
ରାଜ୍ୟରେ ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଘଂନ, ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ସ୍କିମରେ ଆର୍ଥିକ ଅନିୟମିତତା, ଭିତ୍ତିଭୂମିର ଅଭାବ, ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି, ତଥ୍ୟରେ ଜାଲିଆତିର ପର୍ଦ୍ଦାଫାସ୍ କରିଛନ୍ତି ସିଏଜି । ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବାର ଗୁରୁତର ଦିଗକୁ ସିଏଜି ଇଙ୍ଗିତ କରିବା ସହ ମିଡ ଡେ’ ମିଲଠୁ ଆରମ୍ଭ କରି ସାଇକେଲ ଯୋଜନା ପର୍ଯ୍ୟନ୍ତ ସବୁଥିରେ କିଭଳି ହେରଫେର ହୋଇଛି ସେ ତଥ୍ୟକୁ ସିଏଜି ଉଜାଗର କରିଛନ୍ତି । ଆଜି ବିଧାନସଭାରେ ସିଏଜିଙ୍କ ୨୦୨୫ ବର୍ଷ ପାଇଁ ବିଦ୍ୟାଳୟ ଶିକ୍ଷା ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପିତ ହେବାପରେ ମହାଲେଖାକାର ଅତୁଲ ପ୍ରକାଶ ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।
ମିଡ୍ ଡେ ମିଲ୍ ଚାଉଳ ହଡ଼ପ ପାଇଁ ଭୂତ ଛାତ୍ରଛାତ୍ରୀ
ସିଏଜିଙ୍କ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ଓସେପା ଏବଂ ପିଏମ ପୋଷଣ(ମିଡ ଡେ ମିଲ) ଦ୍ୱାରା ପ୍ରଦତ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ତାଳମେଳ ନାହିଁ । ୨୦୧୮-୧୯ରେ ମିଡ୍ ଡେ୍ ମିଲ୍ ତାଲିକାରେ ଥିବା ପିଲାଙ୍କ ସଂଖ୍ୟା ବାସ୍ତବରେ ନାମଲେଖା ତଥ୍ୟଠାରୁ ପ୍ରାୟ ୨.୫୦ଲକ୍ଷ ଅଧିକ ଥିଲା । ଗୋଟିଏପଟେ ସ୍କୁଲରେ ପିଲାଙ୍କ ସଂଖ୍ୟା କମ୍ ଥିବାବେଳେ ମିଡ୍ ଡେ୍ ମିଲ୍ ତାଲିକାରେ ଅଧିକ ପିଲାଙ୍କ ନାମ ଦର୍ଶାଯାଇ ଚାଉଳ ଓ ଟଙ୍କା ହଡ଼ପ କରାଯାଉଥିବାର ଗୁରୁତର ତ୍ରୁଟିକୁ ସିଏଜି ଉଜାଗର କରିଛନ୍ତି । ଲକ୍ଷ ଲକ୍ଷ ‘ଭୂତ\' ପିଲାଙ୍କ ନାମରେ କୋଟି କୋଟି ଟଙ୍କାର ଚାଉଳ ଓ ଅର୍ଥ ହରିଲୁଟ୍ କରାଯାଇଛି । ୨୦୧୮-୨୩ ଶିକ୍ଷାବର୍ଷ ମଧ୍ୟରେ ପ୍ରଥମରୁ ଏକାଦଶ ଶ୍ରେଣୀ ମଧ୍ୟରେ ପ୍ରାୟ ୧.୫୦ ଲକ୍ଷରୁ ୫.୪୭ ଲକ୍ଷ ପିଲା ପାଠପଢ଼ା ଅଧାରୁ ଛାଡ଼ି (ଡ୍ରପଆଉଟ) ଦେଇଥିବାବେଳେ ୬୧୪୮୭ ଜଣ ସ୍କୁଲ ବାହାରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇପାରିନାହିଁ ।
ପାଣ୍ଠି ଅପଚୟ ଯୋଗୁ କେନ୍ଦ୍ରୀୟ ଅନୁଦାନ ହ୍ରାସ
ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି । ବିଭାଗର ଅପାରଗତା ଯୋଗୁ ପାଣ୍ଠି ଖର୍ଚ୍ଚ ହେଉନଥିବାରୁ କେନ୍ଦ୍ର ସରକାର ୨୦୧୯-୨୨ ମସିହା ମଧ୍ୟରେ ୩୬୯.୧୦କୋଟି ଟଙ୍କାର ଅନୁଦାନ କାଟି ଦେଇଥିଲେ । ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ୨୦୧୯-୨୨ ଆର୍ଥିକ ବର୍ଷ ମଧ୍ୟରେ ବଜେଟରେ ବରାଦ ଅର୍ଥରୁ ୧୧୫୯.୩୧ କୋଟି ଟଙ୍କା ଖର୍ଚ୍ଚ ନହୋଇ ସରକାରଙ୍କୁ ଫେରସ୍ତ ଦିଆଯାଇଛି । ସେହିପରି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମିଳିଥିବା ପାଣ୍ଠିର ମାତ୍ର ୪୪ରୁ ୫୦ ପ୍ରତିଶତ ଅର୍ଥ ବିନିଯୋଗ ହୋଇପାରିଛି । ରାଜ୍ୟରେ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ମୌଳିକ ସୁବିଧାସୁଯୋଗରୁ ଛାତ୍ରଛାତ୍ରୀମାନେ ବଂଚିତ ଥିବାବେଳେ ହଜାର ହଜାର କୋଟି ଟଙ୍କା ଫେରସ୍ତ ଯିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିିଛି ବୋଲି ସିଏଜି କହିଛନ୍ତି ।
୪୩ ପ୍ରତିଶତ ସ୍କୁଲରେ ବସିବା ସୁବିଧା ନାହିଁ, ଶ୍ରେଣୀଗୃହ ଅସୁରକ୍ଷିତ
ରାଜ୍ୟରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିପର୍ଯ୍ୟସ୍ତ ସ୍ଥିତି ପଦାକୁ ଆସିଛି । ସିଏଜିଙ୍କ ନମୂନା ଯାଂଚରୁ ଜଣାପଡ଼ିଛି ଯେ, ୪୩ ପ୍ରତିଶତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଡେସ୍କ-ବେଂଚ ନାହିଁ । ପିଲା ତଳେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି । ୨୩ ପ୍ରତିଶତ ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ କ୍ଲାସର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି । ରାଜ୍ୟର ୪୬ ପ୍ରତିଶତ ସ୍କୁଲରେ ଛାତ୍ର-ଶ୍ରେଣୀଗୃହ ଅନୁପାତ ଅତ୍ୟନ୍ତ ଖରାପ ରହିଛି । ଗୋଟିଏ ରୁମରେ ନିୟମଠାରୁ ଅଧିକ ପିଲା ବସୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ଏପରିକି ୧୫ ପ୍ରତିଶତ ସ୍କୁଲର କୋଠା ବିପଦଶଙ୍କୁଳ ଅବସ୍ଥାରେ ଥିବାବେଳେ ୧୯ ପ୍ରତିଶତ ସ୍କୁଲରେ ଶୌଚାଳୟ ଅପରିଷ୍କାର କିମ୍ବା ଅଚଳ ହୋଇ ପଡ଼ିରହିଛି ।
କୋରାପୁଟ ଜିଲ୍ଲାରେ ସ୍କୁଲ ଘର ତିଆରି ପାଇଁ ଟଙ୍କା ଉଠାଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି କାମ ଶେଷ ହୋଇନାହିଁ । ସେମିଳିଗୁଡ଼ା ବ୍ଲକର ରେଣୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ପାଇଁ ୨୦୧୩ ମସିହାରେ ୪.୦୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ କାମ ଶେଷ ହୋଇନାହିଁ, ଅଥଚ ଟଙ୍କା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏଭଳି ୧୭ଟି ପ୍ରକଳ୍ପରେ ୫୮.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଛି, ଯାହା ସିଧାସଳଖ ଦୁର୍ନୀତିକୁ ଇଙ୍ଗିତ କରୁଛି ।
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ରହିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ରାଜ୍ୟର ୪୮ ପ୍ରତିଶତ ପ୍ରାଥମିକ ଓ ୪୩ ପ୍ରତିଶତ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାଙ୍କ ସଂଖ୍ୟା ତୁଳନାରେ ଶିକ୍ଷକ ସଂଖ୍ୟା ବହୁତ କମ ରହିଛି । ମାଧ୍ୟମିକସ୍ତରରେ ୯୪ ପ୍ରତିଶତ ବିଦ୍ୟାଳୟରେ କଳା ଶିକ୍ଷକ ଓ ୩୧ ପ୍ରତିଶତ ବିଦ୍ୟାଳୟରେ ଖେଳ ଶିକ୍ଷକ ନାହାନ୍ତି ।
ରାଜ୍ୟର ଅନେକ ସ୍ଥାନରେ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପାଇଁ ଯନ୍ତ୍ରପାତି କିଣାଯାଇଥିଲେ ମଧ୍ୟ ଦକ୍ଷ ଶିକ୍ଷକ ଓ ବିଦ୍ୟୁତ୍ ସଂଯୋଗ ଅଭାବରୁ ସେଗୁଡ଼ିକ ଅଚଳ ହୋଇ ପଡ଼ିରହିଛ । ଶିକ୍ଷକ ଅଭାବ ଯୋଗୁଁ ୨୦୨୨-୨୩ ମସିହାରେ ଦଶମ ଶ୍ରେଣୀ ପରୀକ୍ଷାରେ ମାତ୍ର ୧ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି ।
ସରକାରୀ ଯୋଜନାର ହରିଲୁଟ,ଭିନ୍ନକ୍ଷମ ପିଲାଙ୍କୁ ବି ଛାଡ଼ିଲେନି
ବିଭିନ୍ନ ଯୋଜନାରେ ହିତାଧିକାରୀ ଥିବା ଛାତ୍ରଛାତ୍ରୀଙ୍କ ଅର୍ଥକୁ ହଡ଼ପ କରାଯାଇଥିବା ସିଏଜି ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି । ଛାତ୍ରଛାତ୍ରୀଙ୍କ ପାଖକୁ ଡିବିଟି ମାଧ୍ୟମରେ ଯୋଜନାର ଅର୍ଥ ପହଂଚାଇବାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ବିଶେଷକରି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିବହନ ଭତ୍ତା ଓ ଷ୍ଟାଇପେଣ୍ଡ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ନଯାଇ ଅନ୍ୟ ବ୍ୟାଙ୍କ ଓ ଅଚଳ ଆକାଉଣ୍ଟକୁ ପଠାଯାଇଛି । ହଜାର ହଜାର ଟଙ୍କା ଭୁଲ ଆକାଉଣ୍ଟକୁ ଯିବା ଯୋଗୁ ଶହ ଶହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସେମାନଙ୍କ ହକ୍ ପାଇବାରୁ ବଂଚିତ ହୋଇଥିବା ନମୂନା ଯାଂଚରୁ ଜଣାପଡ଼ିଛି । ସେହିପରି ସାଇକେଲ କିଣିବା ପାଇଁ ଆସିଥିବା ୧.୫୯ କୋଟି ଟଙ୍କା ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ ତଥ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚି ପାରିନଥିଲା । ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ପାଇଁ ୨୦୧୮-୨୩ ମସିହା ମଧ୍ୟରେ ପ୍ରାୟ ୧୯,୨୬୦ଟି ସ୍କୁଲକୁ ତାଲିମ ପାଇଁ ପାଣ୍ଠି ଦିଆଯାଇନାହିଁ । ଆଉ ଯେଉଁ ସ୍କୁଲଗୁଡ଼ିକୁ ସ୍କୁଲକୁ ପାଣ୍ଠି ଯାଇଥିଲା ସେଥିରୁ ୬୫ ପ୍ରତିଶତ ସ୍କୁଲ ୟୁସି ଦାଖଲ କରିନାହାନ୍ତି । ତାଲିମ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ନହୋଇ ବାଟମାରଣା ହୋଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
