gajapati
ମୋହନା (ମିହିର ଜତି): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ସରକାର ଗୋଟିଏ ପରେ ଗୋଟିଏ ସ୍କିମ୍ ଘୋଷଣା କରିବାରେ ଲାଗିଛନ୍ତି। କିନ୍ତୁ ଯେଉଁମାନେ ବାସ୍ତବରେ ସମସ୍ୟା ଘେରରେ ଅଛନ୍ତି, ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବାର ଅନେଜ ନଜିର ସାମ୍ନାକୁ ଆସିଛି। ଏବେ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ବାଦପୁର ଗାଁରେ ଦୀର୍ଘ ବର୍ଷ ଧରି ଗୋଟିଏ ବଡ଼ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ସ୍ଥାୟୀ ପୋଲଟିଏ ନାହିଁ। ଫଳରେ ସ୍ଥାନୀୟ ଲୋକେ ନିଜ ଜୀବନକୁ ବାଜି ଲଗାଇ ଏହି କାଠପୋଲରେ ଯିବା ଆସିବା କରୁଛନ୍ତି। କାରଣ ଏହି ନଦୀରେ ବଡ଼ ବଡ଼ କୁମ୍ଭୀର ବାସ କରୁଛନ୍ତି। ସାମାନ୍ୟ ଅସାବଧାନତା ହେଲେ କୁମ୍ଭୀର ମୁହଁକୁ ଚାଲିଯିବେ ଲୋକେ।
ପୁରୁଣା ପାଣି ପଞ୍ଚାୟତରେ ତିନି ଖଣ୍ଡ ଗାଁର ଲୋକେ ଘୋଡାହାଡ ନଦୀ ଉପରେ ନିର୍ଭର କରନ୍ତି। ପୋଲ ନଥିବାରୁ ବର୍ଷ ବର୍ଷ ଧରି ଏହି ୩ ଖଣ୍ଡ ଗାଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ, ମେଡିକାଲ ଓ ବଜାର ହାଟ ସମସ୍ତ କ୍ଷେତ୍ରରେ ଏହି କାଠ ପୋଲ ହିଁ ସେମାନଙ୍କର ସାହା ଭରସା। ନିଜ ଉଦ୍ୟମରେ ପ୍ରତି ବର୍ଷ କାଠ ପୋଲ ତିଆରି କରି ତା ଉପରେ ନିର୍ଭର କରି ଆସୁଛନ୍ତି। ଗାଁ ଲୋକେ ଆଜି କାଲି ନୁହେଁ, ଗତ ୩୫-୪୦ ବର୍ଷ ଧରି ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ହେଲେ ଆଜି ଯାଏ ଏଥିପ୍ରତି ନା ସ୍ଥାନୀୟ ସରପଞ୍ଚଙ୍କର ନଜର ପଡ଼ିଛି ନା ପ୍ରଶାସନର।
ଏଭଳି ସମସ୍ୟାକୁ ନେଇ ଗାଁ ଲୋକଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଜଣେ ଗ୍ରାମବାସୀ କହିଛନ୍ତି, ନିର୍ବାଚନ ଆସିଲେ ନେତାମାନେ ନାନା ପ୍ରତିଶ୍ରୁତି ନେଇ ଆମ ପାଖକୁ ଆସନ୍ତି। ବ୍ରିଜ୍ ନିର୍ମାଣ ପାଇଁ ଆମକୁ ଦୀର୍ଘ ଦିନ ହେଲା କେବଳ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ନିର୍ବାଚନ ଶେଷ ହେଲା ପରେ ନିଜ ବାଟରେ ନିଜେ ଚାଲି ଯାଉଛନ୍ତି। ଆଉ ଆମେ ସେହି ଦୁର୍ଦ୍ଦଶାରେ ପଡ଼ି ରହୁଛୁ।
ଆଉ ଜଣେ ଗ୍ରାମବାସୀ କହିଛନ୍ତି, ଆମେ ବହୁ ପରିଶ୍ରମ କରି କାଠ ପୋଲଟିଏ ନିର୍ମାଣ କରୁଛୁ। କିନ୍ତୁ ଆମର ଦୁଃଖ ଦେଖିବାକୁ କେହି ଆସୁନାହାନ୍ତି। ନଦୀରେ କୁମ୍ଭୀର ରହୁଛନ୍ତି। ପିଲାମାନେ ମଧ୍ୟ ଏହି ପୋଲରେ ଯିବାଆସିବା କରୁଛନ୍ତି। ଯଦି କୌଣସି କାରଣରୁ କାଠପୋଲଟି ଭାଙ୍ଗିଗଲା, ତାହେଲେ ଆମର ଜୀବନ ବିପଦରେ ପଡ଼ିପାରେ।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମ ଗାଁରେ କେହି ଶିକ୍ଷିତ ନାହାନ୍ତି। ଯଦି କେହି ପାଠପଢା ଲୋକେ ଏଠି ଥାନ୍ତେ। ତାହେଲେ ଆମ ସମସ୍ୟାକୁ ଭଲଭାବେ ବୁଝିପାରିଥାନ୍ତା। ଗାଁର ସମସ୍ୟା କଥା ଆମେ ବିଡିଓ, ତହସିଲଦାରଙ୍କୁ କହିଛୁ। ଏପରିକି ସରପଞ୍ଚଙ୍କ ଠାରୁ ସରକାରୀ ଅଧିକାରୀଙ୍କ ପାଖରେ ମଧ୍ୟ ଆମର ଏହି ସମସ୍ୟା କଥା ପହଞ୍ଚିଛି, କିନ୍ତୁ କେହିବି ଏଥିପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକଙ୍କର ଏହି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ କିମ୍ବା ଅନ୍ୟ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/kandhamal-1.jpg)