7NM1
ଭଞ୍ଜନଗର(ରାଜେଶ କୁମାର ପଣ୍ଡା):ଗରିବ ହିତାଧିକାରୀଙ୍କ ପାଇଁ ସରକାର କରିଛନ୍ତି ଆବାସ ଯୋଜନା। ହେଲେ ଆବାସ ଯୋଜନାରେ ଘର ନିର୍ମାଣ କରିବାର ବର୍ଷ ବର୍ଷ ବିତିଯାଇଥିଲେ ବି ମିଳୁନି ବଳକା ଟଙ୍କା। ଶେଷରେ ଟଙ୍କା ଅଭାଵରୁ ନିଜର ଆବାସଟିକୁ ଅନ୍ୟ ପାଖରେ ବନ୍ଧା ପକାଇଦେଲେ ହିତାଧିକାରୀ। ଏବେ ପୁଣି ସେହି ଭଙ୍ଗା ଚାଳ ଘରେ ବିତୁଛି ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରି ପଂଚାୟତ ରଙ୍ଗାମେରୁ ଗ୍ରାମର ଈଶ୍ୱର ନାୟକଙ୍କ ଏମିତି ବିତୁଛି ଜୀବନ। ଈଶ୍ୱର ନାୟକ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ୨୦୧୩-୧୪ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଗୃହ ନିର୍ମାଣ ଯୋଜନାରେ ସାମିଲ ହୋଇଥିଲେ।
ସ୍ତ୍ରୀ ବିନ ନାୟକଙ୍କ ନାମରେ ଗୃହ ନିର୍ମାଣ ବାବଦକୁ ସର୍ବମୋଟ 70 ହଜାର ଟଙ୍କାର ଏକ କାର୍ଯ୍ୟାଦେଶ ବ୍ଲକ ତରଫରୁ ପାଇଥିଲେ। ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅଗ୍ରୀମ ୩୦ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଆସିଥିଲା ।
ଅଧାଘର କାମ ସରିବା ପରେ ଟଙ୍କା ସରି ଯାଇଥଲା। ପରବର୍ତ୍ତୀ ସମୟରେ ଈଶ୍ୱର ନାୟକ ଆଉ ଘର ତିଆରି କରିପାରି ନଥିଲେ। ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଘର ନିର୍ମାଣ ସମ୍ପୂର୍ଣ କରିବାକୁ ବାଧ୍ୟ କରିଥିଲେ। ଈଶ୍ୱର ଧାର କରଜ କରି ଘର କାମ ସମ୍ପୂର୍ଣ କରିବା ପରେ ବଳକା ଅର୍ଥ ୪୦ ହଜାର ଟଙ୍କା ପାଇଁ ଦୀର୍ଘବର୍ଷ ହେଲା ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଗୁହାରି କଲେବି ମିଳିଲାନି ସୁଫଳ। ଶେଷରେ ଧାର କରଜ ସୁଝି ନପାରି ବାଧ୍ୟ ହୋଇ ଆବାସ ଘରଟିକୁ ଧାର ଆଣିଥିବା ବ୍ୟକ୍ତିଙ୍କ ପାଖରେ ବନ୍ଧକ ରଖିଦେଲେ।
ଗରିବ ଲୋକଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ଘର ଖଣ୍ଡେ ଦେଇଥିଲେ ସରକାର। ହେଲେ ପୁରା ଟଙ୍କା ନ ମିଳିବାରୁ ବନ୍ଧା ପଡିଗଲା ଆବାସ । ଏବେ ଯୋଉ ଚାଳ ଘରକୁ ସେହି ଚାଳ ଘରେ କଟୁଛି ଜୀବନ। ସରକାର ଦେଇକି କି ଲାଭ ବୋଲି ପ୍ରଶ୍ନ କରିଛନ୍ତି ଈଶ୍ୱରଙ୍କ ସ୍ତ୍ରୀ। ଅନ୍ୟପଟେ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବଳକା ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/7NM1.jpg)