Advertisment

ବିଡିଓଙ୍କ ବୋଲେରୋ ତଳେ ଚାପି ହୋଇଗଲେ ବ୍ୟକ୍ତି, ବିଡିଓ ଚମ୍ପଟ

ଡ୍ରାଇଭରଜଣକ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ପୋଡୋନି ଛକଠାରେ ବାଇକ୍‌ରେ ଯାଉଥିବା ଟି.ପ୍ରଭାକରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟି.ପ୍ରଭାକର ପିନ୍ଧିଥିବା ହେଲମେଟ ଛିଟିକି ୨ଶହ ମିଟର ଦୂରରେ ପଡ଼ିଥିଲା।

author-image
Niharika Rout
Accident

Accident

ବିଡିଓଙ୍କ ବୋଲେରୋ ଧକ୍କାରେ ଛଟପଟ ହୋଇ ରାସ୍ତା ଉପରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ। ବୋଲେରୋ ଚକା ତଳେ ଚାପି ହୋଇଗଲା ମୁଣ୍ଡ । ହେଲେ ମାନବିକତା ଦୃଷ୍ଟିରୁ ଅଟକିଲେନି ବିଡିଓ। ଘଟଣାସ୍ଥଳରୁ ଦ୍ରୁତ ଗତିରେ ଗାଡ଼ି ସହ ବିଡିଓ ଚମ୍ପଟ ମାରିଥିବା ବେଳେ ଆଉ ଫୋନ୍‌ ବି ଉଠାଉ ନାହାନ୍ତି। ଏପରି ଏକ ଅମାନବୀୟ ଘଟଣା ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଯାଜପୁର ଗ୍ରାମ ନିକଟରେ ପୋଡୋନି ଛକଠାରେ ଘଟିଛି । ମୃତକ ହେଲେ ସାତମଇଲ ଗ୍ରାମର ୫୦ ବର୍ଷ ବୟସ୍କ ଟି.ପ୍ରଭାକର।

Advertisment

ପାରଳାଖେମୁଣ୍ଡରେ ଆଜି ଜିଲ୍ଲାସ୍ତରୀୟ ବିଡିଓଙ୍କ ସମ୍ମିଳନୀ ଚାଲିଛି। ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବିଡିଓ ଯୋଗ ଦେଇଛନ୍ତି। ଏଥିରେ ଯୋଗ ଦେବା ନିମନ୍ତେ ମୋହନା ବିଡିଓ ତପସ୍ୱିନୀ ହାଁସଦା ନିଜ ସରକାରୀ ବୋଲେରୋ ଗାଡ଼ିରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ।

ଡ୍ରାଇଭରଜଣକ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ପୋଡୋନି ଛକଠାରେ ବାଇକ୍‌ରେ ଯାଉଥିବା ଟି.ପ୍ରଭାକରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟି.ପ୍ରଭାକର ପିନ୍ଧିଥିବା ହେଲମେଟ ଛିଟିକି ୨ଶହ ମିଟର ଦୂରରେ ପଡ଼ିଥିଲା। କେବଳ ସେତିକି ନୁହେଁ ଟି.ପ୍ରଭାକରଙ୍କ ମୁଣ୍ଡ ବୋଲେରୋ ଚକା ତଳେ ଚାପି ହୋଇ ଯାଇଛି।

Advertisment

ଏହା ଦେଖି ଆମ୍ବୁଲାନ୍ସ କିମ୍ବା ପୁଲିସ୍‌କୁ କଲ୍‌ ନ କରି ବିଡିଓ ତୁରନ୍ତ ଘଟଣାସ୍ଥଳରୁ ପଳାଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ହସ୍ପିଟାଲ ପଠାଇଛି।

ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍ ବିଡିଓଙ୍କ ବୋଲେରୋକୁ ଜବତ କରିଥିବା ବେଳେ ତାଙ୍କ ଡ୍ରାଇଭରଙ୍କୁ ଅଟକ ରଖିଛି। ଡ୍ରାଇଭରଜଣକ ମଧ୍ୟ ଦୁର୍ଘଟଣା ଘଟାଇଥିବା କଥାକୁ ସ୍ୱୀକାର କରିଛନ୍ତି।

ତେବେ ଏନେଇ ମୋହନା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି। ତେବେ ପାରଳାଖେମୁଣ୍ଡିରେ ଆୟୋଜିତ ହେଉଥିବା ବିଡିଓ ସମ୍ମିଳନୀରେ ବି ତାଙ୍କୁ ଦେଖିବାକୁ ମିଳିନି।

Accident Accidental Death