Advertisment

ଛୁଆ ଚୋରି ନେଇ ଏମ୍‌କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା, ପୁଲିସ ନାକେଦମ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ହାଇଡ୍ରାମା।

ଅଦ୍ୟତନ ହୋଇଛି
MKCG

MKCG

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ(ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ)ରେ ହାଇଡ୍ରାମା। ଲୁହ ଛଳଛଳ ହୋଇଥିବା ମହିଳାଙ୍କ ଛୁଆ ଚୋରି ଅଭିଯୋଗ ପରେ ନାକେଦମ ହେଲା ପୁଲିସ। ୩ଘଣ୍ଟା ଧରି ପୁଲିସ ନାକେଦମ ହୋଇ ତଦନ୍ତ କରିବା ପରେ ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ମିଛ ବୋଲି ଜଣାପଡ଼ିଥିଲା। ମହିଳା ଜଣକ ଶେଷରେ ଭୁଲ ମାନି କାକୁତିମିନତି ହେବା ପରେ ପୁଲିସ ଏକ ଲିଖିତ ଅଣ୍ଡରଟେକିଂ ରଖି ତାଙ୍କୁ ଘରକୁ ଛାଡ଼ି ଦେଇଛି। ଗତକାଲି ଏମ୍‌କେସିଜିରେ ଘଟିଥିବା ଏହି ଘଟଣା ଅଲୋଚନାର ବିଷୟ ହୋଇଛି।

Advertisment

ସୂଚନା ମୁତାବକ, ମହିଳା ଜଣକ ଇଚ୍ଛାପୁର ଅଞ୍ଚଳରେ ବିବାହ କରିଥିଲେ। ବାପଘର ବ୍ରହ୍ମପୁର ପାଣିଗ୍ରାହି ପେଣ୍ଠ ସାହି। କିଛି ମାସ ତଳେ ସେ ଗର୍ଭବତୀ ହେବା ନେଇ ତାଙ୍କ ଶାଶୁଙ୍କୁ କହିଥିଲେ। ଶାଶୁ ଏହା ଜାଣିପାରି ଖୁସି ହୋଇଥିଲେ। ଇଚ୍ଛାପୁରରେ ଡାକ୍ତରଙ୍କୁ ଦେଖାଇବାକୁ କହିଥିଲେ। ତିନିମାସ ପରେ ବ୍ରହ୍ମପୁର ମେଡ଼ିକାଲରେ ଦେଖାଇବେ କହି ମହିଳା ଜଣକ ମାଆ ଘରକୁ ଚାଲି ଯାଇଥିଲେ। ସେଠାରୁ କିଛି ମାସ ପରେ ପୁଣି ଶାଶୁ ଘରକୁ ଫେରି ଯାଇଥିଲେ। ଶାଶୁ ଘର ପକ୍ଷରୁ ମେଡିକାଲ ସମ୍ପର୍କିତ କାଗଜ ପତ୍ର ମାଗିବା ବେଳେ ସେ ସମସ୍ତ କାଗଜପତ୍ର ମାଆ ଘରେ ରଖିଦେଇଥିବା କହିଥିଲେ। ଏପଟେ ଛୁଆ ଗର୍ଭରେ ଅଛି କି ନାହିଁ ସେନେଇ ମାଆ ଘର ଲୋକଙ୍କୁ ବି ମହିଳା ଜଣକ ଅନ୍ଧାରରେ ରଖିଥିଲେ। ମନଗଢ଼ା କଥା ସମସ୍ତଙ୍କୁ କହି ଚାଲିଥିଲେ। ୧୦ମାସ ହେବା ପରେ ଶାଶୁ ଓ ସମ୍ପର୍କୀୟମାନେ ବାରମ୍ବାର ଏବାବଦରେ ପଚାରିବାରୁ ମହିଳା ଜଣକ ଛୁଆ ଜନ୍ମ ପରେ କିପରି ମରିଯାଇଥିଲା ଓ ଚୋରି ହୋଇଗଲା ଖବର ଦେବାକୁ ନୂଆ ନାଟକର ଯୋଜନା କରିଥିଲେ।

ଗତକାଲି ଏଥିନିମନ୍ତେ ସେ ଏମ୍‌କେସିଜି ମେଡିକାଲରେ ପହଞ୍ଚିଥିଲେ। କିଛି ସମୟ ଭିତରେ ବୁଲାବୁଲି କରିବା ପରେ ମହିଳା ଜଣକ ଏମ୍‌କେସିଜି ମେଡିକାଲ ଆଗରେ କାନ୍ଦ ବୋବାଳି ପକାଇଥିଲେ। ମେଡିକାଲ କର୍ମଚାରୀ ଓ ଡାକ୍ତରଖାନାକୁ ଆସିଥିବା ଲୋକେ ଏହା ଦେଖି ଜମା ହୋଇଥିଲେ। ସେମାନଙ୍କ ନିକଟରେ ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ଏଠାରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ପରେ ମୃତ୍ୟୁ ହୋଇଥିଲା; ଏହି ମୃତଦେହକୁ କେହି ଚୋରି କରି ନେଇଛି। ସେପଟେ ଏନେଇ ଶାଶୁ ଘର ଲୋକ ଲୋକଙ୍କୁ ମଧ୍ୟ ମହିଳା ଜଣାଇଥିଲେ। ସମସ୍ତେ ପହଞ୍ଚିବା ପରେ ପରିବାର ଲୋକେ ମେଡିକାଲ ପରିସର ଫାଣ୍ଡିକୁ ଯାଇଥିଲେ ଓ ଏବାବଦରେ ଅଭିଯୋଗ କରିଥିଲେ।

Advertisment
Police Outpost ପୁଲିସ ଆଉଟ୍‌ ପୋଷ୍ଟକୁ ମହିଳା ଜଣକ ଅଭିଯୋଗ କରିବାକୁ ଯାଉଛନ୍ତି।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଫାଣ୍ଡି ପକ୍ଷରୁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ପ୍ରସୂତିଙ୍କୁ ଘଟଣା ବିଷୟରେ ପଚରାଉଚରା କରାଯାଇଥିଲା। ମେଡିକାଲ କଲେଜର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଛୁଆ ଜନ୍ମ ହୋଇଛି ନା ନାହିଁ ଯାଞ୍ଚ ହୋଇଥିଲା। ହେଲେ ମହିଳାଙ୍କର କୌଣସି ଛୁଆ ଜନ୍ମ ହୋଇ ନ ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ସେପଟେ ମହିଳା ଜଣକ ମଧ୍ୟ ବାରମ୍ବାର ପୁଲିସ ଆଗରେ ନିଜ କଥା ବଦଳାଇ ଚାଲିଥିଲେ। ଦୀର୍ଘ ୩ଘଣ୍ଟା ପରେ ମହିଳା ଜଣକ ଏଭଳି ମିଛ ନାଟକ ରଚନା କରିଥିବା ପୁଲିସ ଆଗରେ ମାନିଥିଲେ।

ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ କହିଛନ୍ତି, ମହିଳା ଜଣକ କେବେବି ଗର୍ଭବତୀ ନ ଥିଲେ କିମ୍ବା ତାଙ୍କର ଛୁଆ ଜନ୍ମ ହୋଇନି। ପରିବାର ଲୋକଙ୍କୁ ଦେଇଥିବା ମିଛ ଖବରକୁ ସତ ପ୍ରମାଣିତ କରିବାକୁ ମହିଳା ଜଣକ ତାଙ୍କ ପିଲା ଜନ୍ମ ପରେ ମରିଗଲା ଓ ମୃତଦେକୁ କେହି ଚୋରି କରି ନେଇଥିବା ଅଭିଯୋଗ କରିଥିଲେ। ତଦନ୍ତରେ ସବୁ କଥା ଜଣାପଡ଼ି ଯାଇଥିଲା। ମହିଳା ଜଣକ ମନଗଢ଼ା କାହାଣୀ କହିଥିଲେ। ଭୁଲ ମାଗିବା ପରେ ମହିଳାଙ୍କ ଠାରୁ ଏକ ଅଣ୍ଡରଟେକିଂ ରଖାଯାଇ ଛାଡ଼ି ଦିଆଯାଇଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam High Drama MKCG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe