Advertisment

ଗୋପାଳଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ ଟିମ୍‌, ତଥ୍ୟ ଉଣ୍ଡାଳୁଛି

ଗଞ୍ଜାମ ଜିଲ୍ଲା ବିଏନ୍‌ପୁର ଥାନା ଜଳେଶ୍ୱରପୁରରେ ଥିବା ଗୋପାଳ ଦାସଙ୍କ ପୈତୃକ ଘରେ ଆଜି ପହଞ୍ଚିଛି ୪ ଜଣିଅ କ୍ରାଇମବ୍ରାଞ୍ଚ ଟିମ୍‌। ସେମାନେ ଗୋପାଳ ଦାସଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା ସହ ତଥ୍ୟ ଉଣ୍ଡାଳୁଥିବା ଜଣାଯାଇଛି।

author-image
Niharika Rout
vehicle

vehicle

ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଘରେ ଆଜି ପଶିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଗଞ୍ଜାମ ଜିଲ୍ଲା ବିଏନ୍‌ପୁର ଥାନା ଜଳେଶ୍ୱରପୁରରେ ଥିବା ଗୋପାଳ ଦାସଙ୍କ ପୈତୃକ ଘରେ ଆଜି ପହଞ୍ଚିଛି ୪ ଜଣିଅ କ୍ରାଇମବ୍ରାଞ୍ଚ ଟିମ୍‌। ସେମାନେ ଗୋପାଳ  ଦାସଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

Advertisment

ଗୋପାଳଙ୍କ ପୈତୃକ ଘରେ ତାଙ୍କ ବଡ଼ ଭାଇ, ଭାଉଜ ତଥା ତାଙ୍କ ପତ୍ନୀ ଓ ପିଲାମାନେ ରହୁଛନ୍ତି।  ଗୋପାଳଙ୍କ ବଡ଼ ଭାଇ ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ଥିଲେ। ଗୋପାଳ ଝାରସୁଗୁଡ଼ାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରାୟ ୫ ମାସ ତଳେ ସେ ବ୍ରହ୍ମପୁର ଯାଇଥିଲେ। ତାଙ୍କ ଘରୁ କିଛି ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍‌ ସେଠାକୁ ଯାଇଥିବା ଜଣାଯାଇଛି।

ଏହାବାଦ ଗୋପାଳଙ୍କ ମାନସିକ ଭାରସାମ୍ୟ ଠିକ୍‌ ରହୁ ନ ଥିବା ବେଳେ ସେ ମେଡିସିନ ଖାଉଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରେସକ୍ରିପସନ୍‌ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ସଂଗ୍ରହ କରିବ ବୋଲି ଜଣାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ବାସିନ୍ଦା ଗୋପାଳ ୧୯୯୨ ମସିହା ଜୁଲାଇ ୮ତାରିଖରେ ପୁଲିସ କନେଷ୍ଟବଳ ଭାବେ ଗଞ୍ଜାମ ଜିଲ୍ଲାରେ ଚାକିରି ଆରମ୍ଭ କରିଥିଲେ । ୨୦୦୯ ସେପ୍ଟେମ୍ବର ୯ତାରିଖରେ ସେ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ । ନିକଟ ଭବିଷ୍ୟତରେ ସେ ପୁଲିସ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଥାନ୍ତେ ।

ଗୋପାଳ ଗତ ୧୨ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେ ନିଜର କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ପାଇଁ ୧୨ଥର ପୁରସ୍କାର, ୧୮ଟି ମେଡାଲ ସହ ୮ଥର ଆର୍ଥିକ ପୁରସ୍କାର ନିଜ ପୁଲିସ ବିଭାଗରୁ ପାଇଛନ୍ତି । ସେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ସଦସ୍ୟ କହୁଥିଲେ ମଧ୍ୟ ତାଙ୍କ ସର୍ଭିସ ବୁକରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଫିଟ୍ ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

ରବିବାର ମନ୍ତ୍ରୀ ନବ ଦାସଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଗୋପାଳ ଦାସଙ୍କୁ ପୁଲିସ ଗତକାଲିଠୁ ଗିରଫ କରି କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଛି । ଇତି ମଧ୍ୟରେ ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସ୍‌ପି। 

ତେବେ ଗୋପାଳ କ’ଣ ପାଇଁ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଟାର୍ଗେଟ କଲେ, ଏହା ପଛରେ କିଛି ରାଜନୈତିକ ଷଡଯନ୍ତ୍ର ଅଛି କି ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।

ଏପରିକି ଏହା ପଛରେ ଟପ୍‌ ଲେବଲ୍‌ର ଷଡଯନ୍ତ୍ର ଥିବା କଂଗ୍ରେସ ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏହାବାଦ ନବ ଦାସଙ୍କ ମୃତ୍ୟୁ ଝାରସୁଗୁଡ଼ାରେ ନା ଭୁବନେଶ୍ୱରରେ ହୋଇଛି ତାହାକୁ ନେଇ ମଧ୍ୟ ସସ୍‌ପେନ୍ସ ଦେଖା ଦେଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଥା ଏସ୍‌ଆଇଟି ତଦନ୍ତ ଦାବି ହୋଇଛି।

Crime Branch