Advertisment

ଲୋଭ ଦେଖାଇଲେ, ଆତ୍ମସମର୍ପଣ କଲା ପରେ ଠକିଦେଲେ ସରକାର!

ସୁରକ୍ଷା ଦୃଷ୍ଟିରୁ ସୁରୟମ ଓ ପବିତ୍ରାଙ୍କୁ ଗୁରୁଝୋଳୀରୁ ମୋହନା ବ୍ଲକ୍‌ ବିରକୁଟ୍‌କୁ ନେଇ ଆସିଥିଲେ। ସେଠାରେ ସରକାରଙ୍କ ପକ୍ଷରୁ ତାଙ୍କୁ ଗୋଟିଏ ଜମି ଦେଖା ଯାଇଥିଲା। ସେହି ଜମିରେ ବାଡ଼ ଘେରାଇ ଘର କରି ରହୁଥିଲେ ସୁରୟମ ଓ ପବିତ୍ରା।

ଅଦ୍ୟତନ ହୋଇଛି
Gajapati

Gajapati

Advertisment

ଲୋଭ ଦେଖାଇଲେ। ଆତ୍ମସମର୍ପଣ କଲେ ସବୁ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। କଥା ରଖି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ନକ୍ସଲ ଦମ୍ପତି। ହେଲେ ପରବର୍ତ୍ତୀ ସମୟରେ ଠକିଦେଲେ ସରକାର! ରହିବା ପାଇଁ ଜମି ଦେଇ ସେଥିରୁ କିଛି କାଢ଼ି ନେଲେ। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ। ପ୍ରଶାସନିକ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ନକ୍ସଲ ଦମ୍ପତି।

Advertisment

ପୂରା ଘଟଣାଟି ଏମିତି। ଆନ୍ଧ୍ରପ୍ରଦେଶର ସୁରୟମ ମାଝୀ। ୧୯ ବର୍ଷ ବୟସରେ ନକ୍ସଲରେ ସାମିଲ ହୋଇଥିଲେ। ଆଉ ବଡ଼ବଡ଼ ଅପରେଶନରେ ନିଜକୁ ସାମିଲ କରାଇଥିଲେ। ଯେଉଁଥିପାଇଁ ନକ୍ସଲଙ୍କ ଟପ୍‌ ଲିଡରଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ସୁରୟମ୍‌ ମାଝୀ। ଆଉ ବନି ଯାଇଥିଲେ ଟପ୍‌ କ୍ୟାଡର ନକ୍ସଲ। ରକ୍ତର ହୋଲି ଖେଳୁଥିଲେ। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍‌ ପାଲଟି ଯାଇଥିଲେ। ତାଙ୍କ ମୁଣ୍ଡ ପାଇଁ ଆନ୍ଧ୍ର ସରକାର ୪ ଲକ୍ଷ ଓ ଓଡ଼ିଶା ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ।

ବନ୍ଧୁକ ଓ ବୋମାରେ ରକ୍ତର ହୋଲି ଖେଳୁଥିବା ସୁରୟମ କେତେବେଳେ ନିଜ ସଙ୍ଗଠନର ପବିତ୍ରାଙ୍କ ପ୍ରେମରେ ପଡ଼ିଲେ ଜାଣିପାରିଲେ ନାହିଁ। କଥା ଟୁବୁରୁ ଟାବୁରୁ ହେବା ପରେ ଉଭୟ ବିବାହ କରିଦେଲେ। ବାହାଘର ପରେ ବେଶୀ ଦିନ ସଙ୍ଗଠନରେ ରହିପାରିଲେ ନାହିଁ। ଉଭୟ ନକ୍ସଲ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ୨୦୦୭ ମସିହାରେ ରକ୍ତର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଥିଲେ ସୁରୟମ ଓ ପବିତ୍ରା। ଉଭୟ ଗଜପତି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ।

Advertisment

ଆତ୍ମସମର୍ପଣ କରିବା ପରେ ସୁରୟମ ଓ ପବିତ୍ରାଙ୍କୁ ଦୋଷ ମୁକ୍ତ କରାଗଲା। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ପ୍ୟାକେଜ୍‌ ଦିଆଗଲା ନାହିଁ। ଯାହାହେଉ ନା କାହିଁକି ଉଭୟ ଗୁରୁଝୋଳୀରେ ଜୀବନ ଅତିବାହିତ କରୁଥିଲେ। ସେଠାରେ ରହଣୀ ବେଳେ ପବିତ୍ରାଙ୍କୁ ୨୦୦୯ ମସିହାରେ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିଲା। ପବିତ୍ରା ଅଙ୍ଗନବାଡ଼ି କେନ୍ଦ୍ରରେ ଛୋଟ ଛୋଟ ପିଲାଙ୍କ ଭିତରେ ସମୟ କାଟୁଥିବା ବେଳେ ସୁରୟମ୍‌ ଘର କଥା ବୁଝୁଥିଲେ। ସୁଖ ଓ ଦୁଃଖରେ କଟୁଥିଲା ସଂସାର। କିନ୍ତୁ ସେମାନଙ୍କ ଗତିବିଧି ଉପରେ ପୁଲିସ୍‌ ନଜର ରଖୁଥିଲା। ବିଶେଷ କରି ସୁରୟମ୍‌ ଜଣେ କ୍ୟାଡର ନକ୍ସଲ ଥିବାରୁ ତାଙ୍କ ଉପରେ ସନ୍ଦେହ କରୁଥିଲା ପୁଲିସ୍‌।

ସୁରକ୍ଷା ଦୃଷ୍ଟିରୁ ସୁରୟମ ଓ ପବିତ୍ରାଙ୍କୁ ଗୁରୁଝୋଳୀରୁ ମୋହନା ବ୍ଲକ୍‌ ବିରକୁଟ୍‌କୁ ନେଇ ଆସିଥିଲେ। ସେଠାରେ ସରକାରଙ୍କ ପକ୍ଷରୁ ତାଙ୍କୁ ଗୋଟିଏ ଜମି ଦେଖା ଯାଇଥିଲା। ସେହି ଜମିରେ ବାଡ଼ ଘେରାଇ ଘର କରି ରହୁଥିଲେ ସୁରୟମ ଓ ପବିତ୍ରା। ସୁରୟମ୍‌ ଘରେ ଗୋଟିଏ ତେଜରାତି ଦୋକାନ କରିଥିବା ବେଳେ ପବିତ୍ରା ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କରୁଥିଲେ। ଘର ସଂସାର ଓ ପିଲାଙ୍କୁ ନେଇ ଉଭୟ ବେଶ୍‌ ଖୁସିରେ ରହୁଥିଲେ। ତେବେ ତାଙ୍କ ଘରକୁ ବଢ଼ାଉଥିବା ପାଇଁ କାମ ଆରମ୍ଭ କଲା ବେଳେ କେଁ ବାହାରିଲା।

ଆର୍‌ଆଇ ଉକ୍ତ ଜମିକୁ ମାପି କିଛି ଜମି କାଢ଼ି ନେଇଗଲେ। ଯାହାକୁ ନେଇ କ୍ଷୁବ୍ଧ ହେଲେ ସୁରୟମ୍‌ ଓ ତାଙ୍କ ପତ୍ନୀ ପବିତ୍ରା। ସେମାନଙ୍କ କହିବା କଥା, ସରକାର କିଛି ସହାୟତା ଦେଇନାହାନ୍ତି। ରହିବା ପାଇଁ କେବଳ ଜମି ଖଣ୍ଡକ ଦେଇଥିଲେ। ସେଥିରେ ଘର କରି ରହିବା ପରେ, ସେଥିରୁ ଜମି କାଢ଼ି ନେଉଛନ୍ତି। ତାହାହେଲେ ଆମକୁ କ’ଣ ପାଇଁ ଜମି ଦେଇଥିଲେ? ଆମେ କ’ଣ ଜମି ମାଗିଥିଲୁ କି ବୋଲି ପ୍ରଶ୍ନ କରିଛନ୍ତି ପବିତ୍ରା। ଯଦି ସ୍ଥାନୀୟ ପ୍ରଶାସନ ଆମ ବିଷୟରେ ଚିନ୍ତା ନ କରନ୍ତି, ତେବେ ଆମେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ସମେତ ପୁଲିସ ଡିଜିଙ୍କୁ ସାକ୍ଷାତ କରି ଅଭିଯୋଗ କରିବୁ ବୋଲି କହିଛନ୍ତି।

ଏ ନେଇ ତହସିଲଦାର ହିମାଂଶୁ ଭୂଷଣ ପଲାଇ କହିଛନ୍ତି, ଆତ୍ମ ସମର୍ପଣ ସମୟରେ ସେମାନଙ୍କୁ କେତେ ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିଲା, ତାହାର ଅନୁଧ୍ୟାନ କରିବି। ସେମାନଙ୍କର ଯାହା ପ୍ରାପ୍ୟ ତାହା ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Paralakhemundi Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe