ପ୍ରକାଶ ମିଶ୍ର ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଆଇପିଏସ ପ୍ରକାଶ ମିଶ୍ର ମଧ୍ୟ ରାଜନୀତିରେ ସାମିଲ ହୋଇ ଆଗାମୀ ଦିନରେ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଲାଗିରହିଛି। ତେବେ ସେ ରାଜନୀତିରେ ଯୋଗ ଦେବା କଥା ଚିନ୍ତା କରିନାହାନ୍ତି ଓ ତାଙ୍କୁ କୌଣସି ଦଳ ପକ୍ଷରୁ କୌଣସି ଯୋଗାଯୋଗ ମଧ୍ୟ କରାଯାଇନଥିବା ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। […]

PrakashMishra

Sampad Mahapatra
  • Published: Monday, 19 November 2018
  • , Updated: 19 November 2018, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଆଇପିଏସ ପ୍ରକାଶ ମିଶ୍ର ମଧ୍ୟ ରାଜନୀତିରେ ସାମିଲ ହୋଇ ଆଗାମୀ ଦିନରେ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଲାଗିରହିଛି। ତେବେ ସେ ରାଜନୀତିରେ ଯୋଗ ଦେବା କଥା ଚିନ୍ତା କରିନାହାନ୍ତି ଓ ତାଙ୍କୁ କୌଣସି ଦଳ ପକ୍ଷରୁ କୌଣସି ଯୋଗାଯୋଗ ମଧ୍ୟ କରାଯାଇନଥିବା ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଅନୁସାରେ ବିଜେପି ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ନିଜର ସଂଗଠନକୁ ସୁଦୃଢ଼ କରି କ୍ଷମତା ଦଖଲ କରିବା ରଣନୀତି ପ୍ରସ୍ତୁତ କରୁଥିବାରୁ କିଛି ବିଶ୍ୱସନୀୟ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବା ସପକ୍ଷରେ ରହିଛି। ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସରକାରୀ ଚାକିରିରୁ ଅବସର ନେଇ ଓଡ଼ିଶା ରାଜନୀତିରେ ପାଦ ଥାପିବାକୁ ଅପେକ୍ଷା କରିଥିବାବେଳେ ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ବିଜେପି ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

୨୦୧୪ ମସିହା ସାଧାରଣ ନିର୍ବାଚନବେଳେ ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଥିଲେ। କିନ୍ତୁ ନିର୍ବାଚନରେ ବିଜେଡିର ଅନୈତିକ କାରବାର ସମ୍ପର୍କରେ ସ୍ୱର ଉଠାଇ ଶ୍ରୀ ମିଶ୍ର ବିଜେଡି ମୁଖିଆଙ୍କ ରୋଷର ଶିକାର ହୋଇଥିଲେ ଓ ତାଙ୍କ ବିରୋଧରେ ମିଥ୍ୟ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ଅବଶ୍ୟ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ତାଙ୍କୁ ଏନେଇ କ୍ଲିନଚିଟ୍ ଦେବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ। କିନ୍ତୁ ମିଛ ଭିଜିଲାନ୍ସ କେଶ ରୁଜୁ କରି ସିବିଆଇ ନିର୍ଦ୍ଦେଶକ ହେବା ପାଇଁ ପ୍ରକାଶଙ୍କ ଦାବିଦାରୀକୁ ବିଫଳ କରିବାରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ସକ୍ଷମ ହୋଇଥିଲା। ପରେ ତାଙ୍କୁ କେନ୍ଦ୍ର ସରକାର ସିଆରପିଏଫ ଡିଜି ଭାବେ ଅବସ୍ଥାପିତ କରିଥିଲେ। ଚାକିରିରୁ ଅବସର ନେବାପରେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି।

ଶ୍ରୀ ମିଶ୍ରଙ୍କ ଭଳି ଜଣେ ଦକ୍ଷ,ସଚ୍ଚୋଟ ଓ କର୍ମଠ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ଦଳରେ ସାମିଲ କରି ବିଜେପି ଓଡ଼ିଶାରେ କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିଛି। ତାଙ୍କୁ ପୁରୀ କିମ୍ବା କଟକ ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ମାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଏଭଳି ଚର୍ଚ୍ଚା ବିଷୟରେ ସେ କିଛି ବି ଜାଣନ୍ତି ନାହିଁ। ରାଜନୀତିରେ ସାମିଲ ହେବା ନେଇ କେହି ତାଙ୍କ ସହ ଏପର୍ଯ୍ୟନ୍ତ ସାମାନ୍ୟତମ ଆଲୋଚନା ବି କରିନାହାନ୍ତି।କିମ୍ବା ତାଙ୍କୁ ରାଜନୀତିରେ ମିଶିବାକୁ ନେଇ କେହି କିଛି ସେଭଳି ଅଫର୍ ଦେଇନାହାନ୍ତି।ଏଭଳି ଖବର ଏବେ ରାଜ୍ୟର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ବୋଲି ପ୍ରଶ୍ନର ଉତ୍ତର ଦେଇ ଏସବୁ ଖବରରେ ସତ୍ୟତା ନାହିଁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁଟାନ ଗସ୍ତରୁ ଫେରିଥିବା ଶ୍ରୀ ମିଶ୍ର ଗଣମାଧ୍ୟମରେ ଏଭଳି ଚର୍ଚ୍ଚାକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ।

Related story