ଘରେ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ, ତଥାପି ରୋଗୀ ଅସହାୟ

କୃଷ୍ଣ ଓ ଦୁଃଖୀଙ୍କୁ ମିଳିଛି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ। ହେଲେ ତାହାର ବ୍ୟବହାର ସେମାନେ ଜାଣିନାହାନ୍ତି। ଏପରିକି ମେଡ଼ିକାଲ୍‌ରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କେହି ପଚାରି ନାହାନ୍ତି।

ହାତ ଓ ଗୋଡ଼ କାମ କରୁନଥିବାରୁ ସ୍ୱାମୀଙ୍କ ହାତ ଗୋଡ଼ ସାଜିଛନ୍ତି ପତ୍ନୀ ଦୁଃଖୀ

  • Published: Monday, 27 March 2023
  • , Updated: 27 March 2023, 08:47 PM IST

ଘରେ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ। ତଥାପି ବେଡ୍‌ରେ ପଡ଼ିଛନ୍ତି କୃଷ୍ଣ। ଅଧିକ ଚିକିତ୍ସା ହୋଇପାରୁ ନାହାନ୍ତି। ଟଙ୍କା କେଇଟା ପାଇଁ ତାଙ୍କ ପତ୍ନୀ ଦୁଃଖୀ ଆ’ ପାଖରେ ତା’ ପାଖରେ କାକୁତି ମିନତି ହେଉଛନ୍ତି। ହେଲେ କେହି ସହାୟତା ଦେଉନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି- ଯଦି ଘରେ ବିଜୁ ସ୍ୱାସ୍ଥ୍ୟ କେର୍ଡ ଅଛି, ତାହାହେଲେ କ’ଣ ପାଇଁ ଚିକିତ୍ସା ହୋଇପାରୁନାହାନ୍ତି କୃଷ୍ଣ ଚନ୍ଦ୍ର ମଲ୍ଲିକ? ପୂରା ଘଟଣା ଜାଣିବାକୁ ହେଲେ ପଢ଼ନ୍ତୁ ପୂରା ରିପୋର୍ଟ।

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଟେଡ଼ାମା ଗାଁର କୃଷ୍ଣ ଚନ୍ଦ୍ର ମଲ୍ଲିକ। ପରିବାର କହିଲେ ପତ୍ନୀ ଦୁଃଖୀ, ବଡ଼ପୁଅ ସଞ୍ଜୟ ଓ ଦୁଇ ଝିଅ। ପୂରା ପରିବାରର ବୋଝ ମୁଣ୍ଡାଇଥିଲେ କୃଷ୍ଣ। କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପରିବାର। ହେଲେ ୨୦୧୮ ମସିହାରେ ହଠାତ୍‌ କୃଷ୍ଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ମୋହନା ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ତାଙ୍କର କଫ ଟେଷ୍ଟ କରିବା ପରେ ଟିବି ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

ଟିବିରେ ଆକ୍ରାନ୍ତ ହେବା ପରେ ପୂର୍ବ ପରି ଆଉ କାମଦାମ କରିଲେ ନାହିଁ କୃଷ୍ଣ। ତେଣୁ ରୋଗୀଣା ସ୍ୱାମୀ ଓ ୩ ପୁଅ ଝିଅଙ୍କ ବୋଝ ପଡ଼ିଲା ଦୁଃଖୀଙ୍କ ଉପରେ। ଘରେ ରୋଗୀଣା ସ୍ୱାମୀଙ୍କୁ ଛାଡ଼ି ଚାରି କାନ୍ଥ ଭିତରୁ ଗୋଡ କାଢ଼ିଲେ ଦୁଃଖୀ। ଦିନ ମଜୁରୀ ଲାଗିବାକୁ ଗଲେ। ଯାହା ରୋଜଗାର କରୁଥିଲେ, ସେଥିରେ ସ୍ୱାମୀଙ୍କ ଚିକିତ୍ସା କରୁଥିଲେ ଓ ପିଲାଙ୍କୁ ପାଠ ପଢ଼ାଉଥିଲେ। ଦୁଃଖୀ ପରିଶ୍ରମ ସାର୍ଥକ ହେଲା। ଟିବିରୁ ଆରୋଗ୍ୟ ହେଲେ କୃଷ୍ଣ। ହେଲେ ସେ ଚାଲିବୁଲି ପାରିଲେ ନାହିଁ। ହାତ ଗୋଡ଼ କାମ ଦେଲା ନାହିଁ। ପୂରା ଶର୍ଯ୍ୟାସାୟୀ ହୋଇଗଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲ୍‌କୁ ନେଇଥିଲେ।

କୃଷ୍ଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଏମ୍‌କେସିଜି ବା କଟକ ବଡ଼ ମେଡ଼ିକାଲ୍‌ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ପାଖରେ ଏତେ ସମ୍ୱଳ ନଥିବାରୁ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ନେଇ ପାରିଲେ ନାହିଁ ଦୁଃଖୀ। ସେପଟେ ଦିନକୁ ଦିନ ପରିବାରର ଆର୍ଥିକ ବୋଝ ବଢ଼ୁଥିବା ଦେଖି ୧୦ମ ଶ୍ରେଣୀରେ ପଢ଼ୁଥିବା ବଡ଼ପୁଅ ସଞ୍ଜୟ ଘରୁ ଗୋଡ଼ କାଢ଼ିଥିଲେ। ଦାଦନ ଖଟିବା ପାଇଁ ଗୋଆ ଚାଲିଗଲେ। ମଝିଆଁ ଝିଅ ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ଶିଲାଇ ତାଲିମ ପାଇଁ ବାଙ୍ଗାଲୁରୁ ଗଲେ। ଏବେ ଘରେ ୭ମ ଶ୍ରେଣୀରେ ପଢ଼ୁଥିବା ଝିଅ ଅଛି। ସେ ଘରେ ରୋଗୀଣା ବାପାଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି। ମାଆ କାମ କରିବା ପାଇଁ ଯାଉଛନ୍ତି।

ସବୁଠାରୁ ଦୁଃଖର ବିଷୟ, କୃଷ୍ଣ ଓ ଦୁଃଖୀଙ୍କୁ ମିଳିଛି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ। ହେଲେ ତାହାର ବ୍ୟବହାର ସେମାନେ ଜାଣିନାହାନ୍ତି। ଏପରିକି ମେଡ଼ିକାଲ୍‌ରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କେହି ପଚାରି ନାହାନ୍ତି। କହିବାକୁ ଗଲେ- ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ବିଛଣାରେ ପଡ଼ିଛନ୍ତି ରୋଗୀ ଓ ଟ୍ରଙ୍କରେ ରହିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ। ତେଣୁ ସେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଏମ୍‌କେସିଜି ବା କଟକ ବଡ଼ ମେଡ଼ିକାଲ୍‌ ନେଇପାରୁ ନାହାନ୍ତି।

କୃଷ୍ଣଙ୍କ ଦୁଃଖ ନେଇ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସନ୍ତୋଷ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ତାଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି, ତାହାହେଲେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ। ସେଥିପାଇଁ ପରିବାର ଲୋକ ଉଦ୍ୟମ କରିବା ଦରକାର ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Related story