Advertisment

ଧନ୍ୟ ଏ ବାପା-ମାଆ; ଜନ୍ମକଲା ପିଲାକୁ ମେଡ଼ିକାଲ୍‌ ପାଇଖାନା ପାଖରେ ଛାଡ଼ି ପଳାଇଗଲେ

ଡାକ୍ତରଙ୍କଠାରୁ ଏପରି ନିରୁତ୍ସାହିତ କଥା ଶୁଣି ଶିଶିର ଓ ସବିତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପାଖରେ ଏତେ ସମ୍ୱଳ ନଥିବାରୁ ପିଲାକୁ ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ।

Ganjam

Ganjam

Advertisment

ଧନ୍ୟ ଏ ବାପା-ମାଆ! ଜନ୍ମକଲା ପିଲାକୁ ପାଇଖାନା ପାଖରେ ଛାଡ଼ି ପଳାଇ ଗଲେ। ଏପରି ହୃଦୟବିଦାରକ ଘଟଣା ବ୍ରହ୍ମପୁର ଟାଉନ୍‌ରେ ଘଟିଛି। ପୁଲିସ୍‌ ସହାୟତାରେ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାମାନେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଏନ୍‌ଏନ୍‌ସିୟୁରେ ଭର୍ତ୍ତି କରିଛି। ଏବେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଡାକ୍ତର କହିଛନ୍ତି।

Advertisment

ବେଲଗୁଣ୍ଠା ବ୍ଲକ୍‌ ଖଇରପୁଟ ଗାଁର ଶିଶିର ସ୍ୱାଇଁ। ତାଙ୍କ ପତ୍ନୀ ସବିତା ସ୍ୱାଇଁ ୮ ମାସର ଗର୍ଭବତୀ ଥିଲେ। ଗତ ୭ ତାରିଖରେ ସବିତା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ଶିଶିର। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ତା’ପରେ ସିଜେରିଆନ୍‌ ଅପରେଶନ୍‌ କରି ପିଲା ଜନ୍ମ କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପିଲାର ମୁଣ୍ଡରେ ପାଣି ଜମିଥିବା ଓ ମେରୁଦଣ୍ଡରେ ସମସ୍ୟା ଥିବାରୁ ବଞ୍ଚାଇବା କଷ୍ଟକର ହେବ ବୋଲି ଡାକ୍ତର କହିଥିବା ଶିଶିର ସ୍ୱୀକାର କରିଛନ୍ତି।

ଡାକ୍ତରଙ୍କଠାରୁ ଏପରି ନିରୁତ୍ସାହିତ କଥା ଶୁଣି ଶିଶିର ଓ ସବିତାଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପାଖରେ ଏତେ ସମ୍ୱଳ ନଥିବାରୁ ପିଲାକୁ ଛାଡ଼ି ପଳାଇବାକୁ ନିଷ୍ପତ୍ତି ନେଇଥିଲେ। ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ପରେ ସ୍ୱାମୀ-ସ୍ତ୍ରୀ ନବଜାତ ଶିଶୁପୁତ୍ରକୁ ସେହି ମେଡ଼ିକାଲ୍‌ର ପାଇଖାନା ପାଖରେ ଛାଡ଼ି ପଳାଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଚାଇଲ୍‌ଡ ଲାଇନ୍‌ ସଦସ୍ୟମାନେ ମେଡ଼ିକାଲ୍‌ ଯାଇ ପିଲା ବିଷୟରେ ପଚାରିଥିଲେ। ମାତ୍ର ମେଡ଼ିକାଲ୍‌ କର୍ତ୍ତୃପକ୍ଷ ପିଲା ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ।

Advertisment

ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଧରାଛୁଆଁ ନଦେବାରୁ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ସୂଚନା ଦିଆଯାଇଥିଲା। ଏହା ପରେ ପୁଲିସ୍‌ ଓ ଚାଇଲ୍‌ଡ୍‌ ଲାଇନ୍‌ କର୍ମକର୍ତ୍ତା ନବଜାତ ଶିଶୁ ପୁତ୍ରକୁ ଲାଟ୍ରିନ୍‌ ପାଖରୁ ଉଦ୍ଧାର କରିଥିଲେ। ପିଲାକୁ ବ୍ରହ୍ମପୁର ଏମ୍‌କେସିଜି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୁଲିସ ମାମଲା ରୁଜୁ କରି ମେଡ଼ିକାଲ୍‌ରୁ ନବଜାତ ଶିଶୁପୁତ୍ରର ପରିଚୟ ଖୋଜିଥିଲା। କାଗଜପତ୍ର ଯାଞ୍ଚ ବେଳେ ପିଲା ବାପା ମାଆ ହେଉଛନ୍ତି ଶିଶିର ଓ ସବିତା। ଉଭୟଙ୍କୁ ପୁଲିସ୍‌ ଜେରା କରିଥିବା ଜଣାପଡ଼ିଛି। ଶିଶିର, ସବିତା ଓ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

ରିପୋର୍ଟ-ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe