ବାହାଘର ପରେ ଶଗଡ଼ରେ ବସି ଶାଶୂଘର ଗଲେ କନ୍ୟା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଞ୍ଚଳରେ।
ଗତ ୮ ତାରିଖରେ ଏହି ବ୍ଲକର କୁଡୁତାଇ ପଞ୍ଚାୟତ ଅନ୍ତର୍ଗତ ବାଙ୍କତରା ଗାଁର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କ ବାହାଘର ପାଟରାପଲ୍ଲୀ ଗାଁର ସରିତାଙ୍କ ସହ ସମ୍ପନ୍ନ ହୋଇଛି। ଉଭୟ ମହେନ୍ଦ୍ର ଓ ସରିତା ଗୋଟିଏ ଶ୍ରେଣୀରେ ପଢୁଥିଲେ। ଉଚ୍ଚଶିକ୍ଷା ପରେ ପରେ ଉଭୟେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ଘରଲୋକଙ୍କ ସହମତିରେ ଉଭୟେ ବିବାହ କରିଛନ୍ତି।
ସାଧାରଣତଃ ଆଜିକାଲି ବାହାଘରରେ ଲୋକେ ସାଜସଜାଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ମହେନ୍ଦ୍ର ଓ ସରିତା ସେମାନଙ୍କ ବାହାଘରକୁ ଟିକେ ନିଆରା ଢଙ୍ଗରେ କରିଛନ୍ତି। ମହେନ୍ଦ୍ର ବାହାଘର ଶୋଭାଯାତ୍ରା ବେଳେ କୌଣସି ଦାମୀ କାର ବ୍ୟବହାର ନ କରି ଘୋଡ଼ାରେ ବସି ମଣ୍ଡପକୁ ଆସିଥିଲେ। ସେହିଭଳି ବାହାଘର ସରିବା ପରେ ସରିତା ବଳଦ ଗାଡ଼ିରେ ବସି ଶାଶୂ ଘରକୁ ଯାଇଥିଲେ। ଏଥିପାଇଁ ବଳଦ ଗାଡ଼ିଟିକୁ ବେଶ୍ ସୁନ୍ଦର ଭାବେ ସଜା ଯାଇଥିଲା।
ମହେନ୍ଦ୍ର ତାଙ୍କ ମା’ଙ୍କ ସ୍ମୃତିକୁ ତାଜା କରିବାକୁ ସରିତାଙ୍କୁ ବଳଦ ଗାଡ଼ିରେ ଘରକୁ ଆଣିବାକୁ ଯୋଜନା କରିଥିଲେ। କାରଣ ମହେନ୍ଦ୍ରଙ୍କ ମା’ ମଧ୍ୟ ବାହାଘର ପରେ ଶଗଡ଼ ଗାଡ଼ିରେ ତାଙ୍କ ଶାଶୂ ଘରକୁ ଆସିଥିଲେ। ଆଉ ମହେନ୍ଦ୍ରଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲେ ସରିତା।
ଏହି ବାହାଘର ଏବେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି।