କ୍ରିକେଟ୍ ମ୍ୟାଚ୍‌ ଭଳି ନିର୍ବାଚନରେ ବି ଫିକ୍ସିଂ, ୧୦ ଲକ୍ଷ ଟଙ୍କାରେ ଡିଲ୍‌!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଫିକ୍ସିଂ କଥା ଉଠିଲେ ଆମେ ପ୍ରଥମେ କୌଣସି କ୍ରିକେଟ ମ୍ୟାଚ୍‌ କଥା ଭାବିଥାଉ। କିନ୍ତୁ ଏବେ କ୍ରିକେଟ୍ ମ୍ୟାଚ୍ ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଫିକ୍ସିଂ ନେଇ ଅଭିଯୋଗ ଆସିଛି। ଏହାର ଅର୍ଥ ଭୋଟ୍ ପୂର୍ବରୁ କିଏ ସରପଞ୍ଚ, କିଏ ସମିତି ସଭ୍ୟ ହେବେ ସେ ନେଇ ହେଉଛି ଡିଲ୍‌। ଏଥିପାଇଁ ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧା ୧୦ ଲକ୍ଷ ଟଙ୍କାର ହେଉଛି ଡିଲ୍। ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ବ୍ୟତୀତ ଆଉ କେହି […]

money

Hemant Lenka
  • Published: Sunday, 20 February 2022
  • , Updated: 20 February 2022, 08:32 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଫିକ୍ସିଂ କଥା ଉଠିଲେ ଆମେ ପ୍ରଥମେ କୌଣସି କ୍ରିକେଟ ମ୍ୟାଚ୍‌ କଥା ଭାବିଥାଉ। କିନ୍ତୁ ଏବେ କ୍ରିକେଟ୍ ମ୍ୟାଚ୍ ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଫିକ୍ସିଂ ନେଇ ଅଭିଯୋଗ ଆସିଛି। ଏହାର ଅର୍ଥ ଭୋଟ୍ ପୂର୍ବରୁ କିଏ ସରପଞ୍ଚ, କିଏ ସମିତି ସଭ୍ୟ ହେବେ ସେ ନେଇ ହେଉଛି ଡିଲ୍‌। ଏଥିପାଇଁ ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧା ୧୦ ଲକ୍ଷ ଟଙ୍କାର ହେଉଛି ଡିଲ୍। ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥୀ ହେବେ ନାହିଁ କି ସେମାନଙ୍କୁ କେହି ବିରୋଧ କରିବେ ନାହିଁ ବୋଲି ପୂରା ଷ୍ଟାମ୍ପ ପେପରରେ ଲିଖିତ ଚୁକ୍ତିନାମା କରାଯାଉଛି।

ସତକୁ ସତ ଚୁକ୍ତି ଅନୁସାରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜଣେ ସରପଞ୍ଚ ହୋଇଥିବା ବେଳେ ଆଉ ଜଣେ ହୋଇଛନ୍ତି ସମିତି ସଭ୍ୟ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକରେ ଘଟିଛି। ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ପଦାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଦୁଇ ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ଲିଖିତ ଚୁକ୍ତିନାମା କରାଯାଇଥିଲା। ଡିଲ୍‌ର ଚେକ୍ ସହିତ ଚୁକ୍ତିର ଦସ୍ତାବିଜ ଏବେ ଗଣାମାଧ୍ୟମ ହାତରେ ଲାଗିଛି।

ଚାନ୍ଦପୁର ପଞ୍ଚାୟତରୁ ସରପଞ୍ଚ ଭାବେ ସି ରଶ୍ମିତା ପାତ୍ର ଓ ସମିତି ସଭ୍ୟ ଭାବେ ପ୍ରିୟଙ୍କା ଦଳାଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏହି ଅଞ୍ଚଳର ଜିଲ୍ଲା ପରିଷଦ ପ୍ରାର୍ଥୀ କାଜଲ ପାତ୍ର ଅଭିଯୋଗ କରିଛନ୍ତି ଯେ ଏଠାକାର ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନରେ ଫିକ୍ସିଂ ହୋଇଛି।

ରଶ୍ମିତା ପାତ୍ର ଓ ପ୍ରିୟଙ୍କା ଦଳାଇଙ୍କ ବିରୋଧରେ ଯେମିତି ଆଉ କେହି ପ୍ରାର୍ଥୀ ହେବେ ନାହିଁ କି ସେମାନଙ୍କୁ କେହି ବିରୋଧ କରିବେ ନାହିଁ, ସେଥିପାଇଁ ହୋଇଥିଲା ୧୦ ଲକ୍ଷ ଟଙ୍କାର ଡିଲ୍। ସମିତି ସଭ୍ୟଙ୍କ ସ୍ୱାମୀ ବାଲ୍ୟରାମ ଦଳାଇ ଏହାର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ସରପଞ୍ଚଙ୍କ ସମ୍ପର୍କୀୟ ଓ ଜିଆରଏସ୍ ସୁଦାମ ପାତ୍ର ମଧ୍ୟ ଏଥିରେ ସହଯୋଗ କରିଥିବା କାଜଲ ଅଭିଯୋଗ କରିଛନ୍ତି। ନିର୍ବାଚନ ଫିକ୍ସିଂ କରାଯାଇଥିବାରୁ ଏହାକୁ ବାତିଲ କରି ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି।

ପ୍ରକୃତରେ ଚାନ୍ଦପୁର ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ଲଢିବାକୁ ଚାହୁଁଥିଲେ ସୁନାଦେଇପୁରର ପ୍ରଶାନ୍ତ ବେହେରା। ହେଲେ ୧୦ ଲକ୍ଷର ଡିଲ୍ ପାଇଁ ସେ ପ୍ରାର୍ଥୀ ହେଲେ ନାହିଁ। ପ୍ରିୟଙ୍କା ଦଳାଇଙ୍କ ସ୍ୱାମୀ ବାଲ୍ୟରାମ ଦଳାଇ ଆଶାୟୀ ପ୍ରଶାନ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି। ଏହି ୧୦ ଲକ୍ଷ ଟଙ୍କାର ଚେକ୍‌ରେ ତାରିଖ ପଡ଼ିନାହିଁ। କିନ୍ତୁ ବାଲ୍ୟରାମଙ୍କ ଦସ୍ତଖତ ରହିଛି।

ପ୍ରଶାନ୍ତ ମଧ୍ୟ ନିର୍ବାଚନ ଲଢିବାକୁ ଚାହୁଁଥିଲେ ବୋଲି କହିଛନ୍ତି। କିନ୍ତୁ ନିର୍ବଚନ ପୂର୍ବରୁ ସୁନାଦେଇପୁରରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରାର୍ଥୀ ନ ହେଲେ ୧୦ ଲକ୍ଷ ଟଙ୍କା ମିଳିବ ଓ ସେହି ଟଙ୍କାରେ ଗାଁର ରାସ୍ତା କାମ ହେବ ବୋଲି ବୈଠକରେ କୁହାଯାଇଥିଲା। ଏହାପରେ ସରକାରୀ ଅନୁଦାନ ଆସିଲେ ବାଲ୍ୟରାମଙ୍କୁ ତାଙ୍କ ଚେକ୍ ଫେରାଇ ଦିଆଯିବ ବୋଲି ମଧ୍ୟ ଗୋଟିଏ ଚୁକ୍ତି କରାଯାଇଥିଲା। ଜାନୁଆରୀ ୨୦ ତାରିଖରେ ହୋଇଥିଲା ଏହି ଚୁକ୍ତି। ଯେଉଁଥିରେ ଉଭୟ ପ୍ରଶାନ୍ତ ବେହେରା ଓ ବାଲ୍ୟରାମ ଦଳାଇଙ୍କ ଦସ୍ତଖତ ରହିଛି।

ତେବେ ଏପରି ଫିକ୍ସିଂ ଅଭିଯୋଗକୁ ବାଲ୍ୟରାମ ଦଳାଇ ଖଣ୍ଡନ କରିଛନ୍ତି। ତେବେ ଯିଏ ଜିତିବ ସେ ଗାଁକୁ ରାସ୍ତା କରିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ହୋଇଥିବା ମାନିଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ କହିଛନ୍ତି, ଯଦି ନିର୍ବାଚନ କମିଶନଙ୍କୁ ଲିଖିତ ଅଭିଯୋଗ କରାଯାଏ, ତା’ର ତଦନ୍ତ କରାଯିବ। ତେବେ ଏନେଇ ସରପଞ୍ଚ ରଶ୍ମିତା ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାରେ ମଧ୍ୟ ଏପରି ସରପଞ୍ଚ ପଦ ପାଇଁ ନିଲାମ ଡକାଯାଇଥିବାର ଅଭିଯୋଗ ଆସିଥିଲା।

Related story