Advertisment

ଦାଦନ ଶ୍ରମିକଙ୍କୁ ହତ୍ୟା ପରେ ଦୁର୍ବୃତ୍ତଙ୍କ ଧମକ- ୧୫ ହଜାର ଦିଅ, ମୃତଦେହ ନିଅ

ଶରତଙ୍କ ପରିବାର କହିଲେ ପତ୍ନୀ ଓ ୩ ପିଲା। ପରିବାର ପୋଷିବାକୁ ତଥା ପିଲାଙ୍କୁ ଭଲ ମଣିଷ କରିବା ଆଶାରେ ପ୍ରାୟ ୮,୯ ମାସ ହେବ ତାମିଲନାଡ଼ୁର କାବିଲପାଟାକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ଶରତ ।

author-image
Niharika Rout
Sarat Paricha

Sarat Paricha

ପୁଣି ଥରେ ସାମନାକୁ ଆସିଲା ଦାଦନ ଦୁଃଖ । ପରିବାର ପୋଷିବାକୁ ଗଜପତି ଜିଲ୍ଲାରୁ ତାମିଲନାଡ଼ୁ ଯାଇ ଦାଦନ ଖଟୁଥିବା ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ପରିବାର ଲୋକଙ୍କୁ ମୃତଦେହର ଫଟୋ ପଠାଇବା ସହ ୧୫ ହଜାର ଟଙ୍କା ଦେଲେ ମୃତଦେହ ଫେରାଇବୁ ବୋଲି ଧମକ ଦେଉଛନ୍ତି। ମୃତଦେହ ଫେରି ପାଇବାକୁ ପରିବାର ଲୋକେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଗଜପତି ଜିଲ୍ଲା କଟାଗା ପଞ୍ଚାୟତ ବାରିଆପଦା ଗାଁର ଶରତ ପରିଛା ।

Advertisment

ଶରତଙ୍କ ପରିବାର କହିଲେ ପତ୍ନୀ ଓ ୩ ପିଲା। ପରିବାର ପୋଷିବାକୁ ତଥା ପିଲାଙ୍କୁ ଭଲ ମଣିଷ କରିବା ଆଶାରେ ପ୍ରାୟ ୮,୯ ମାସ ହେବ ତାମିଲନାଡ଼ୁର କାବିଲପାଟାକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ ଶରତ । ସେଠାରୁ ସେ ପଠାଉଥିବା ଟଙ୍କାରେ ଦୁଃଖେ କଷ୍ଟେ ଚଳୁଥିଲା ପରିବାର।

ମାତ୍ର ଗତ ରବିବାର ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଲା। ଯେତେବଳେ ଶରତ ପରିବାର ଲୋକଙ୍କୁ ଫୋନ୍‌ କରି କିଛି ଲୋକ ତାଙ୍କୁ ନିର୍ଧୂମ ପିଟୁଥିବା କହିଲେ। ଏପରିକି ସେ ଭିଡିଓ କଲ୍‌ କରିଥିବା ବେଳେ ତାଙ୍କ ଶରୀର କ୍ଷତାକ୍ତ ହୋଇ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଶରତଙ୍କ ଦେଢଶାଶୁଙ୍କ ଫୋନ୍‌କୁ ତାଙ୍କ ମୃତଦେହର ଫୋଟ ଆସିଥିଲା।

Advertisment

ଅପର ପାର୍ଶ୍ୱରୁ କିଛି ଦୁର୍ବୃତ୍ତ ଶରତଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ମୃତଦେହ ପାଇବାକୁ ୧୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏନେଇ ପରିବାର ଲୋକେ ଗତକାଲି ଥାନା ଦ୍ୱାରସ୍ଥ ହୋଇଛନ୍ତି।

ପୁଲିସ୍‌ ପ୍ରଥମେ ଲୋକେସନ ଚିହ୍ନଟ କରୁଥିବା ବେଳେ ତାହା କେତେବେଳେ ମହାରାଷ୍ଟ୍ର ତ କେତେବେଳେ ତାମିଲନାଡ଼ୁର ଦେଖାଉଛି। ତେଣୁ ଏବେ ମୃତଦେହ କେଉଁଠି ଅଛି ତଥା ଏହା ପଛରେ କାହା ହାତ ଅଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଏହାବାଦ ଦୁର୍ବୃତ୍ତମାନେ ଶରତଙ୍କ ଫୋନ୍‌ରୁ ହିଁ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି। ଏପରିକି ଶରତଙ୍କ ଫୋନ୍‌ପେ ନମ୍ବରରେ ହିଁ ଟଙ୍କା ପଠାଇବାକୁ ଧମକ ଦେଉଛନ୍ତି। ତେଣୁ ସେମାନେ ତାଙ୍କ ପାଖ ଲୋକ ହୋଇଥିବା ଅନୁମାନ କରାଯାଉଛି।

ଘଟଣାର ତଦନ୍ତ କରାଯାଉଛି। ଖୁବ୍‌ ଶୀଘ୍ର ଲୋକେସନ ଚିହ୍ନଟ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତଡ଼ା ଥାନା ଅଧିକାରୀ କହିଛନ୍ତି।

Murder Deadbody Dead Body Transport Gajapati District