Mohana
ଜେନେରେଟର ଲାଗିଥିବା ଘରେ ଶୋଇଥିଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମହାଶିବରାତ୍ରୀରେ ଏହି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ। ମୃତକ ଦ୍ୱୟ ହେଲେ ଅମ୍ବିକା ନାୟକ( ୭ବର୍ଷ) ଓ ଗଣେଶ ନାୟକ( ୧୮ବର୍ଷ)। ଆହତ ଝୁମୁରି ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବେତାରସିଂ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିଥିଲା। ରାତିରେ ଗାଁରେ ଲାଇନ ନ ଥିବାରୁ ଜେନେରେଟର ଲଗାଯାଇଥିଲା। ସମସ୍ତେ ବିବାହ ଭୋଜିରେ ବ୍ୟସ୍ତ ଥିଲେ। ଜେନେରେଟର ଲାଗିଥିବା ଘରେ ଗଣେଶ,ଅମ୍ବିକା ଓ ଝୁମୁରି ଶୋଇଥିଲେ। ଆଜି ସକାଳେ ପରିବାର ଲୋକେ ସେମାନଙ୍କୁ ଡାକିବାରୁ କେହି ଶୁଣି ନଥିଲେ। ପରିବାର ଲୋକେ ଅମ୍ବିକା, ଗଣେଶ ଓ ଝୁମୁରିଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଅମ୍ବିକା ଓ ଗଣେଶକୁ ମୃତ ଘୋଷଣା କରିଥିଲା ବେଳେ ଝୁମୁରି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି।
ଜେନେରେଟର ଧୂଆଁ ଯୋଗୁ ଗଣେଶ,ଅମ୍ବିକା ଓ ଝୁମୁରି ଶ୍ୱାସରୁଦ୍ଧ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Mohana_1676696502.jpg)