ରାଜ୍ୟରେ ସାଇବର ଅପରାଧୀଙ୍କ କଳାକାରନାମା ଦିନକୁ ଦିନ ବଢ଼ିବାରେ ଲାଗିଛି । ବରିଷ୍ଠ ଆଇଏଏସ୍ ଅରିନ୍ଦମ ଡାକୁଆ ସାଇବର ଠକଙ୍କ ଶୀକାର ହେବାର ଦୁଇଦିନ ନପୁରୁଣୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ କେହି ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି । ରାଜ୍ୟ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯିବା ସହ ଟଙ୍କା ଆଦାୟ ପାଇଁ ବ୍ୟବହୃତ ହୋଇଥିବା ମୋବାଇଲ ନମ୍ବରକୁ ମଧ୍ୟ ଜାରି କରାଯାଇଛି । ଏନେଇ ସାଇବର କ୍ରାଇମ ଥାନାରେ ଏକ ମାମଲା ରୁଜୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।
ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଟଙ୍କା ଆଦାୟ
ସୂଚନା ଅନୁସାରେ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ସାଧାରଣ ଲୋକଙ୍କଠୁ କିଛି ଅସାଧୁ ବ୍ୟକ୍ତି ଟଙ୍କା ଆଦାୟ କରୁଛନ୍ତି । ଏହି ଠକମାନେ ନିଜକୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟତର ବୋଲି ଦର୍ଶାଇ ବିଭିନ୍ନ କାମ କରାଇ ଦେବାର ବାହାନାରେ ମୋଟା ଅଙ୍କର ଅର୍ଥ ଲୁଟ୍ କରୁଥିବା ଜଣାପଡ଼ିଛି । ଏହି ଘଟଣା ପଦାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ସାଇବର ଥାନାରେ ମାମଲା ଓ ଗିରଫ ନିର୍ଦ୍ଦେଶ
ଟଙ୍କା ଆଦାୟ ପାଇଁ ବ୍ୟବହୃତ ହୋଇଥିବା ମୋବାଇଲ ନମ୍ବର ୭୩୭୭୩୫୨୪୪୯ ଓ ଅଭିଯୋଗକାରୀଙ୍କ ବୟାନକୁ ଆଧାର କରି ସାଇବର କ୍ରାଇମ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏପରି ଅସାଧୁ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ପକ୍ଷରୁ ସତର୍କ ସୂଚନା ଜାରି
ସରକାରଙ୍କ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏଭଳି ଫୋନ୍ କରି ଟଙ୍କା ମାଗନ୍ତି କିମ୍ବା ପରିଚୟର ଅପବ୍ୟବହାର କରି ଟଙ୍କା ଆଦାୟ କରିବା କିମ୍ବା ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ନଜର ଆସୁଛି ତେବେ ତୁରନ୍ତ ପୁଲିସକୁ ଜଣାନ୍ତୁ ଓ ଥାନାରେ ଅଭିଯୋଗ କରନ୍ତୁ । ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ। କୌଣସି ବି ଅଜଣା ବ୍ୟକ୍ତିଙ୍କୁ ଟଙ୍କା ପଇଠ କରିବା ପୂର୍ବରୁ ସମ୍ପୂର୍ଣ୍ଣ ତଥ୍ୟକୁ ଯାଂଚ କରନ୍ତୁ ଓ ଠକାମିରୁ ବଂଚନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ଅତୀତରେ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି କହି ମାଗିଥିଲେ ଟଙ୍କା
ସାଇବର ଅପରାଧୀଙ୍କ ଏହି ଜାଲିଆତି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ୨୦୨୪ ନଭେମ୍ବର ମାସରେ ପାଟଣାଗଡ଼ ଅଞ୍ଚଳରୁ ପୁଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେମାନେ ନିଜକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଓଏସଡି ବୋଲି ପରିଚୟ ଦେଇ ଚାକିରି ଦେବା ନାଁରେ ୨.୧୦ଲକ୍ଷ ଟଙ୍କା ହଡ଼ପ କରିଥିଲେ । ସେହିପରି ୨୦୨୫ ଜୁନ୍ ମାସରେ ଜଣେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଫିସର କହି ଜଣେ ଯନ୍ତ୍ରୀଙ୍କୁ ମାଲକାନଗିରି ବଦଳି କରିଦେବାର ଭୟ ଦେଖାଇ ୨ଲକ୍ଷ ଟଙ୍କା ଆଦାୟ କରିବାବେଳେ ଧରାପଡ଼ିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us