Advertisment

ଦୁଇ ଦିନ ହେଲା ପୁଲିସ୍‌ ହେପାଜତରେ ଥିଲେ! ସ୍କାଏଲାଇଟ୍‌ ଭାଙ୍ଗି ପଳାଇଲେ

ଦୁଇ ଦିନ ହେଲା ରାହୁଲଙ୍କୁ ଥାନାରେ ଜେରା କରୁଥିଲା ପୁଲିସ୍‌। ତେବେ ଆଜି ଭୋର୍‌ ପ୍ରାୟ ୩ଟା ବେଳେ ରାହୁଲ ଟଏଲେଟ୍‌ ଯିବ ବୋଲି କହିଥିଲେ। ଥାନା କର୍ମଚାରୀମାନେ ତାଙ୍କୁ ଟଏଲେଟ୍‌ ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Mohana

Mohana

ସାନ ଭାଇ ନାବାଳିକା ପ୍ରେମିକାକୁ ନେଇଯାଇଥିଲା। ତାକୁ ଧରିବାକୁ ଯାଇ ତା’ ବଡ଼ ଭାଇଙ୍କୁ ଥାନାକୁ ନେଇ ଆସିଥିଲା ପୁଲିସ୍‌। ଗତ ଦୁଇ ଦିନ ହେଲା ତାଙ୍କୁ ଥାନାରେ ରଖି ଜେରା କରୁଥିଲା! ହେଲେ ଆଜି ବଡ଼ି ଭୋରୁ ଶୌଚ ଯିବ କହି ପାଇଖାନା ସ୍କାଏଲାଇଟ୍‌ ଭାଙ୍ଗି ଚମ୍ପଟ ମାରିଲେ ଅଭିଯୁକ୍ତଙ୍କ ବଡ଼ଭାଇ। ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଗତ ମାସରେ ମୋହନା ଥାନା ଚୁଢ଼ଙ୍ଗପୁର ଗାଁର ମାନସ ପରିଚ୍ଛା ଜଣେ ନାବାଳିକା ପ୍ରେମିକାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିଲା। ପୁଲିସ୍‌ ପ୍ରଥମେ ମାନସକୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ତା’ର ପତ୍ତା ପାଇନଥିଲା। ଶେଷରେ କିଛି ଉପାୟ ନପାଇ ପୁଲିସ୍‌ ମାନସର ବଡ଼ ଭାଇ ରାହୁଲ ପରିଚ୍ଛାଙ୍କୁ ଘରୁ ଉଠାଇ ଆଣିଥିଲା।

ଅଭିଯୋଗ ଅନୁସାରେ ଗତ ଦୁଇ ଦିନ ହେଲା ରାହୁଲଙ୍କୁ ଥାନାରେ ଜେରା କରୁଥିଲା ପୁଲିସ୍‌। ତେବେ ଆଜି ଭୋର୍‌ ପ୍ରାୟ ୩ଟା ବେଳେ ରାହୁଲ ଟଏଲେଟ୍‌ ଯିବ ବୋଲି କହିଥିଲେ। ଥାନା କର୍ମଚାରୀମାନେ ତାଙ୍କୁ ଟଏଲେଟ୍‌ ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲେ। ଶୌଚ(ଝାଡ଼ା) ଯିବ କ’ଣ ଚତୁର ରାହୁଲ୍‌ ସ୍କାଏଲାଇଟ୍‌ ଭାଙ୍ଗି ଚମ୍ପଟ ମାରିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରି ପୁଲିସ୍‌ ପ୍ରଥମେ ଶୌଚାଳୟ କବାଟ ବାଡେଇ ଥିଲା। ମାତ୍ର ଶୌଚାଳୟ ଭିତରୁ କୌଣସି ଶବ୍ଦ ଆସିନଥିଲା। ଶେଷରେ ଶୌଚାଳୟ କବାଟ ଭାଙ୍ଗି ଦେଖିଲା ବେଳେ ରାହୁଲ୍‌ ସ୍କଏଲାଇଟ୍‌ ଭାଙ୍ଗି ପଳାଇ ଯାଇଛି। ଏହା ପରେ ପୁଲିସ୍‌ର ଅକଲ ଗୁଡୁମ୍‌ ହୋଇଯାଇଥିଲା। ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛି।

Advertisment

ସେପଟେ ରାହୁଲଙ୍କ ସମ୍ପର୍କୀୟ ଭାଇ ଶ୍ରୀକାନ୍ତ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ ଭାଇ ରାହୁଲ୍‌ ଥାନାରୁ କେଉଁ ଆଡୁ ପଳାଇ ଯାଇଛନ୍ତି, ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଉ ବୋଲି ସେ ଏଫ୍‌ଆଇଆର୍‌ରେ ଲେଖିଛନ୍ତି। ଅନ୍ୟପକ୍ଷରେ ରାହୁଲ୍‌ ଥାନାରୁ ଫେରାର୍‌ ହୋଇଯାଇଥିବା ନେଇ ଶ୍ରୀକାନ୍ତ ଅନ୍‌ଲାଇନ୍‌ରେ ଗଜପତି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇଛନ୍ତି।

ରିପୋର୍ଟ-ମୋହନାରୁ ମିହିର ଜତି

Paralakhemundi Crime Gajapati District