ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା କହିଛନ୍ତି।
ସେ ଦଳର ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ।
୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ରବି ପାଣି ଏଥର ପାଲଲହଡ଼ାରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ଦଳ ତାଙ୍କୁ ୨୦୧୪ରେ ଟିକେଟ୍ ଦେଇ ନଥିଲା କି ଏଥର ବି ଦେଇ ନାହିଁ। ୨୦୧୪ରେ ଦଳ ତାଙ୍କ ବଦଳରେ ମହେଶ ସାହୁଙ୍କୁ ଟିକେଟ୍ ଦେଇଥିଲା। ମହେଶ ଏଥର ବିଜେଡି ଟିକେଟ୍ରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଦଳ ସୁକେଶ ପାଲ୍ଙ୍କୁ ପାଲଲହଡ଼ାରୁ ପ୍ରାର୍ଥୀ କରିଛି।