ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶନିବାର କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଥିବା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ଓ ତାଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭବାନୀପାଟଣାର ହିଲ୍ ଟାଉନ ଅଞ୍ଚଳରେ ତାଙ୍କର ଏକ ୩ ମହଲା କୋଠା ରହିଛି। ଏହା ପାଖାପାଖି ୫୩୦୦ ବର୍ଗଫୁଟ ଜାଗାରେ ୨୦୨୨ରୁ ୨୦୨୪ ମସିହା ଭିତରେ ନିର୍ମିତ ହୋଇଛି। ଏହାର ଦାମ୍ ପାଖାପାଖି ୧ କୋଟି ୩୬ ଲକ୍ଷ।
ଫରେଷ୍ଟର ଶ୍ରୀ ବେହେରାଙ୍କର ୯ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ସବୁ ପ୍ଲଟ ଭବାନୀପାଟଣାରେ ଅଛି।
ସେହିଭଳି ଭିଜିଲାନ୍ସ ଫରେଷ୍ଟର ଶ୍ରୀ ବେହେରାଙ୍କର ୮ଟି ଗାଡ଼ି ଠାବ କରିଛି। ତା’ ମଧ୍ୟରେ ରହିଛି ଦୁଇଟି ଚାରିଚକିଆ (TOYOTA Urban Cruiser ଓ Bolero), ଗୋଟିଏ ଦୁଇ ଚକିଆ, ୨ଟି Kubota ହାର୍ଭେଷ୍ଟର ମେସିନ, ୪ଟି ଟ୍ରାକ୍ଟର ଓ ଗୋଟିଏ ଦୁଇ ଚକିଆ ଗାଡ଼ି। TOYOTA Urban Cruise ଓ ଗୋଟିଏ ଦୁଇ ଚକିଆ ଗାଡ଼ିକୁ ଛାଡ଼ି ଦେଲେ ବାକିତକ ବେନାମୀ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ତାଙ୍କର TOYOTA Urban Cruise ଓ ଗୋଟିଏ ଦୁଇ ଚକିଆ ଗାଡ଼ି ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା।
ଏସବୁ ସହିତ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରୁ ପ୍ରାୟ ୨୧୦ ଗ୍ରାମର ସୁନା ଓ ୨୫୦ ଗ୍ରାମର ରୁପା ଅଳଙ୍କାର ଜବତ କରାଯାଇଛି। ତାଙ୍କର ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ୩୪ ଲକ୍ଷ ୬୪ ହଜାର ୭୯୧ ଟଙ୍କା ରହିଛି। ତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ରର ମୂଲ୍ୟ ପ୍ରାୟ ୧୧.୫ ଲକ୍ଷ ଟଙ୍କା।
ଶ୍ରୀ ବେହେରା କେମିତି ଏତେ ସଂପତ୍ତି ଠୁଳ କଲେ ସେ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପଚରାଉଚରା କରିଥିଲା। କିନ୍ତୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ଏହି ଘଟଣାକୁ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ ଜାରି ରହିଛି।
ଫରେଷ୍ଟଗାର୍ଟରୁ ଫରେଷ୍ଟର
ଭିଜିଲାନ୍ସର ସୂଚନା ଅନୁଯାୟୀ, ୨୦୦୦ ମସିହା ଅଗଷ୍ଟ ୨୦ ତାରିଖରେ ଜଣେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ ଶ୍ରୀ ବେହେରା। ସେତେବେଳେ ସେ କଳାହାଣ୍ଡିର ଉତ୍ତର ବନଖଣ୍ଡ ଡିଏଫଓଙ୍କ ଅଫିସରେ ନିଯୁକ୍ତି ପାଇଥିଲେ। ତାଙ୍କର ପ୍ରାରମ୍ଭିକ ଦରମା ୩୦୦୦ ଟଙ୍କା ଥିଲା। ୨୦୨୪ ମାର୍ଚ୍ଚ ୫ ତାରିଖରେ ସେ ଫରେଷ୍ଟର ଭାବେ ପଦୋନ୍ନତି ପାଇଥିଲେ। ସେ ୨୫ ବର୍ଷ ହେଲାଣି ସେହି କଳାହାଣ୍ଡି ଜିଲ୍ଲାରେ ଚାକିରି କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/21/arrest-2026-02-21-13-01-06.jpg)