ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଂଗଳେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ଅନ୍ୟ ଜଣେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃତକ ହେଲେ ବାକୁଟୁ ଗାଁର ଶିବରାମ ସାହୁ। ଗୁରୁତରଜଣକ ହେଲେ ଉକ୍ତ ଗ୍ରାମର ପ୍ରମୋଦ ସାହୁ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ୧୨ ଟାରେ ଶିବରାମ ସାହୁ ଓ ପ୍ରମୋଦ ସାହୁ ଏକ ସ୍କୁଟି ଯୋଗେ ନାରାୟଣି ଛକଠାରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ପୂର୍ତ୍ତ ବିଭାଗର ଏକ ବୋଲେରୋ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଫେରୁଥିଲା। ଦ୍ରୁତ ଗତିରେ ଥିବା ବୋଲେରୋଟି ପେଟ୍ରୋଲ ପମ୍ପ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ।
[caption id="attachment_719033" align="aligncenter" width="650"]
ଏହି ଦୁର୍ଘଟଣାରେ ପ୍ରମୋଦ ଛିଟିକି ଯାଇ ଦୂରରେ ପଡିଥିବା ବେଳେ ଶିବରାମ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗୁରୁତର ଆହତ ଅବସ୍ଥାରେ ପ୍ରମୋଦଙ୍କୁ ପ୍ରଥମେ ବାଲୁଗାଁ ମେଡ଼ିକାଲ ଓ ପରେ ଭୁବନେଶ୍ୱର ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ସରକାରୀ ବୋଲେରୋରେ ନିଆଁ ଲଗାଇ ଦେଇଥିଲେ । ବୋଲେରୋଟି ହୁତହୁତୁ ହୋଇ ଜଳୁଥିବା ବେଳେ ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା । ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।
ବୋଲେରୋରେ ପୂର୍ତ୍ତବିଭାଗର କେତେଜଣ କର୍ମଚାରୀ ଥିଲେ ତାହା ଜଣା ପଡିନାହିଁ । ଦୁର୍ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ବୋଲେରୋ ଚାଳକ ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।