟ ୧ଲକ୍ଷ ଆବେଦନ ୩ବର୍ଷ ଧରି ପଡ଼ି ରହିନଥାନ୍ତା ବୋଲି କୁହାଯାଉଛି । କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଆଇନ(ଏଫଆରଏ) ସେଲ୍ ଗଠନ କରିବା ଓ ପ୍ରଶାସନକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁଁ ଆଦିବାସୀମାନଙ୍କୁ ନିଜ ଭିଟାମାଟିରେ ବେଦଖଲର ଭୟ ଘାରିଛି ।  ଲକ୍ଷାଧିକ ( Forest Right) ଆବେଦନ ବିଚାର ପାଇଁ ଆସୁଥିଲେ ମଧ୍ୟ ଜିଲ୍ଲାସ୍ତରୀୟ କମିଟି ଓ ସବଡିଭିଜନ ସ୍ତରୀୟ କମିଟିଗୁଡ଼ିକ କାହିଁକି ଏହାଉପରେ ତ୍ୱରିତ୍ ପଦକ୍ଷେପ ନେଉନାହାନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି ।

Forest Right