ମଦୁଆ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ। ପରିବା ବିକାଳି ଓ ଗ୍ରାହକଙ୍କ ଉପରେ ଚଢ଼ାଇ ଦେଲା ପିକ୍ଅପ୍ ଭ୍ୟାନ୍। ଦୁର୍ଘଟଣାରେ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଭଳି ହୁଦୟସ୍ପର୍ଶୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବୁରୁଡି ଓଭର ବ୍ରିଜ ଉପରେ।
ମୃତ ମହିଳା ଦ୍ୱୟ ହେଲେ ପରିବା ବିକାଳି ଲକ୍ଷ୍ମୀ ପାତ୍ର ଓ ଅନ୍ୟ ଜଣେ ମହିଳା ଗ୍ରାହକ। ତାଙ୍କ ପରିଚୟ ମିଳିନାହିଁ। ଆହତ ହୋଇଥିବା ପରିବା ବିକାଳି ଓ ଜଣେ ଗ୍ରାହକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଗ୍ରାହକ ଓ ଆହତ ହୋଇଥିବା ବ୍ୟକ୍ତି ଉଭୟ ସ୍ୱାମୀ ସ୍ତ୍ରୀ ବୋଲି ଜଣାଯାଇଛି। ତାଙ୍କ ଘର ପୋଲସରା ଅଞ୍ଚଳରେ ।
ସବୁଦିନ ଭଳି ବୁରୁଡି ଓଭର ବ୍ରିଜ ଉପରେ ମିଛିଣିପାଟଣା ଗାଁର କିଛି ପରିବା ଚାଷୀ ରାସ୍ତା ପାର୍ଶ୍ୱରେ ପରିବା ବିକ୍ରି କରନ୍ତି। ଆଜି ମଧ୍ୟ ପରିବା ବିକ୍ରି କରୁଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଏକ ଦମ୍ପତି ସେଠାରୁ ପରିବା କିଣୁଥିଲେ। ଏହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଆସି ପରିବା ବିକାଳିଙ୍କ ଉପରେ ମାଡ଼ିଯିବା ସହ ଦମ୍ପତିଙ୍କ ଉପରେ ମଧ୍ୟ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଜଣେ ପରିବା ବିକାଳି ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ମହିଳା ଗ୍ରାହକଙ୍କ ମୃତ୍ୟୁ ଘଟିଥିଲା। ଜଣେ ପରିବା ବିକାଳି ଓ ଜଣେ ଗ୍ରାହକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।