Ganja smuggled inside a LPG cylinder
ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛି। ଏହି ଯୁବକ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ବହୁ ଥର ଏଭଳି ଏଭଳି ଗଞ୍ଜେଇ ଚୋରା ଚାଲାଣ କରିଛି। ହେଲେ ଆଜି ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ଯାଞ୍ଚ ବେଳେ ଏହି ନିଶା ଚୋରାଚାଲାଣ ମାଫିଆ ଧରାପଡ଼ିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ନୂଆହାଟ ଅଞ୍ଚଳର ଜୟନ ବେହେରା। ତା’ ନିକଟରୁ ଜବତ ଘରୋଇ ଗ୍ୟାସ୍ ସିଲିଣ୍ଡରରୁ ୭ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଦୁର୍ଗାପ୍ରସାଦ କଳିଙ୍ଗା ଘାଟିରୁ ଅବକାରୀ ଗୁଇନ୍ଦା ବିଭାଗ ଯାଞ୍ଚ କରିବା ବେଳେ ସେ ଗଞ୍ଜେଇ ସହ ଧରାପଡ଼ିଛି।
ଅବକାରୀ ଇନ୍ସପେକ୍ଟର ହୃହୟ ଚନ୍ଦ୍ର ସାମନ୍ତ କହିଛନ୍ତି, ପିପିଲି ଅଞ୍ଚଳର ଜୟନ ଏକ ବାଇକ୍ରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲା। ଚେକିଂ ବେଳେ ତାହାର ଅଚାରଣ ସନ୍ଦେହକୁ ଆସିଥିଲା। ସେ ଏହି ସିଲିଣ୍ଡରକୁ ନେଇ ଫୁଲବାଣୀରୁ ଗଞ୍ଜାମ ଯାଉଥିବା କହିଥିଲା। ଘରୋଇ ଗ୍ୟାସ୍ ସିଲିଣ୍ଡର ସହଜରେ ଉପଲବ୍ଧ ହେଉଥିବାରୁ ଏହି ଗ୍ୟାସ୍ ସିଲିଣ୍ଡର ପରିବହନ ଉପରେ ସନ୍ଦେହ ବଢ଼ିଥିଲା। ଏହାକୁ ଟେକି ଯାଞ୍ଚ କରିବା ବେଳେ ଏହା ଭିତରେ କିଛି ଜିନିଷ ପଶିଥିବା ଜଣାପଡ଼ିଥିଲା। ପରେ ଏହି ଯୁବକୁ ଗ୍ୟାସ୍ ସିଲିଣ୍ଡରକୁ ଖୋଲିବା ପାଇଁ କୁହାଯାଇଥିଲା। ସେ ଏହାକୁ ଖୋଲିବା ପରେ ଭିତରେ ଗଞ୍ଜେଇଥିବା ଜଣାପଡ଼ିଥିଲା।
ଅଭିଯୁକ୍ତ ଜଣକ କହିଛି, ସେ ବୈପାରୀଗୁଡ଼ାରୁ ଏହି ଗଞ୍ଜେଇ ନେଇ ଆସୁଥିଲା। ଗଞ୍ଜେଇ ଦେଇଥିବା ବ୍ୟକ୍ତି ଏଭଳି ଉପାୟରେ ଗଞ୍ଜେଇ ଚାଲାଣ କରି ନେବାକୁ କହିଥିଲା। ସେ ପୂର୍ବରୁ ୨ ଥର ଏଭଳି ଗଞ୍ଜେଇ ଚୋରାଚାଲାଣ କରିଛି। ତୃତୀୟ ଥର ନେବା ବେଳେ ଧରାପଡ଼ିଛି। ସେ ଜଣେ ଗାଡ଼ି ଡ୍ରାଇଭର। ଡ୍ରାଇଭିଂ ଲାଇସେନ୍ସ ହଜି ଯିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ଜଣେ ବ୍ୟକ୍ତିର କଥାରେ ପଡ଼ି ଏହି ଗଞ୍ଜେଇ ବ୍ୟବସାୟ କରୁଥିଲେ।
ନିଶା ବ୍ୟବସାୟୀଙ୍କ ନିଶା ଚୋରାଚାଲଣ କରିବାର ଏହି ନୂଆ ତରିକା ଏବେ ଆଲୋଚନାର ବିଷୟ ହୋଇଛି। ନିଶା ମାଫିଆଙ୍କ ଏଭଳି ତରକି ଦେଖି ଅବକାରୀ ବିଭାଗ ତାଜୁବ୍ ହୋଇଛି।
ସେହିପରି ଆଜି ଅବକାରୀ ବିଭାଗ ପକ୍ଷରୁ କଳିଙ୍ଗା ଘାଟିରେ ଯାଞ୍ଚ ବେଳେ ଆଉ ୨ ଜଣ ଗଞ୍ଜେଇ ଚୋରାଚାଲାଣକାରୀ ଧରାପଡ଼ିଛନ୍ତି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସୁଦର୍ଶନ ଦିଗାଲ ଓ ଜଗତସିଂହପୁର ଜିଲ୍ଲା ନବପାଟଣା ରାମଚନ୍ଦ୍ର ସାହୁ। ଜଣେ ବାଇକ୍ରେ ଗଞ୍ଜେଇ ବସ୍ତା ନେଇ ଯାଉଥିବା ବେଳେ ଧରାପଡ଼ିଛି, ଅନ୍ୟଜଣକ ଯାତ୍ରୀବାହି ବସ୍ରେ ଯାଉଥିବା ବେଳେ ଯାଞ୍ଚ ଚାଲିଥିବା ଦେଖି ଖସି ଯିବାକୁ ଚେଷ୍ଟା କରି ଧରାପଡ଼ିଛି। ସେମାନଙ୍କ ଠାରୁ ମୋଟ ୧୮ କେଜି ଗଞ୍ଜେଇ ଜବତ ହୋଇଛି।
ଏହି ୩ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୨ଟି ବାଇକ୍କୁ ଜବତ କରାଯାଇଛି। ଏନେଇ ମାମଲା ରୁଜୁ କରି ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us